କାଶ୍ମୀର ପ୍ରସଙ୍ଗରେ ଇମ୍ରାନ ଖାନ କହିଲେ- ଭାରତ ଗୋଟିଏ ପାଦ ବଢା଼ଉ; ଆମେ ଦୁଇ ପାଦ ବଢ଼ାଇବୁ
ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ (Imran Khan) କାଶ୍ମୀର ସମସ୍ୟାର ସମାଧାନ ପାଇଁ ସୁସ୍ଥ ବାତାବରଣ ସୃଷ୍ଟି କରିବାକୁ ଭାରତକୁ କହିଛନ୍ତି । ସେ କହିଛନ୍ତି ଯେ ଯଦି କାଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ ଗୋଟିଏ ପାଦ ଆଗକୁ ବଢ଼ାଏ ତେବେ ଆମେ ଦୁଇ ପାଦ ଆଗକୁ ବଢାଇବାକୁ ପ୍ରସ୍ତୁତ ଅଛୁ ।

ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ ଓ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ (ଫାଇଲ ଫଟୋ)
- News18 Odia
- Last Updated: February 6, 2021, 10:37 AM IST
ଇସଲାମାବାଦ: ଶୁକ୍ରବାର ଦିନ ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ (Imran Khan) କାଶ୍ମୀରର ଏକତା ଦିବସ ପାଳନ କରୁଥିବା ବେଳେ କାଶ୍ମୀରବାସୀଙ୍କ ଉପରେ ଭାରତ (India) ଅତ୍ୟାଚାର କରୁଛି ବୋଲି ଅଭିଯୋଗ କରିଛି । ଇମ୍ରାନ ଖାନ ଟ୍ୱିଟ କରିଛନ୍ତି ଯେ ପାକିସ୍ତାନ ସର୍ବଦା ଉପମହାଦେଶରେ ଶାନ୍ତି ପାଇଁ ଛିଡା ହୋଇଛି କିନ୍ତୁ ଏଥିପାଇଁ ବାତାବରଣ ସୃଷ୍ଟି କରିବା ଭାରତର ଦାୟିତ୍ୱ ଅଟେ । ସେ କହିଛନ୍ତି ଯେ ଜାତିସଂଘର ନିଷ୍ପତ୍ତି ଅନୁଯାୟୀ ଯଦି କାଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ ଗମ୍ଭୀରତା ଦେଖାଏ, ତେବେ ଆମେ ଶାନ୍ତି ଦିଗରେ ଦୁଇ ପାଦ ଆଗକୁ ବଢାଇବାକୁ ପ୍ରସ୍ତୁତ ଅଛୁ ।
ଏହାପୂର୍ବରୁ ଜେନେରାଲ ବାଜୱା ଶାନ୍ତି ବିଷୟରେ କହିଥିଲେ
ଇମ୍ରାନ ଖାନଙ୍କ ଏହି ବିବୃତ୍ତି ସେନା ମୁଖ୍ୟ ଜେନେରାଲ ବାଜୱାଙ୍କ ବିବୃତ୍ତି ପରେ ଆସିଛି । ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ ବାଜୱା ମଙ୍ଗଳବାର କହିଛନ୍ତି ଯେ ପାକିସ୍ତାନ ଓ ଭାରତ କାଶ୍ମୀର ପ୍ରସଙ୍ଗକୁ ସମ୍ମାନଜନକ ଓ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଉଚିତ । ସେ କହିଛନ୍ତି ଯେ ଜାମ୍ମୁ କାଶ୍ମୀରବାସୀଙ୍କ ଆକାଂକ୍ଷା ଅନୁଯାୟୀ ପାକିସ୍ତାନ ଓ ଭାରତ ଜାମ୍ମୁ କାଶ୍ମୀରର ସମସ୍ୟାକୁ ସମ୍ମାନଜନକ ଓ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଉଚିତ ।
ଜେନେରାଲ ବାଜୱା କହିଛନ୍ତି ଯେ ପାକିସ୍ତାନ ହେଉଛି ଏକ ଶାନ୍ତି ପ୍ରେମୀ ଦେଶ ଯାହା ଆଞ୍ଚଳିକ ତଥା ବିଶ୍ୱ ଶାନ୍ତି ପାଇଁ ବହୁତ ବଳିଦାନ ଦେଇଛି । ସେ କହିଛନ୍ତି, 'ଆମେ ପାରସ୍ପରିକ ସମ୍ମାନ ଓ ଶାନ୍ତିପୂର୍ଣ୍ଣ ସମନ୍ବୟର ଆଦର୍ଶ ଉପରେ ଚାଲିବା ପାଇଁ ପ୍ରତିବଦ୍ଧ । ସବୁ ଦିଗରେ ଶାନ୍ତି ବିସ୍ତାର କରିବାର ବର୍ତ୍ତମାନ ସମୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶାନ୍ତି ପାଇଁ ଇଚ୍ଛାକୁ ଦୁର୍ବଳତା ଭାବେ ଗ୍ରହଣ କରାଯିବା ଉଚିତ୍ ନୁହେଁ । କୌଣସି ବିପଦକୁ ଦୂର କରିବା ପାଇଁ ପାକିସ୍ତାନର ସୈନ୍ୟବାହିନୀର ସାମର୍ଥ୍ୟ ଅଛି ଓ ପ୍ରସ୍ତୁତ ଅଛି ।"