News18 Odia Digital
Imran Khan Arrested: ଇମ୍ରାନ ଖାନଙ୍କ ଗିରଫ ଦାରି ପରେ ଜଳୁଛି ପାକିସ୍ତାନ । କରାଚୀରୁ ଲାହୋର, ଇସଲାମାବାଦ, ରାୱଲପିଣ୍ଡି ସବୁଠି ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଇମ୍ରାନ ଖାନଙ୍କ ସମର୍ଥକ ସଡ଼କରେ ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନାରାବାଜି କରିବା ସହ ଭଙ୍ଗାରୁଜା କରିଛନ୍ତି । ବିକ୍ଷୋଭ ଏବଂ ପୋଡ଼ାଜଳା ମଧ୍ୟରେ ଇସଲମାବାଦ କୋର୍ଟରେ ଆଜି ଇମ୍ରାନଙ୍କୁ ହାଜର କରାଯାଇଛି । ଇମ୍ରାନଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ NAB ପକ୍ଷରୁ ଆବେଦନ କରାଯାଇଛି । NABର ଆବେଦନ ଉପରେ ଶୁଣାଣି କରି ଇସଲାମାବାଦ ହାଇକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ସେପଟେ ସୁପ୍ରିମକୋର୍ଟ ଯିବ ବୋଲି କହିଛି PTI । ପାକିସ୍ତାନ ଅଧିନରେ ଥିବା ପଞ୍ଜାବ ଏବଂ ଖାଇବର ପଖତୁନଖୱା ପ୍ରଦେଶକୁ ନିଜ ଅଧୀନକୁ ନେଇଛି ସେନା । ଏହି ଦୁଇ ପ୍ରଦେଶରେ ସ୍ଥିତି ଅଣାୟତ୍ତ ହୋଇଥିବାରୁ ତତ୍କ୍ଷଣାତ ମାର୍ଶଲ ଆଇନ ଲାଗୁ କରାଯାଇଛି । ସେପଟେ ଇସଲମାବାଦ ହାଇକୋର୍ଟ ପରିସରରୁ ପିଟିଆଇର ସାଧାରଣ ସମ୍ପାଦକ ଅସଦ ଉମରଙ୍କୁ ଗିରଫ କରାଯାଇଛି । ଏଥିସହ ହଜାରେରୁ ଅଧିକ ଆନ୍ଦୋଳନକାରୀଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି । ଇମ୍ରାନଙ୍କ ଗିରଫଦାରି ପଛରେ ସେନାର କୌଣସି ପ୍ରକାର ଭୂମିକା ନ ଥିବା କହିଛନ୍ତି ପାକିସ୍ତାନ ସରକାର । ସେପଟେ ପାକିସ୍ତାନରେ ଥିବା ଭାରତୀୟ ଖେଳାଳିଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ କୁହାଯାଇଛି । ଲାହୋରରେ ଚାଲିଥିବା ବ୍ରିଜ୍ ଚାମ୍ପିଅନସିପ୍ରେ ୨୦ ଜଣ ଭାରତୀୟ ଖେଲାଳି ଅଶଗ୍ରହଣ କରୁଛନ୍ତି । ପାକିସ୍ତାନରେ ସ୍ଥିତି ଅଣାୟତ ଥିବାରୁ ତୁରନ୍ତ ସ୍ବଦେଶକୁ ଫେରି ଆସିବାକୁ କୁହାଯାଇଛି ।
