ଆଫଗାନିସ୍ତାନରେ ତାଲିବାନ ବିଜୟକୁ ନେଇ ଖୁସି ପାକିସ୍ତାନ
News18 Odia Digital
ଇସଲାମବାଦ: ଆତଙ୍କବାଦୀ ସଙ୍ଗଠନ ତାଲିବାନ ଦ୍ୱାରା ଆଫଗାନିସ୍ତାନର ଦଖଲକୁ ଉତ୍ସବ ରୂପେ ପାଳନ କରୁଛନ୍ତି ପାକିସ୍ତାନ ସରକାର । ଆଫଗାନିସ୍ତାନ ସରକାର ଲଗାତାର ଦାବି କରିଆସୁଛନ୍ତି ଯେ ପାକିସ୍ତାନ ତାଲିବାନକୁ ସମର୍ଥନ କରୁଛି। ଆଫଗାନିସ୍ତାନ ସେନା ଅନେକ ଥର ଏହି ବିଷୟରେ ପ୍ରମାଣ ମଧ୍ୟ ଦେଇସାରିଛନ୍ତି । ତାଲିବାନ ସହିତ ଲଢ଼େଇରେ ଆଫଗାନିସ୍ତାନ ସେନା ଅନେକ ପାକିସ୍ତାନୀ ଯୋଦ୍ଧାଙ୍କୁ ହତ୍ୟା କରିଛି। ଇତିମଧ୍ୟରେ ପାକିସ୍ତାନର ପୂର୍ବତନ ସିନେଟର ଏମିତି କିଛି କହିଛନ୍ତି, ଯାହା ଦ୍ବାରା ପାକିସ୍ତାନ ଲଜ୍ଜିତ ହୋଇପାରେ ।
ଆଫଗାନିସ୍ତାନରେ ପାକିସ୍ତାନର ଭୂମିକା ବିଷୟରେ ପାକିସ୍ତାନର ପୂର୍ବତନ ସିନେଟର ଆଫରାସିଆବ ଖଟକ କହିଛନ୍ତି । ମିଡ଼ିଆ ସହ କଥାବାର୍ତ୍ତା କରି ସେ କହିଛନ୍ତି, ‘‘ପାକିସ୍ତାନ ତାଲିବାନକୁ ସମ୍ପୂର୍ଣ୍ଣ ସମର୍ଥନ କରୁଛି। ତାଲିବାନ ଏକ ପ୍ରକାରରେ ଆଫଗାନିସ୍ତାନରେ ପାକିସ୍ତାନର ଷ୍ଟ୍ରାଟେଜିକ ପାର୍ଟନର ଭଳି। ତାଲିବାନକୁ ଆଗକୁ ବଢୁଥିବା ଦେଖି ପାକିସ୍ତାନ ବର୍ତ୍ତମାନ ବହୁତ ଖୁସି ଅନୁଭବ କରୁଛି।’’
ତାଲିବାନ ପାକିସ୍ତାନର ମୋଷ୍ଟ ୱାଣ୍ଟେଡ୍ ଅପରାଧୀଙ୍କୁ ମୁକ୍ତ କରିଥିଲା
ଆଫଗାନିସ୍ତାନ ଗଣମାଧ୍ୟମ ଅନୁଯାୟୀ ତାଲିବାନ ଦ୍ୱାରା କାବୁଲ ଜେଲରୁ ମୁକ୍ତ ହୋଇଥିବା କଏଦୀମାନଙ୍କ ମଧ୍ୟରେ ତେହେରିକ-ଇ-ତାଲିବାନ ପାକିସ୍ତାନର ଡେପୁଟି ଚିଫ୍ ଫାକିର ମହମ୍ମଦ ମଧ୍ୟ ଅଛନ୍ତି। ଫାକିର ମହମ୍ମଦ ପାକିସ୍ତାନର ସବୁଠାରୁ ବଡ଼ ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ । ୨୦୧୩ ମସିହାରୁ ଫାକିର ମହମ୍ମଦ ଆଫଗାନିସ୍ତାନର ଏକ କାରାଗାରରେ ରହିଥିଲେ। ରବିବାର ଦିନ ପାକିସ୍ତାନର କେନ୍ଦ୍ର ମନ୍ତ୍ରୀ ଜରତଜ ଗୁଲେ ତାଲିବାନର ଆଫଗାନିସ୍ତାନ ଦଖଲ କରିବା ପ୍ରସଙ୍ଗରେ ଖୁସି ବ୍ୟକ୍ତ କରିବା ସହ ସ୍ୱାଧୀନତା ଦିବସରେ ଏହା ଭାରତ ପାଇଁ ଏକ ଉପହାର ବୋଲି କହିଥିଲେ ।
ତାଲିବାନ ଆତଙ୍କବାଦୀମାନେ ରାଷ୍ଟ୍ରପତି ଭବନକୁ କାବୁ କରିଛନ୍ତି
ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର କାବୁଲରେ ଅବସ୍ଥିତ ରାଷ୍ଟ୍ରିପଚି ଭବନକୁ କାବୁ କରିଛନ୍ତି। ଆଫଗାନିସ୍ତାନରେ ୨୦ ବର୍ଷ ଯୁଦ୍ଧ ପରେ ଆମେରିକା ସେନା ପ୍ରତ୍ୟାହାରର କିଛି ଦିନ ମଧ୍ୟରେ ତାଲିବାନ ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳ ଦଖଲ କରିସାରିଛି ।
Published by:Lipina Das
First published: