ପାକିସ୍ତାନ: ଇମ୍ରାନ ସରକାର ଭାରତରୁ କପା ଓ ଚିନି ଆମଦାନୀ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ
ଇମ୍ରାନ ଖାନ ସରକାରଙ୍କ (Imran Khan Government) କ୍ୟାବିନେଟ ଭାରତରୁ କପା (Cotton) ଆମଦାନୀ କରିବାର ନିଷ୍ପତିକୁ ପ୍ରତ୍ୟାହାର କରିଛି । କୁହାଯାଉଛି ଯେ ଘରୋଇ ସ୍ତରରେ ବିରୋଧ ଯୋଗୁଁ ଇମ୍ରାନ ଖାନ ସରକାର ଆମଦାନୀ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ।

ଇମ୍ରାନ ସରକାର ଭାରତରୁ କପା ଓ ଚିନି ଆମଦାନୀ କରିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ
- News18 Odia
- Last Updated: April 1, 2021, 5:55 PM IST
ଇସଲାମାବାଦ: ପାକିସ୍ତାନ (Pakistan) ଭାରତ ସହ ବାଣିଜ୍ୟକୁ ନେଇ ଏକ ବଡ ନିଷ୍ପତ୍ତି ନେଇଥିଲା । ସେଥିପାଇଁ ଘରୋଇ ସ୍ତରରେ ବିରୋଧ ହୋଇଥିଲା ଓ ବର୍ତ୍ତମାନ ଇମ୍ରାନ ସରକାର ଭାରତରୁ କପା ଓ ଚିନି ଆମଦାନୀ କରିବାକୁ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି । ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଭାରତରୁ ପାକିସ୍ତାନକୁ କପା ଓ ଚିନି ଆମଦାନୀ କରିବାର ନିଷ୍ପତ୍ତିକୁ କ୍ୟାବିନେଟ ଅର୍ଥନୈତିକ ସମନ୍ୱୟ କମିଟିରେ ପ୍ରତ୍ୟାଖ୍ୟାନ କରାଯାଇଛି । ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ଭାରତରୁ କପା ଆଣିବାକୁ ଦାବି କରୁଥିବାବେଳେ ମୌଳିକବାଦୀମାନେ କାଶ୍ମୀର ପରିବର୍ତ୍ତନ ନକରି ଭାରତ ଆଗରେ ମଥାନତ କରିଥିବା କହି ସମାଲୋଚନା କରିଥିଲେ ।
କପା ଅଭାବରୁ ପାକିସ୍ତାନ ସଂଘର୍ଷ କରୁଛି
କପା ଅଭାବରୁ ପାକିସ୍ତାନୀ ବୟନ ଶିଳ୍ପ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି । କଞ୍ଚାମାଲର ଅଭାବକୁ ଦୂର କରିବା ପାଇଁ ପାକିସ୍ତାନର ବୟନ ମନ୍ତ୍ରଣାଳୟ ଭାରତରୁ କପା ଆମଦାନୀ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ପରାମର୍ଶ ଦେଇଥିଲା । ଏହି ଚାପରେ ଇମ୍ରାନ ଖାନ ସରକାର ପ୍ରଥମେ କପା ଆମଦାନୀକୁ ଅନୁମୋଦନ କରିଥିଲେ କିନ୍ତୁ ଯେତେବେଳେ ରାଜନୈତିକ ଦଳ ସେମାନଙ୍କୁ ଏହା ପାଇଁ ଘେରିଥିଲେ ସେତେବେଳେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।