News 18 Odia Digital
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ (pm modiji) ଚିଠି ଲେଖିଲେ ବିରୋଧୀ ନେତା । ୯ ରାଜନୈତିକ ଦଳର ମୁଖ୍ୟ ନେତା ମୋଦିଙ୍କୁ ଚିଠି ଲେଖି ଆଣିଛନ୍ତି ବଡ଼ ଅଭିଯୋଗ । କହିଛନ୍ତି, କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁରୁପଯୋଗ କରାଯାଉଛି । ଯେଉଁ ନେତାଙ୍କ ବିରୋଧରେ ସିବିଆଇ ଓ ଇଡି (cbi and ed) କାର୍ଯ୍ୟାନୁଷ୍ଠାନ ନେଉଛି, ସେମାନଙ୍କ ମଧ୍ୟରେ ରହିଛନ୍ତି ୯୫ ପ୍ରତିଶତ କେବଳ ବିରୋଧୀ ଦଳର ନେତା । ହେଲେ ବିଜେପିରେ (bjp) ସାମିଲ୍ ହେଉଥିବା ନେତାଙ୍କ ବିରୋଧରେ ତଦନ୍ତ ଧିମେଇ ଯାଉଛି । ବିରୋଧୀଙ୍କ ଏହି ଚିଠିରେ ନାହିଁ କଂଗ୍ରେସର (congress) ଦସ୍ତଖତ । ସେପଟେ ବିଜେପି କହିଛି, ବିରୋଧୀ ସବୁବେଳେ ଦୁର୍ନୀତିକୁ ଆଶ୍ରୟ ଦେଇ ଆସୁଛନ୍ତି । ଏବେ ବି ସେମାନେ ଏହା ହିଁ କରୁଛନ୍ତି ।
ଆମ୍ ଆଦମି ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ବାନ୍ଧିଲା ସିବିଆଇ । ପୂର୍ବରୁ ଗିରଫ ହୋଇ ଜେଲରେ ଅଛନ୍ତି ଆପର ଅନ୍ୟତମ ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ଆରଜେଡି ନେତା ତଥା ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ହେଉଛି ସିବିଆଇ ସମନ୍ । କୋଇଲା ଦୁର୍ନୀତି ମାମଲାରେ ସିବିଆଇ ସ୍କାନରରେ ଟିଏମସି ନେତା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ । ତିନି ମାସରୁ ଅଧିକ ସମୟ ଧରି ଜେଲରୁ ରହିବା ପରେ ମୁକୁଳିଛନ୍ତି ( ଉଦ୍ଧବ ବାଲାସାହେବ ଠାକେର) ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ । ଏବେ ବି ସିବିଆଇ ଓ ଇଡି ସ୍କାନରରେ ବିରୋଧୀ ଶିବିରର ଅନେକ ବଡ଼ ବଡ଼ ଚେହେରା । ବିଭିନ୍ନ ମାମଲାରେ ଛନ୍ଦି ହୋଇଥିବା ବିରୋଧୀ ନେତା ଏବେ ସିବିଆଇ ଓ ଇଡି ପଞ୍ଝାରେ । ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ୯ ରାଜନୈତିକ ଦଳ । ଚିଠିରେ ଲେଖାଯାଇଛି, ଆମେ ଆଶା ରଖୁଛୁ ଆପଣ ଏଥିରେ ସହମତି ପ୍ରକାଶ କରିବେ ଭାରତ ଏବେ ବି ଏକ ଲୋକତନ୍ତ୍ର ଦେଶ । ହେଲେ ଏହି ଦେଶରେ ଏବେ ବିରୋଧୀଙ୍କୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜରିଆରେ ଗିରଫ କରାଯାଇଛି । ୨୦୧୪ ପରେ ବିଭିନ୍ନ ସଂସ୍ଥାର ଦୁରୁପଯୋଗ ହେଉଛି । ଗିରଫ କରାଯିବା ସହ ରେଡ୍ ବି ହେଉଛି, ଯାହା ଦୁର୍ଭାଗ୍ୟଜନକ ।
