ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ପରଭେଜ୍‌ ମୁସାରଫଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ

ପାକିସ୍ତାନର ସେନା ମୁଖ୍ୟ ଥିବା ସମୟରେ ମୁସାରଫ ୧୯୯୯ ରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ନୱାଜ ଶରୀଫଙ୍କୁ ଗାଦିଚ଼୍ୟୁତ କରି ଶାସନ ନିଜ ହାତକୁ ନେଇଥିଲେ । ତା’ପରେ ୨୦୦୧ ରୁ ୨୦୦୭ ପର୍ଯ୍ୟନ୍ତ ସେ ପାକିସ୍ତାନର ରାଷ୍ଟ୍ରପତି ଥିଲେ । ୨୦୦୮ ରେ ସେ ଦେଶ ଛ଼ାଡ଼ି ଚ଼ାଲି ଯାଇଥିଲେ ଓ ୨୦୧୩ ରେ ଫେରିଥିଲେ ।

ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ପରଭେଜ୍‌ ମୁସାରଫଙ୍କୁ ମିଳିଲା ମୃତ୍ୟୁ ଦଣ୍ଡ
ପରଭେଜ୍‌ ମୁସାରଫ
  • News18 Odia
  • Last Updated: December 17, 2019, 10:48 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ପରଭେଜ୍‌ ମୁସାରଫଙ୍କୁ ଦେଶଦ୍ରୋହ ମାମଲାରେ ମୃତ୍ୟୁ ଦଣ୍ଡ ମିଳିଛି । ଲାହୋର ହାଇ କୋର୍ଟର ଏକ ବିଶେଷ ଖଣ୍ଡପୀଠ ଏହି ଦଣ୍ଡାଦେଶ ଶୁଣାଇଛି ।

ପାଞ୍ଚ ଜଣ ବିଚ଼ାରପତି ବିଶିଷ୍ଟ ଖଣ୍ଡପୀଠ ଏକ ସଂକ୍ଷିପ୍ତ ଆଦେଶରେ କହିଛି ଯେ ତିନି ମାସ ଧରି ସମଗ୍ର ଅଭିଯୋଗ, ରେକର୍ଡ଼, ତଥ୍ୟ ଓ ପ୍ରମାଣର ଯାଞ୍ଚ ପରେ ପାକିସ୍ତାନ ସମ୍ବିଧାନର ଅନୁଚ୍ଛେଦ ୬ ଅନୁସାରେ ମୁସାରଫଙ୍କୁ ଦେଶଦ୍ରୋହର ଦୋଷୀ ସାବ୍ୟସ୍ତ କରାଗଲା । ତାଙ୍କ ଉପରେ ସମ୍ବିଧାନ ଅବମାନନାର ଆରୋପ ବି ଲାଗିଥିଲା ।

ଖଣ୍ଡପୀଠର ପାଞ୍ଚ ଜଣ ବିଚ଼ାରପତିଙ୍କ ମଧ୍ୟରୁ ତିନି ଜଣ ମୁସାରଫଙ୍କ ବିରୁଦ୍ଧରେ ଓ ଦୁଇ ଜଣ ତାଙ୍କ ସପକ୍ଷରେ ଫଇସଲା ଶୁଣାଇ ଥିଲେ ।

ନଭେମ୍ବର ୩, ୨୦୦୭ ଦିନ ପାକିସ୍ତାନରେ ଇମର୍ଜେନ୍‌ସି ଜାରି କରିବା ମାମଲାରେ ମୁସାରଫଙ୍କ ବିରୁଦ୍ଧରେ ୨୦୧୩ ରେ ଦେଶଦ୍ରୋହର କେସ୍‌ ରୁଜୁ କରାଯାଇଥିଲେ । ୨୦୧୬ ରେ ସେ ସ୍ୱାସ୍ଥ୍ୟ ଖରାପ ରହୁଛି ବୋଲି କହି ଦେଶ ଛାଡ଼ି ବାହାରକୁ ଚ଼ାଲି ଯାଇଥିଲେ । ସେଥି ପାଇଁ ମାମଲାର ଶୁଣାଣି ବନ୍ଦ ରହିଥିଲା ।

୭୬ ବର୍ଷୀୟ ମୁସାରଫ ସେବେ ଠାରୁ ଦୁବାଇରେ ରହୁଛନ୍ତି । ହୃଦୟ ରୋଗ ଓ ରକ୍ତଚ଼ାପ ଜନିତ କଷ୍ଟ ବଢ଼ିବା ଯୋଗୁଁ ତାଙ୍କୁ ଡିସେମ୍ବର ୩ ରେ ଷ୍ଟ୍ରେଚ଼ରରେ ଏକ ଡାକ୍ତରଖାନାକୁ ନିଆଯାଇଥିଲା ।

ସ୍ବାସ୍ଥ୍ୟ ଓ ସୁରକ୍ଷାର କାରଣ ଦର୍ଶାଇ ମୁସାରଫ ଦେଶକୁ ଆସୁ ନାହାନ୍ତି । ପୂର୍ବରୁ ଏହି ମାମଲାର ବିଚାର ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଇଁ ସେ କୋର୍ଟରେ ଆବେଦନ କରିଥିଲେ, କିନ୍ତୁ ତାହା ଗ୍ରହଣୀୟ ହୋଇ ନଥିଲା ।

ଦେଶଦ୍ରୋହ ମାମଲାରେ ଗତ ନଭେମ୍ବର ୧୯ ରେ ଶୁଣାଣି ପୂରା ହୋଇଥିଲା । ଏହା ପୂର୍ବରୁ ୨୦୧୪ ରେ ଦେଶରେ ଇମର୍ଜେନ୍‌ସି ଜାରି କରିବା, ସୁପ୍ରିମ୍‌ କୋର୍ଟର ବିଚ଼ାରପତିମାନଙ୍କୁ ନଜରବନ୍ଦ କରି ରଖିବା ଓ ୧୦୦ ରୁ ଉର୍ଦ୍ଧ ବିଚ଼ାରପତିଙ୍କୁ ବରଖାସ୍ତ କରିବା ମାମଲାରେ ମୁସାରଫଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ପାକିସ୍ତାନର ସେନା ମୁଖ୍ୟ ଥିବା ସମୟରେ ମୁସାରଫ ଅକ୍ଟୋବର ୧୨, ୧୯୯୯ ରେ ତତ୍କାଳୀନ ପ୍ରଧାନ ମନ୍ତ୍ରୀ ନୱାଜ ଶରୀଫଙ୍କୁ ଗାଦିଚ଼୍ୟୁତ କରି ଶାସନ ନିଜ ହାତକୁ ନେଇଥିଲେ । ତା’ପରେ ୨୦୦୧ ରୁ ୨୦୦୭ ପର୍ଯ୍ୟନ୍ତ ସେ ପାକିସ୍ତାନର ରାଷ୍ଟ୍ରପତି ଥିଲେ । ୨୦୦୮ ରେ ସେ ଦେଶ ଛ଼ାଡ଼ି ଚ଼ାଲି ଯାଇଥିଲେ ଓ ୨୦୧୩ ରେ ଫେରିଥିଲେ ।
Published by: Anand Shankar Thankur Das
First published: December 17, 2019, 10:48 AM IST
corona virus btn
corona virus btn
Loading