ବଲୁଚିସ୍ତାନରେ ପାକିସ୍ତାନ ସେନା ହେଲିକପ୍ଟର ନିଖୋଜ
News18 Odia Digital
Pakistan Army Helicopter Missing: ପାକିସ୍ତାନ ସେନାର ଏକ ହେଲିକପ୍ଟର ନିଖୋଜ ହୋଇଯାଇଛି। ପାକିସ୍ତାନ ସେନା କହିଛି ଯେ ବଲୁଚିସ୍ତାନରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ହେଲିକପ୍ଟର ଏୟାର ଟ୍ରାଫିକ ନିୟନ୍ତ୍ରଣ ସହ ସମ୍ପର୍କ ହରାଇଛି।
ବିବୃତ୍ତିରେ ସେନା କ’ଣ କହିଲେ?
ପାକିସ୍ତାନୀ ସେନା ମୁଖପାତ୍ର କହିଛନ୍ତି ଯେ ହେଲିକପ୍ଟରରେ ୬ ଜଣ ଅଧିକାରୀଙ୍କ ସହ କମାଣ୍ଡର ୧୨ କର୍ପସ ଥିଲେ। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଦାବି କରିଛି ଯେ କର୍ପସ କମାଣ୍ଡର ଲେଫ୍ଟ ଜେନେରାଲ ସରଫରାଜ ଅଲ୍ଲି ଓ ଦୁଇ ମେଜରଙ୍କ ବ୍ୟତୀତ ପାକିସ୍ତାନ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ବ୍ରିଗେଡିୟର୍ ଅମଜାଦ ହନିଫ ସତୀ ମଧ୍ୟ ଏଥିରେ ଅଛନ୍ତି।
ପୋଲିସ ଅଧିକାରୀ ପରଭେଜ ଉମ୍ରାନି ରଏଟର୍ସ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି ଯେ ହେଲିକପ୍ଟରଟି ୬ ଘଣ୍ଟାରୁ ଅଧିକ ସମୟ ଧରି ନିଖୋଜ ଅଛି ଓ ଉଦ୍ଧାର କାର୍ଯ୍ୟ ଆରମ୍ଭରୁ ହେଲିକପ୍ଟରଟି ମିଳିନଥିଲା।
ଏହି ଘଟଣାକୁ ଚିନ୍ତାଜନକ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବନ୍ୟାରେ ବିସ୍ଥାପିତ ହୋଇଥିବା ଲୋକଙ୍କ ସହାୟତା ଅଭାବରୁ ପ୍ରାଦେଶିକ ନାଗରିକ କର୍ତ୍ତୃପକ୍ଷଙ୍କୁ ସମାଲୋଚନା କରିଛନ୍ତି। ସେ ଟ୍ବିଟ କରି କହିଛନ୍ତି ଯେ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିବା ଏହି ପୁଅମାନଙ୍କ ସୁରକ୍ଷା, ନିରାପତ୍ତା ଓ ପ୍ରତ୍ୟାବର୍ତ୍ତନ ପାଇଁ ସମଗ୍ର ଦେଶ ପ୍ରାର୍ଥନା କରୁଛି।
ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଅନୁଯାୟୀ, ପ୍ରବଳ ବର୍ଷା ପରେ ଦକ୍ଷିଣ ପାକିସ୍ତାନ ବନ୍ୟାରେ ପରିଣତ ହୋଇଛି ଯେଉଁଥିରେ ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଛି ଓ ଶହ ଶହ ଘର ନଷ୍ଟ ହୋଇଯାଇଛି। ବନ୍ୟା ଓ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ନାଗରିକ ପ୍ରଶାସନ ପାକିସ୍ତାନ ସେନା ଉପରେ ଅଧିକ ନିର୍ଭର କରେ କାରଣ ଏହା ଦେଶର ସବୁଠାରୁ ଶକ୍ତିଶାଳୀ ଅନୁଷ୍ଠାନ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।