ପାକିସ୍ତାନ ସାମ୍ନାରେ ବଡ଼ ସଙ୍କଟ
News18 Odia Digital
Pakistan economic crisis: ପାକିସ୍ତାନରେ ଅର୍ଥନୈତିକ ସଙ୍କଟ ନୂଆ ନୁହେଁ। ପୂର୍ବତନ ଇମ୍ରାନ ଖାନ ସରକାର ଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ପର୍ଯ୍ୟନ୍ତ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।
ପାକିସ୍ତାନ ଏକ ନଗଦ ସଙ୍କଟର ସମ୍ମୁଖୀନ ହୋଇଛି ଓ ସେଠାରେ ମୁଦ୍ରାସ୍ଫୀତି ଆକାଶଛୁଆଁ ହୋଇଛି। ବର୍ତ୍ତମାନ ଏଥିରୁ ମୁକ୍ତି ପାଇବା ପାଇଁ ପଡୋଶୀ ଦେଶ ଏହାର ସରକାରୀ କମ୍ପାନୀ ବିକ୍ରୟ ପାଇଁ ଯୋଜନା ପ୍ରସ୍ତୁତ କରିଛି। ବନ୍ଧୁତ୍ୱପୂର୍ଣ୍ଣ ଦେଶ ସରକାରଙ୍କ ସହ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକର ଅଂଶ ବିକ୍ରି କରିବାକୁ ପାକିସ୍ତାନ ସରକାର ରାଜି ହୋଇଛନ୍ତି। ଏଥିପାଇଁ ଦେଶର ଆଇନରେ ସଂଶୋଧନ କରାଯିବ ଯାହା ଦ୍ବାରା ଆଇଏମଏଫର ୪ ବିଲିୟନ ଆମେରିକୀୟ ଡଲାର ଋଣ ପରିଶୋଧ ଦିଗରେ ପଦକ୍ଷେପ ନିଆଯାଇପାରିବ।
ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି
ବୁଧବାର ଦିନ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକର କର୍ପୋରେଟ୍ ଗଭର୍ନାନ୍ସ (SOEs) ଉପରେ ଏକ ସେମିନାରକୁ ସମ୍ବୋଧିତ କରିବାବେଳେ ଦେଶର ଅର୍ଥମନ୍ତ୍ରୀ ମିଫ୍ତା ଇସମାଇଲ ଏହା ଘୋଷଣା କରିଛନ୍ତି।
ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ କିଛି ସପ୍ତାହ ମଧ୍ୟରେ ଆମଦାନୀ ଉପରେ ପ୍ରତିବନ୍ଧକ ହଟାଯିବ ଏବଂ ଏହି ଆର୍ଥିକ ବର୍ଷରେ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଋଣ ବ୍ୟବଧାନ ଦୂର ହେବ। ଏଥିସହିତ ସେ କହିଛନ୍ତି ଯେ କମ୍ପାନୀଗୁଡିକର ଅଂଶଧନ ବିକ୍ରି ହେବ ଯେଉଁ ସର୍ତ୍ତରେ ପରେ ପାକିସ୍ତାନ ସେମାନଙ୍କୁ କିଣି ପାରିବ। ଡନ୍ ଖବରକାଗଜ ଅନୁଯାୟୀ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏହି ପାଣ୍ଠିର ପ୍ରଥମ କିସ୍ତି ଅଗଷ୍ଟ ମାସରେ ଆଇଏମଏଫରୁ ସହଜରେ ଉପଲବ୍ଧ ହେବ।
କମ୍ପାନୀ ବିକ୍ରୟ ପାଇଁ ରାସ୍ତା ସଫା କରିବାକୁ ପାକିସ୍ତାନର କ୍ୟାବିନେଟ୍ ସରକାରୀ ବାଣିଜ୍ୟ କାରବାର ଆଇନ ୨୦୨୨କୁ ଅନୁମୋଦନ କରିଛି। ଆଇନର ନାମ ନ ରଖି ମନ୍ତ୍ରୀ ଏହା କହିଛନ୍ତି ଯେ ଏହା ଏକ ଆବଶ୍ୟକ ପଦକ୍ଷେପ କାରଣ ବର୍ତ୍ତମାନର ଘରୋଇକରଣ ଆଇନ ସରକାରୀ-ସରକାରୀ (G2G) ଆଧାରରେ ଏଭଳି ବ୍ୟବସାୟିକ କାରବାରକୁ ଅନୁମତି ଦେଉନାହିଁ। କ୍ୟାବିନେଟ ବୈଠକ ପରେ ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଦ୍ବାରା ପ୍ରବର୍ତ୍ତିତ ବାଣିଜ୍ୟିକ କାରବାର ଆଇନ ୨୦୨୨କୁ କ୍ୟାବିନେଟ ଅନୁମୋଦନ କରିଛି ଓ ଏହାକୁ ସଂସଦର ସମ୍ପୃକ୍ତ ଷ୍ଟାଣ୍ଡିଂ କମିଟି ନିକଟକୁ ପଠାଯାଇଛି।
କ୍ୟାବିନେଟ ଏହି ନୂଆ ନିୟମକୁ ଅନୁମୋଦନ କରିଛି
କ୍ୟାବିନେଟକୁ କୁହାଯାଇଥିଲା ଯେ ଏହି ନିୟମ ବିଦେଶୀ ନିବେଶକମାନଙ୍କୁ ବିଶ୍ବାସ ଦେବ ଓ ବିକାଶ ଚୁକ୍ତିରେ G2G ଆଧାରରେ ବିଦେଶୀ ପୁଞ୍ଜି ବିନିଯୋଗ ବୃଦ୍ଧି ପାଇଁ ମଧ୍ୟ କାର୍ଯ୍ୟ କରିବ। ମନ୍ତ୍ରୀ ତାଙ୍କ ସମ୍ବୋଧନରେ ଆଇଏମ୍ଏଫ୍ ସହିତ ନିକଟରେରେ କରାଯାଇଥିବା କାର୍ଯ୍ୟ ବିଷୟରେ ମଧ୍ୟ କହିଛନ୍ତି ଓ ଆମଦାନି ଉପରେ ପ୍ରତିବନ୍ଧକକୁ ସରକାର କିଛି ସପ୍ତାହ ମଧ୍ୟରେ ହଟାଇବେ କାରଣ ଏହା ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି।
ଇସମାଇଲ କହିଛନ୍ତି ଯେ ଆମେ କେବଳ ଏହି କମ୍ପାନୀର ସେୟାର ବିକ୍ରି କରୁଛୁ ଓ ଏହା ସେମାନଙ୍କ ମଧ୍ୟରୁ ଏକ ଛୋଟ ଅଂଶ ହେବ। ଅଧିକାଂଶ ସେୟାର ଆମ ସହିତ ରହିବାକୁ ଯାଉଛି ଓ ସେୟାରଗୁଡିକ କ୍ରୟ ବ୍ୟାକ୍ ବିକଳ୍ପ ସହିତ ବିକ୍ରି ହେବ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।