News18 Odia Digital
Karnataka Cabinet: ଆଜି କର୍ଣ୍ଣାଟକରେ ସରକାର ଗଢ଼ିବ କଂଗ୍ରେସ। ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା ଓ ଡିକେ ଶିବକୁମାର । ଶପଥ ଗ୍ରହଣ ଉତ୍ସବ ପାଇଁ ବେଙ୍ଗାଲୁରୁ ଶ୍ରୀ କାନ୍ତିରବା ଷ୍ଟାଡିୟମରେ ସମସ୍ତ ପ୍ରସ୍ତୁତି ସରିଛି ।
ଆଜି ଦିନ ସାଢେ ୧୨ଟାରେ ସିଦ୍ଧରମୈୟା ଓ ଶିବକୁମାର ଶପଥ ଗ୍ରହଣ କରିବେ । ସିଦ୍ଧରମୈୟା ଦ୍ୱିତୀୟ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଦଳ ବର୍ତ୍ତମାନ ସରକାର ଗଠନରେ ବିଳମ୍ବ କରିବାକୁ ଚାହୁଁନି । ତେବେ ଏମାନଙ୍କ ସହ ଅନ୍ୟ ୨୮ ଜଣ ମନ୍ତ୍ରୀ ଶପଥ ପାଠ କରି ପାରନ୍ତି ବୋଲି ଖବର ରହିଛି । ଏହି ତାଲିକା ଚୂଡାନ୍ତ ହୋଇଛି ଓ ହାଇ କମାଣ୍ଡ ଦ୍ୱାରା ଅନୁମୋଦିତ ହେବ । ପରବର୍ତ୍ତୀ ଆବେଦନ ପାଇଁ ପ୍ରାୟ ଚାରିଜଣ କ୍ୟାବିନେଟ ମନ୍ତ୍ରୀ ପଦ ଖାଲି ରଖିପାରିବେ। କଂଗ୍ରେସ ଗୁରୁବାର ସିଦ୍ଧରମୈୟାଙ୍କୁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତଥା ଦଳର ରାଜ୍ୟ ସଭାପତି ଡି.କେ ଶିବକୁମାରଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଥିଲା। ଏହା ପରେ ସିଦ୍ଧରମୈୟା ରାଜ୍ୟପାଳ ଥାୱରଚାନ୍ଦ ଗେହଲୋଟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ।
ଉତ୍ସବରେ ସାମିଲ ହେବେ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଅଧ୍ୟକ୍ଷ ଶରଦ ପାଓ୍ଵାର, ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ, ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍ତି, ବାମ ଦଳର ଡି ରାଜା ଓ ସୀତାରାମ ୟେଚୁରୀଙ୍କୁ ନିମନ୍ତ୍ରଣ କରାଯାଇଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ଯ ନିମନ୍ତ୍ରଣ ହୋଇଥିଲେ ମଧ୍ଯ ନବୀନ ଉପସ୍ଥିତ ହେବେ ନାହିଁ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇ ନାହିଁ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବି ନିମନ୍ତ୍ରିତ ହୋଇ ନାହାନ୍ତି । ମମତା ବାନାର୍ଜୀ ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଆସୁ ନାହାନ୍ତି । ତାଙ୍କୁ ନିମନ୍ତ୍ରଣ ଥିଲେ ବି ପୂର୍ବରୁ ଧାର୍ଯ୍ୟ ହୋଇଥିବା ଅନ୍ୟ କାର୍ଯ୍ୟ ପାଇଁ ଆସୁନଥିବା କହିଛନ୍ତି । ନିଜର ପ୍ରତିନିଧି ଭାବେ କାକଲି ଘୋଷଙ୍କୁ ପଠାଇବେ ଦିଦି । କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ଵାଇଏସ ଜଗନମୋହନ ରେଡ୍ଡୀ, ବହୁଜନ ସମାଜ ପାର୍ଟି ମାୟାବତୀଙ୍କ ନାଁ ଅତିଥି ତାଲିକାରୁ ବାଦ ପଡ଼ିଛି।
କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ ୧୩ ମଇରେ ପ୍ରକାଶ ପାଇଥିଲା । ଗତକାଲି ଶୁକ୍ରବାର ଦିନ ସିଦ୍ଧରମୈୟାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି । ଏହା ସହିତ ଡି.କେ ଶିବ କୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ରୂପେ ଘୋଷଣା କରାଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।