ଅନ୍ୟପଟେ ପ୍ରତିବାଦକାରୀଙ୍କ ଉପରେ ପୋଲିସ ଲୁହବୁହା ଗ୍ୟାସ ସହ ପାଣି ମାଡ଼ କରିଛି। ସାରା ଦେଶରେ ପ୍ରତିବାଦ ଡାକରା ଦିଆଯାଇଥିବାରୁ ହିଂସାକାଣ୍ଡ ବଢ଼ିବା ଆଶଙ୍କା କରାଯାଉଛି । ସେପଟେ ଆମେରିକା, କାନାଡା ଭଳି ଦେଶ ନିଜ ନିଜର ଦୂତାବାସ କର୍ମଚାରୀ ଓ ଅନ୍ୟ ନାଗରିକଙ୍କୁ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଇମ୍ରାନ ଖାନଙ୍କ ଗିରଫଦାରିର ପ୍ରତିବାଦ ବିଦେଶକୁ ମଧ୍ୟ ବ୍ୟାପିଛି । ଲଣ୍ଡନରେ ଦେଖିବାକୁ ମିଳିଛି ପର୍ବଳ ବିକ୍ଷୋଭ ପ୍ରଦର୍ଶନ । ପାକିସ୍ତାନୀମାନେ ଲଣ୍ଡନରେ ନୱାଜ ଶରିଫଙ୍କ ବାସଭବନ ଆଗରେ ଜମା ହୋଇ ନାରା ବାଜି କରିଛନ୍ତି । ଏମାନେ ଇମ୍ରାନଙ୍କ ଗିରଫଦାରିକୁ ଭୁଲ୍ ବୋଲି ଦର୍ଶାଇ ତାଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି ।ପରେ ଲଣ୍ଡନ ପୋଲିସ ସ୍ଥିତି ନିୟନ୍ତ୍ରଣ କରିଛି । ଆମେରିକାରେ ଥିବା ଇମ୍ରାନଙ୍କ ସମର୍ଥକ ମଧ୍ୟ ପ୍ରତିବାଦ କରିଛନ୍ତି । ଓ୍ବାଶିଂଟନରେ ଥିବା ପାକିସ୍ତାନ ଦୂତାବାସ ବାହାରେ ପ୍ରବାସୀ ପାକିସ୍ତାନୀ ନାଗରିକ ଇମ୍ରାନଙ୍କ ଏପରି ଗିରଫଦାରୀକୁ ବିରୋଧ କରିଛନ୍ତି।
୨୦୨୨ ମସିହା ଏପ୍ରିଲ ମାସ ପର୍ଯ୍ୟନ୍ତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଥିଲେ ଇମ୍ରାନ ଖାନ । କିନ୍ତୁ ସମୟର ଚକ ଏମିତି ଘୁରିଲା ଯେ, ଏବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ରେଞ୍ଜର୍ସ ଯବାନଙ୍କଠାରୁ ଧକ୍କା ଖାଇବାକୁ ପଡ଼ିଲା । ତାଙ୍କୁ ପ୍ରଥମେ ଧକ୍କା ଦିଆଗଲା ଏବଂ ଗାଡ଼ିରେ ବସି ନିଆଗଲା। ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହରିକ ଏ ଇନ୍ସାଫ ନିଜ ନେତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛି। ଇମ୍ରାନ ଖାନଙ୍କ ଗିରଫଦାରୀକୁ ବେଆଇନ କହିବା ସହ ଦଳ ପାକିସ୍ତାନରେ ଜଙ୍ଗଲରାଜ୍ ଚାଲିଥିବା କହିଛି ।
ପାକିସ୍ତାନ ଜନତା ଏହି ବେଆଇନ ଗିରଫଦାରୀକୁ ବିରୋଧ କରିଛନ୍ତି। ଏହାକୁ କୌଣସି ହିସାବରେ ଗ୍ରହଣ କରାଯାଇ ପାରିବ ନାହିଁ। କ’ଣ ଦେଶରେ ଜଙ୍ଗଲରାଜ ଚାଲିଛି ? ଲୋକମାନେ ନିଶ୍ଚିତ ଭାବେ ସ୍ବର ଉଠାଇବା ଦରକାର। ଲୋକଙ୍କ ଅଧିକାରକୁ ନେଇ ଆମେ ଛିଡ଼ା ହେବା ଉଚିତ୍। କୋର୍ଟଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିବ ।
