News18 Odia Digital
ପାଟଣା: ବିହାର ଆରଜେଡିର ରାଜ୍ୟ ସଭାପତି ଜଗଦାନନ୍ଦ ସିଂ ତାଙ୍କ ପଦରୁ ଇସ୍ତଫା ଦେଇପାରନ୍ତି। ଏକ ଜାତୀୟ ଗଣମାଧ୍ଯମ ସୂତ୍ରରୁ ପ୍ରକାଶ ଯେ ଜଗଦାନନ୍ଦ ସିଂ ତାଙ୍କ ପୁଅ ତଥା ପୂର୍ବତନ କୃଷି ମନ୍ତ୍ରୀ ସୁଧାକର ସିଂଙ୍କ ପଥ ଅନୁସରଣ କରିବାକୁ ପ୍ରସ୍ତୁତ ଓ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଇସ୍ତଫା ପତ୍ର ଆରଜେଡି ଜାତୀୟ ସଭାପତି ଲାଲୁ ଯାଦବଙ୍କ ନିକଟରେ ଦାଖଲ କରିବେ।
ଯେତେବେଳେ ନ୍ୟୁଜ୍ 18 ଜଗଦାନନ୍ଦ ସିଂଙ୍କ ସହ ଫୋନରେ କଥା ହୋଇଥିଲା, ସେତେବେଳେ ସେ ଏହି ପ୍ରସଙ୍ଗରେ ଖୋଲାଖୋଲି କିଛି କହି ନଥିଲେ। କିନ୍ତୁ ମିଳିଥିବା ସୂଚନା ଅନୁଯାୟୀ ସେ ଆଜି ସନ୍ଧ୍ୟାରେ ପାଟଣା ଛାଡି ଦିଲ୍ଲୀ ଯିବେ ଓ ଶୁକ୍ରବାର ଅପରାହ୍ନରେ ଦିଲ୍ଲୀରେ ଲାଲୁ ଯାଦବଙ୍କୁ ଭେଟିବା ପରେ ଇସ୍ତଫା ପତ୍ର ଦାଖଲ କରିପାରନ୍ତି।
ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସମ୍ମିଳନୀ ପରେ ପରିସ୍ଥିତି ସ୍ପଷ୍ଟ ହେବ ବୋଲି ସୂତ୍ରରୁ ସୂଚନା ମଧ୍ୟ ଆସୁଛି। ନିକଟରେ ପୂର୍ବତନ କୃଷି ମନ୍ତ୍ରୀ ସୁଧାକର ସିଂ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଜଗଦାନନ୍ଦ ସିଂ ସୁଧାକର ସିଂଙ୍କ ଇସ୍ତଫାକୁ ବଳିଦାନ ବୋଲି ବର୍ଣ୍ଣନା କରିଥିଲେ।
ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଆରଜେଡି ନେତା ସୁଧାକର ସିଂ କହିଥିଲେ ଯେ ମୋତେ ଇସ୍ତଫା ଦେବାକୁ କୁହାଯାଇଛି କିମ୍ବା ମୁଁ ନିଜେ ଇସ୍ତଫା ଦେଇଛି, ଏଥିରେ କ’ଣ ଗୁରୁତ୍ୱପୂର୍ଣ୍ଣ? ମୁଁ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ନିର୍ଦ୍ଦେଶରେ ମନ୍ତ୍ରୀ ହୋଇଥିଲି ଓ ବର୍ତ୍ତମାନ ଯେତେବେଳେ ସେ ଇସ୍ତଫା ଦେବାକୁ କହିଥିଲେ, ମୁଁ ମୋର ଇସ୍ତଫା ଦାଖଲ କଲି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।