ବିଜେପିରେ ସାମିଲ୍ ହେଉଥିବା ବିରୋଧୀ ନେତାଙ୍କ ବିରୋଧରେ ତଦନ୍ତ ଧିମା ହେଉଥିବା ଅଭିଯୋଗ ଆଣିଛନ୍ତି ବିରୋଧୀ । ଏଥିରେ ରହିଛି କଂଗ୍ରେସରୁ ବିଜେପିରେ ସାମିଲ୍ ହୋଇଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ, ମୁକୂଳ ରୟଙ୍କ ଭଳି ନେତାଙ୍କ ନାମ । ତେବେ ନିର୍ବାଚନ ସମୟରେ ଗିରଫ ହୋଇଛନ୍ତି ଲାଲୁ ପ୍ରସାଦ ଯାଦବ, ଆଜମ ଖାନ୍, ନବାବ ମଲ୍ଲିକ, ଅନୀଲ ଦେଶମୁଖ । ବିରୋଧୀଙ୍କ ଏଭଳି ଆଭିମୁଖ୍ୟକୁ କାଉଣ୍ଟର୍ କରିଛି ବିଜେପି । ୨୦୧୪ ପୂର୍ବରୁ କିଭଳି ଥିଲା ବିରୋଧୀଙ୍କ ଆଭିମୁଖ୍ୟ ତାହା ମନେ ପକାଇ ଦେଇଛନ୍ତି ଦଳୀୟ ନେତା ।
ବିରୋଧୀ ଶିବିରର ବଡ଼ ବଡ଼଼ ହସ୍ତୀଙ୍କ ଦସ୍ତଖତ ଥିବା ଚିଠିରେ ନାହିଁ କଂଗ୍ରେସର ନାଁ । ଏହି ଚିଠିକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି ଦଳର ବରିଷ୍ଠ ନେତା ସନ୍ଦୀପ ଦିକ୍ଷିତ । କହିଛନ୍ତି, ଦିଲ୍ଲୀ ଅବକାରୀ ଦୁର୍ନୀତିରେ ସିସୋଦିଆ ଗିରଫ ହେବା ପରେ କେଜ୍ରିଓ୍ବାଲ ଏବେ ଆଗକୁ ଆସୁଛନ୍ତି, ଏହି ଦୁର୍ନୀତିରେ ରହିଛି କେସିଆରଙ୍କ ଝିଅ କେ କବିତାଙ୍କ ସଂପୃକ୍ତି ।
ଏହି ଖବର ପଢ଼ନ୍ତୁ -
http://ଏଥର ରାଜ୍ୟରେ ଅନୁଭୂତ ହେବ ହିଟ୍ ୱେଭ ! ସତର୍କ କଲେ କୃଷି ପାଣିପାଗ ବିଜ୍ଞାନୀବିରୋଧୀ ଶିବିରର ଏହି ଚିଠିରେ ରହିଛି BRS ମୁଖ୍ୟ କେସିଆରଙ୍କ ସହ ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ ଅବଦ୍ଦୁଲା, ଟିଏମସି ସୁପ୍ରିମୋ ମମତା ବାନାର୍ଜୀ, ଏନସିପି ମୁଖ୍ୟ ଶରଦ ପାଓ୍ବାର, ଉଦ୍ଧବ ଠାକରେ, ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ, ପଞ୍ଜାବ ସିଏମ୍ ଭଗଓ୍ବନ୍ତ ମାନ୍, ଆରଜେଡି ନେତା ତେଜସ୍ବୀ ଯାଦବ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଦସ୍ତଖତ । ହେଲେ ମୁଖ୍ୟ ବିରୋଧୀ କୁହାଯାଉଥିବା କଂଗ୍ରେସ ଏଥିରେ ସାମିଲ୍ ହୋଇନଥିବାରୁ ବିରୋଧୀ ଏକତା ନେଇ ଉଠିଛି ପ୍ରଶ୍ନ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।