News18 Odia Digital
ଇସଲାମାବାଦ: ପାକିସ୍ତାନର ସିନ୍ଧ ପ୍ରଦେଶରେ ଅବସ୍ଥିତ ଘୋଟକିରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା (Pakistan Train Accident) ଘଟିଛି । ଏଠାରେ ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା ହେବାରୁ ଅତି କମରେ ୪୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ସାର୍ ସୟଦ୍ ଏକ୍ସପ୍ରେସ୍ ଟ୍ରେନ୍ ଓ ମିଲ୍ଲତ୍ ଏକ୍ସପ୍ରେସ୍ ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ରେତି ଓ ଡାହାରକି ଷ୍ଟେସନ୍ ମଧ୍ୟରେ ଘଟିଥିଲା । ଏଥିରେ ପାଖାପାଖି ୬୦ ଜଣ ଆହତ ହୋଇଥିବା କୁହାଯାଇଛି । ଦୁର୍ଘଟଣାର ଭୟାନକ ଚିତ୍ରକୁ ଦେଖିଲେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।
ଏହା ବି ପଢ଼ନ୍ତୁ | ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି COVID ପଜିଟିଭ୍ ହୋଇ ହସପିଟାଲରେ ଭର୍ତ୍ତି ହେଲେ
ରେଡିଓ ପାକିସ୍ତାନ ଅନୁଯାୟୀ ସୋମବାର ସକାଳେ ଏହି ଘଟଣା ଘଟିଥିଲା । ଗୁରୁତର ଆହତ ହୋଇଥିବା ଯାତ୍ରୀମାନଙ୍କୁ ଡାକ୍ତରଖାନା ପଠାଯାଇଛି । ବଗି ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ଏବେ ବି ଚାଲିଛି ।
ପାକିସ୍ତାନ ରେଳବାଇ କହିଛି ଯେ ମିଲ୍ଲତ୍ ଏକ୍ସପ୍ରେସ୍ କରାଚିରୁ ସରଗୋଧା ଅଭିମୁଖେ ଯାଉଥିବା ବେଳେ ରାସ୍ତାରେ ଏହାର ଗୋଟିଏ ଚକଗୁଡ଼ିକ ରେଳ ଧାରଣାରୁ ଖସି ଯାଇଥିଲା ଓ ଟ୍ରେନଟି ପାଖରେ ଥିବା ରେଳ ଧାରଣା ଉପରକୁ ଚାଲିଯାଇଥିଲା । ସେତିକି ବେଳେ ରାୱଲପିଣ୍ଡିରୁ କରାଚି ଯାଉଥିବା ସାର୍ ସୟଦ୍ ଏକ୍ସପ୍ରେସ୍ ଟ୍ରେନ୍ ଏହାକୁ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ମିଲ୍ଲତ୍ ଏକ୍ସପ୍ରେସର ଆଠଟି ବଗି ଓ ସାର୍ ସୟଦ ଏକ୍ସପ୍ରେସର ଇଞ୍ଜିନ ସମେତ ତିନୋଟି କୋଚ୍ ରେଳଧାରଣାରୁ ଛିଟକି ପଡ଼ିଥିଲା । କେତେକ ବଗି ଏକ ଖାଲରେ ପଡ଼ିଯାଇଥିଲା ।
ଏହା ବି ପଢ଼ନ୍ତୁ | ୧, ୨, ୩… : ଆଗ ବାପା ଚାଲିଗଲେ କରୋନା ସଂକ୍ରମଣରେ; ତା’ ପରେ ସାନ ପୁଅ, ତା’ ପରେ ବଡ଼ ପୁଅ
‘‘ଏହି ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଅତି କମରେ ୪୦ ଜଣ ଆହତ ହୋଇଛନ୍ତି । ଗ୍ରାମବାସୀମାନେ, ଉଦ୍ଧାରକାରୀ ଦଳ ଓ ପୋଲିସ ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଛନ୍ତି । ରିଲିଫ୍ କାମ ପାଇଁ ଭାରୀ ଯନ୍ତ୍ରପାତି ଆବଶ୍ୟକ । ତାହା ଏଠାକୁ ଆସୁଛି,’’ କହିଛନ୍ତି ସିନ୍ଧ୍ ପ୍ରଦେଶର ଘୋଟକି ଜିଲ୍ଲାର ପୋଲିସ ଅଧିକାରୀ ଓସମାନ ଅବଦୁଲ୍ଲା ।
ଏହା ବି ପଢ଼ନ୍ତୁ | ବଲାଙ୍ଗିରର ଏହି କୋଭିଡ୍ ନର୍ସ ୭ ମାସର ଗର୍ଭବତୀ ହୋଇ ବି ସାହସର ସହ ରୋଗୀ ସେବା କରିଚାଲିଛନ୍ତି
ଘୋଟକି ଏସ୍.ଏସ୍.ପି. ଉମର ତୁଫେଲ୍ କହିଛନ୍ତି ଯେ ଦୁର୍ଘଟଣାର କିଛି ଘଣ୍ଟା ପରେ ବି ଗୋଟିଏ ବଗିରେଯାତ୍ରୀମାନେ ଫସି ରହିଥିଲେ । ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ସେ କହିଛନ୍ତି ।
ଡେପୁଟି କମିଶନର ଅବଦୁଲ୍ଲା କହିଛନ୍ତି, ‘‘ଲୋକଙ୍କୁ ଉଦ୍ଧାର କରିବା ଓ ରିୱଲିଫ୍ ପହଞ୍ଚାଇବା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । ଯେଉଁମାନେ ଏବେ ବି ଫସି ରହିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରୀ ଯନ୍ତ୍ରପାତି ବ୍ୟବହାର କରାଯିବ ଏବଂ ଏହି କାର୍ଯ୍ୟ ପାଇଁ ସମୟ ଲାଗିବ । ଲୋକଙ୍କୁ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଆମେ ମେଡିକାଲ କ୍ୟାମ୍ପ୍ ମଧ୍ୟ ଆୟୋଜନ କରୁଛୁ ।’’
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।