ଅନ୍ୟପଟେ ଇମ୍ରାନଙ୍କ ଗିରଫଦାରୀକୁ ନେଇ ଆମେରିକା ପ୍ରତିକ୍ରିୟା ରଖିଛି। ପାକିସ୍ତାନରେ ଗାଣତାନ୍ତ୍ରିକ ନୀତି ତଥା ଆଇନର ଶାସନକୁ ସମ୍ମାନ ଦେବାକୁ ଆହ୍ବାନ ଦେଇଛି ୱାସିଂଟନ । ଆମେରିକା ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯେ, କୌଣସି ନେତାଙ୍କ ପାଇଁ ସେମାନଙ୍କର କୌଣସି ଆଦର୍ଶ ନାହିଁ। ପାକିସ୍ତାନରେ ଇମ୍ରାନ ଖାନଙ୍କ ନାଟକୀୟ ଗିରଫଦାରୀକୁ ନେଇ ଗାଣତାନ୍ତ୍ରିକ ନୀତିକୁ ସମ୍ମାନ ଦେବାକୁ କହିଛନ୍ତି।
ଅଲ୍ କାଦିର୍ ଟ୍ରଷ୍ଟ ମାମଲାରେ ଶୁଣାଣି ହେଉଥିବା ବେଳେ କୋର୍ଟରେ ହାଜର ହେବାକୁ ଯାଉଥିଲେ ଇମ୍ରାନ ଖାନ। ସେ କୋର୍ଟ ଭିତରେ ପ୍ରବେଶ କରୁ କରୁ ଶହ ଶହ ସଂଖ୍ୟାରେ ପାକିସ୍ତାନୀ ରେଞ୍ଜର୍ସ ତାଙ୍କ ପଛେ ପଛେ କୋର୍ଟ ଭିତକୁ ଚାଲି ଯାଇଥିଲେ । କୋର୍ଟ ଭିତରେ ହିଁ ତାଙ୍କୁ ମାଡ଼ି ବସିଥିଲେ ରେଞ୍ଜର୍ସ । ସଙ୍ଗେ ସଙ୍ଗେ ହାଇକୋର୍ଟର ମୁଖ୍ୟ ବିଚାରପତି ଇସଲାମାବାଜଦ ପୋଲିସ ମୁଖ୍ୟ, ଗୃହମନ୍ତ୍ରାଳୟ ସଚିବ ଏବଂ ଅତିରିକ୍ତ ଆଟର୍ଣ୍ଣି ଜେନେରାଲ୍ଙ୍କୁ କୋର୍ଟକୁ ସମନ୍ କରିଥିଲେ। ଇମ୍ରାନ ଖାନଙ୍କ ଗିରଫଦାରୀ ବାବଦରେ କୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ବିଚାରପତି। ଅଲ୍ କାଦିର୍ ଟ୍ରଷ୍ଟ ଘୋଟାଲାରେ କୋର୍ଟରେ ହାଜର ହେବାକୁ ଇମ୍ରାନ ଖନଙ୍କୁ ବାରମ୍ବାର ନୋଟିସ୍ ହୋଇଥିଲା । କିନ୍ତୁ ସେ ହାଜର ନହେବାରୁ ମେ’ ପହିଲାରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଥିଲା । ଯାହା ଆଧାରରେ ତାଙ୍କୁ ଗିରଫ କରାଯାଇଛି । ତେବେ ଯେଉଁ ଅଲ୍ କାଦିର ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନ ଗିରଫ ହୋଇଛନ୍ତି, ସେ ବିଷୟରେ ଆସନ୍ତୁ ନଜର ପକାଇବା...
ଇମ୍ରାନ, ତାଙ୍କ ପତ୍ନୀ ବୁଶରା ବିବି ଏବଂ ସେମାନଙ୍କ ଘନିଷ୍ଠ ସହଯୋଗୀ ଜୁଲଫିକର ବୁଖାରୀ ଏବଂ ବାବର ଅୱନ ଅଲ କାଦିର ପ୍ରୋଜେକ୍ଟ ଟ୍ରଷ୍ଟ୍ ଗଠନ କରିଥିଲେ। ଅଲ କାଦିର ୟୁନିଭର୍ସିଟି ପ୍ରତିଷ୍ଠା କରି ପଂଜାବର ଝେଲମ ଜିଲ୍ଲା ଅନ୍ତର୍ଗତ ସୋହୱା ତହସିଲରେ ଉତ୍ତମ ମାନର ଶିକ୍ଷା ଦେବା ଏହି ଟ୍ରଷ୍ଟ୍ର ଲକ୍ଷ୍ୟ ଥିଲା। ଟ୍ରଷ୍ଟ୍ର ସରକାରୀ ଠିକଣା କାଗଜପତ୍ରରେ ‘ବାଣୀ ଗାଲା ହାଉସ୍, ଇସଲାମାବାଦ’ ରଖାଯାଇଥିଲା। ବୁଶରା ବିବି ୨୦୧୯ରେ ଏହି ଟ୍ରଷ୍ଟ୍ ପାଇଁ ପାଣ୍ଠି ସଂଗ୍ରହ କରିବାକୁ ଏକ ଘରୋଇ ରିଅଲ ଇଷ୍ଟେଟ୍ କମ୍ପାନି ସହ ରାଜିନାମା ସ୍ବାକ୍ଷର କରିଥିଲେ। ଟ୍ରଷ୍ଟ୍କୁ ଏହାପରେ ୪୫୮ ଏକର ଜମି ଜମି ମିଳିଥିଲା। ତେବେ ପାକିସ୍ତାନ ଆଭ୍ୟନ୍ତରୀଣ ମନ୍ତ୍ରୀ ରାଣା ସନାଉଲ୍ଲାଙ୍କ ବୟାନ ଅନୁଯାୟୀ ଏହି ୪୫୮ ଏକର ମଧ୍ୟରୁ ଇମ୍ରାନ ଖାନ ୨୪୦ ଏକର ଜମିକୁ ତାଙ୍କ ପତ୍ନୀ ବୁଶରା ବିବିଙ୍କ ଘନିଷ୍ଠ ବନ୍ଧୁ ଫରହା ଗୋଗିଙ୍କ ନାଁରେ କରିଦେଇଥିଲେ। ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନାମରେ ଇମ୍ରାନ ଜମି ଜାଲିଆତି କରିଥିଲେ ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ହେବାପରେ ପାକିସ୍ତାନର ପୂର୍ବତନ ଅର୍ଥ ମନ୍ତ୍ରୀ ମିଫତାହ ଇସମେଲ ଏକ ଟ୍ବିଟ୍ କରି କହିଛନ୍ତି, ଇମ୍ରାନ ଖାନ୍ ପ୍ରାୟ ୧୯୦ ନିୟୁତ ପାଉଣ୍ଡ୍ର ଜମି ବିଶିଷ୍ଟ ବ୍ୟବସାୟୀ ମାଲିକ ରିଆଜଙ୍କୁ ଦେଇଛନ୍ତି। ମାଲିକ ରିଆଜ ମଧ୍ୟ ଇମ୍ରାନ, ବୁଶରା ବିବି ଏବଂ ଫରହା ଗୋଗି ସଦସ୍ୟ ଥିବା ଟ୍ରଷ୍ଟ୍କୁ ଶହ ଶହ ଏକର ଜମି ଦାନ କରିଛନ୍ତି।
ଗତବର୍ଷ ଏପ୍ରିଲ ମାସରେ ପ୍ରଧାନମନ୍ତ୍ରୀ ପଦ ହରାଇଛନ୍ତି ଇମ୍ରାନ ଖାନ । ଅନାସ୍ଥା ଭୋଟରେ ହାରି ସେ ପଦ ହରାଇଥିବା ବେଳେ ତାଙ୍କ ବିରୋଧରେ ରୁଜୁ ହୋଇଛି ଏକାଧିକ ମାମଲା । ପ୍ରଧାନମନ୍ତ୍ରୀ ପଦ ଯିବା ପରେ, ସେନା ଏବଂ ISI ଉପରେ ବିଷ ଉଗାଳି ଚାଲିଥିଲେ ସେ । ଦୁଇ ଦିନ ପୂର୍ବେ ଜଣେ ବରିଷ୍ଠ ସେନା ଅଧିକାରୀଙ୍କ ବିରୋଧରେ ସାଂଘାତିକ ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିଲେ ସେ । ଇମ୍ରାନଙ୍କ ଅଭିଯୋଗକୁ ସେନା, ଭିତ୍ତିହୀନ କହିବାର ଦିନକ ପରେ ଗିରଫ ହୋଇଛନ୍ତି ପାକିସ୍ତାନର ପୂର୍ବତନ ମୁଖ୍ୟମନ୍ତ୍ରୀ...
ପଢନ୍ତୁ ଏହି ଖବର :
Interesting History: ହନୁମାନଙ୍କ ପ୍ରେମରେ ମୁସଲିମ୍ ଭକ୍ତ... ନିର୍ମାଣ କରିଛନ୍ତି ବିଶାଳ ମନ୍ଦିରନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।