News18 Odia Digital
Kolkata: ୨୦୨୪ ଫାଇନାଲ୍ ଫାଇଟ୍ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ବିରୋଧୀ । ଆଉ ଏହି ଅଭିଯାନକୁ ଆଗକୁ ନେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (Nitish Kumar) । କଂଗ୍ରେସ, ଆପ୍ ଓ ବାମ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା ପରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ (Mamata Banarjee)ଙ୍କୁ ଭେଟିଛନ୍ତି ନୀତୀଶ । ବିରୋଧୀ ଏକତା ଓ ୨୦୨୪ ପାଇଁ ହୋଇଛି ଆଲୋଚନା । ଦିଦି କହିଛନ୍ତି, ବିଜେପି କେବଳ ପ୍ରଚାର ପଲିଟିକ୍ସ କରୁଛି । ବିକାଶ ଏଠି ବାଟବଣା । ସମସ୍ତ ବିରୋଧୀ ଏକ ହେଲେ ବିଜେପିକୁ ମିଳିବନି ମ୍ୟାଜିକ ନମ୍ବର । ନୀତୀଶ, ମମତାଙ୍କ ସ୍ବରରେ ସ୍ବର ମିଳାଇବ ସହ ବିରୋଧୀ ଗୋଟିଏ ମଞ୍ଚରେ ଆସିବା ପାଇଁ କରିଛନ୍ତି ଅପିଲ୍ ।
ପାଟନାରୁ ଦିଲ୍ଲୀ, ମହାରାଷ୍ଟ୍ରରୁ ପଶ୍ଚିମବଙ୍ଗ, ଦାନା ବାନ୍ଧୁଛି ବିରୋଧୀ ଏକତା ଅଭିଯାନ । ପ୍ରଥମେ ଦିଲ୍ଲୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ରାହୁଲ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିବା ପରେ ଏବେ ଟିଏମସି ସୁପ୍ରିମୋଙ୍କୁ ଭେଟିଛନ୍ତି ନୀତୀଶ କୁମାର । କୋଲକାତାରେ ହୋଇଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ଭେଟଘାଟ୍ । ସାଥୀରେ ଥିଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ (Tejashwi Yadav) । ୨୦୨୪ ନିର୍ବାଚନ ପାଇଁ ହୋଇଛି ଆଲୋଚନା । କିଭଳି ସମସ୍ତ ବିରୋଧୀ ଏକ ହୋଇ ଗୋଟିଏ ମଞ୍ଚରେ ବସିବେ... କିଭଳି ସମସ୍ତଙ୍କ ସହ ଆଲୋଚନା ହେବ... କିଭଳି ବିଜେପି ବିରୋଧରେ ଲଢ଼େଇ ହେବ... ସେନେଇ ହୋଇଛି ଆଲୋଚନା । ବୈଠକ ପରେ ଦିଦି କହିଛନ୍ତି, ବିଜେପି କେବଳ ପ୍ରଚାର ରାଜନୀତିରେ ମାତିଛି । ବିକାଶ ଏଠି ବାଟବଣା, ସମସ୍ତ ବିରୋଧୀ ଗୋଟିଏ ମଞ୍ଚରେ ଆସିବା ଜରୁରୀ । ହେଲେ ଦିଲ୍ଲୀ ନୁହେଁ ପାଟନାରୁ ବିଜେପି ବିରୋଧୀ ମେଳି ହେଉ ବୋଲି ପ୍ରସ୍ତାବ ଦେଇଛି ମମତା ।
https://www.youtube.com/watch?v=vl-uURq2gZ4
କଂଗ୍ରେସ ଉପରେ ଅନେକ ପ୍ରସଙ୍ଗକୁ ନେଇ ଖୁସି ନଥିବା ମମତା ବାନାର୍ଜୀ, ଦିଲ୍ଲୀ ନୁହେଁ ପାଟନା କଥା କହି ଅଲଗା କିଛି ଇସାରା କରିଛନ୍ତି । ତେବେ କଂଗ୍ରେସ ଓ ଅନ୍ୟ ଦଳ ଦେଇଥିବା ପ୍ରସ୍ତାବ ଉପରେ ପ୍ରଥମ ପର୍ଯ୍ୟାୟରେ ଦିଦି କିଛିଟା ମୋହର ମାରିଥିବା ଜଣାପଡ଼ିଛି । ଏପରିକି ୨୦୨୪ରେ ପଶ୍ଚିମବଙ୍ଗରେ ଟିଏମସି ଓ କଂଗ୍ରେସ ଏକ ହୋଇ ଲଢ଼ିବା ନେଇ ଚର୍ଚ୍ଚା ବି ହୋଇଛି । ନୀତୀଶ କହିଛନ୍ତି, ବିଜେପି ବିକାଶ ବଦଳରେ କେବଳ ପ୍ରଚାର ରାଜନୀତି ଚଳାଇଛି । ଏଣୁ ଦେଶର ବିକାଶ ପାଇଁ ସମସ୍ତ ବିରୋଧୀ ଏକ ହେବା ଜରୁରୀ । ଆଗକୁ ଆହୁରି ଅନେକ ନେତାଙ୍କ ସହ ଆଲୋଚନା ହେବ ବୋଲି ବିହାର ମୁଖ୍ୟମନ୍ତ୍ରୀ କହିଛନ୍ତି । ମମତାଙ୍କ ପରେ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଥିଲେ ନୀତୀଶ । ଅନେକ ସମୟ ଧରି ହୋଇଥିଲା ଆଲୋଚନା । ଉତ୍ତର ପ୍ରଦେଶରେ କିଭଳି ସମସ୍ତ ବିରୋଧୀ ଗୋଟିଏ ମଞ୍ଚରେ ଆସିବେ ତାହା ଉପରେ ଜୋର୍ ଦେଇଛନ୍ତି ନେତାଏ । ସେପଟେ ବିଜେପି କିନ୍ତୁ କହି ଚାଲିଛି, ସମସ୍ତ ଭ୍ରଷ୍ଟାଚାରୀ ଦଳ ଏକ ହେଉଛନ୍ତି, ଦେଶବାସୀ କେବେ ବି ଏମାନଙ୍କୁ ଗ୍ରହଣ କରିବେ ନାହିଁ ।
ବିରୋଧୀ ଏକତା ଅଭିଯାନର ନେତୃତ୍ବ ନେଉଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏଥିପାଇଁ ଅନେକ ନେତାଙ୍କ ସହ ଆଲୋଚନା ଶେଷ ହୋଇଥିବା ବେଳେ ଆଗକୁ କଣ ରହୁଛି ବିରୋଧୀଙ୍କ ରଣନୀତି ତାହା ଉପରେ ରହିଛି ସମସ୍ତଙ୍କ ନଜର ।
ରିପୋର୍ଟ- ଅମରେଶ ରାଉତ
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।