News18 Odia Digital
ବେଜିଂ : ତାଇୱାନ (Taiwan) ପ୍ରସଙ୍ଗରେ ଚୀନ୍ (China) ଓ ଆମେରିକା (US) ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି । ୪୧ ବର୍ଷ ପରେ ଆମେରିକୀୟ ନେତାଙ୍କ ଏକ ଦଳର ତାଇୱାନ ଗସ୍ତ କରିବାକୁ ନେଇ ଚୀନ୍ ଦୃଢ଼ ବିରୋଧ କରିଛି । ଚୀନ୍ ଏହାକୁ ବିଶ୍ୱାସଘାତକତା କହିବା ସହ ଆମେରିକାକୁ ନିଜ ସୀମା ଭିତରେ ରହିବା ଉଚିତ୍ ବୋଲି କହିଛି। ଚୀନ୍ ଚେତାବନୀ ଦେଇ କହିଛି ଯେ ଆମେରିକା ନିଆଁ ସହ ଖେଳୁଛି ଓ ଯଦି ଏହା ଜାରି ରଖେ ତେବେ ସବୁକିଛି ଜଳିଯିବ।
ତାଇୱାନରେ ପହଞ୍ଚିଥିବା ଆମେରିକାର ସ୍ୱାସ୍ଥ୍ୟମନ୍ତ୍ରୀ ଏଲେକ୍ସ ଜାର ତାଇୱାନର ପୂର୍ବତନ ରାଷ୍ଟ୍ରପତି ଲି ତେଙ୍ଗ ହୁଇଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜାନ୍ ଏହାକୁ ନେଇ କହିଛନ୍ତି ଯେ ଚୀନ୍ର ମୌଳିକ ସ୍ୱାର୍ଥକୁ ପ୍ରଭାବିତ କରିବା ଉପରେ ଆମେରିକା କୌଣସି ଦ୍ୱନ୍ଦ୍ୱରେ ରହିବା ଉଚିତ୍ ନୁହେଁ। ଦୃଢ଼ ଶବ୍ଦ ବ୍ୟବହାର କରି ସେ କହିଛନ୍ତି ଯେ ଯେଉଁମାନେ ନିଆଁ ସହିତ ଖେଳୁଛନ୍ତି ସେମାନେ ଏଥିରେ ଜଳିଯିବେ। ଏଥି ସହିତ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାଇୱାନକୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନେ ବିଦେଶୀ ମାନଙ୍କ ଅଧୀନତାକୁ ଗ୍ରହଣ କରିବା ଉଚିତ୍ ନୁହେଁ କିମ୍ବା ବିଦେଶୀମାନଙ୍କ ସାହାଯ୍ୟ ଉପରେ ବିଶ୍ୱାସ କରିବା ଉଚିତ୍ ନୁହେଁ। ତାଇୱାନ ଚୀନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଯଦି ସେ ନଜକୁ ସ୍ୱାଧୀନ ବୋଲି ଘୋଷଣା କରେ ତେବେ ତାଙ୍କୁ ସାମରିକ ଜବାବ ଦିଆଯିବ ।
ତାଇୱାନକୁ ସାମରିକ କାର୍ଯ୍ୟାନୁଷ୍ଠାନ ବିଷୟରେ ଚେତାବନୀ ଦେଇ ପିପୁଲ୍ସ ଲିବରେସନ୍ ଆର୍ମି ସିନିୟର କର୍ଣ୍ଣେଲ ରେନ୍ ଗୁଆକିଆଙ୍ଗ କହିଛନ୍ତି ଯେ ତାଇୱାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବ୍ୟତୀତ ଆମର ଅନ୍ୟ କୌଣସି ଉପାୟ ନାହିଁ। ସେ ଟ୍ରମ୍ପ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ ତାଇୱାନକୁ ଆମେରିକା ସେନା ପଠାଇବା ଚୀନ୍ ପାଇଁ ଏକ ଆହ୍ୱାନ। ଚୀନ୍ କର୍ଣ୍ଣେଲ କହିଛନ୍ତି ଯେ ଆମେରିକାର ଏହି ନିଷ୍ପତ୍ତି ଦୁଇ ଦେଶ ସମ୍ପର୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ। ଆମେରିକା ତୁରନ୍ତ ନିଜର ଭୁଲକୁ ସ୍ୱୀକାର କରିବା ଓ ତାଇୱାନ ସହିତ କୌଣସି ସରକାରୀ ତଥା ସାମରିକ ସମ୍ପର୍କକୁ ରୋକିବା ସେ କହିଛନ୍ତି।
ତାଇୱାନର ସ୍ୱାଧୀନତାକୁ ରୋକିବା ପାଇଁ ଆମର ଦୃଢ଼ ଇଚ୍ଛାଶକ୍ତି, ପୂର୍ଣ୍ଣ ଆତ୍ମବିଶ୍ୱାସ ଓ ଯଥେଷ୍ଟ କ୍ଷମତା ଅଛି ବୋଲି କର୍ଣ୍ଣେଲ ଚେତାବନୀ ଦେଇଛନ୍ତି। ସେ ଆଉ ମଧ୍ୟ କହିଛନ୍ତି ଆମେ ଜାତୀୟ ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ପୂର୍ଣ୍ଣରୂପେ ସୁରକ୍ଷା ଦେବୁ। ଏଥିପାଇଁ ଆମେ ତାଇୱାନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେବୁ ନାହିଁ।
ଏହା ବି ପଢ଼ନ୍ତୁ | ଆମେରିକାରେ ୪ କୋଟି ଟଙ୍କାର ବୃତ୍ତି ପାଇ ପଢ଼ୁଥିବା ଭାରତୀୟ ଛାତ୍ରୀ ସଡ଼କ ଦୁର୍ଘଟଣାରେ ମୃତ ଏହା ବି ପଢ଼ନ୍ତୁ | Watch: କୁନି ଶିଶୁ ‘ଖଇକେ ପାନ୍ ବନାରସ୍ ୱାଲା’ ଗୀତରେ ନାଚିଲା; ବିଗ୍ ବି ଭିଡିଓ ସେୟାର କଲେ କମଳା ହାରିସଙ୍କ ପ୍ରାର୍ଥୀତ୍ୱ ବିଷୟରେ ଚୀନ୍ କ’ଣ କହିଲା ? ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜାନ୍ ବେଜିଂରେ କହିଛନ୍ତି ଯେ କମଲା ହାରିସଙ୍କ ପ୍ରାର୍ଥୀତ୍ୱ ହେଉଛି ଆମେରିକାର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ ଓ ଏଥିରେ ହସ୍ତକ୍ଷେପ କରିବାକୁ ଆମର ଆଗ୍ରହ ନାହିଁ। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ କୌଣସି ମନ୍ତବ୍ୟ ଦେଇ ନଥିବା ଜଣାପଡ଼ିଛି କାରଣ ଚୀନ୍ ଆମେରିକାର ନିର୍ବାଚନକୁ ପ୍ରଭାବିତ କରୁଥିବା ପୂର୍ବରୁ ଅଭିଯୋଗ ହୋଇ ଆସିଛି ।
ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଜନ୍ ବୋଲ୍ଟନ୍ ତାଙ୍କ ପୁସ୍ତକରେ ଦାବି କରିଛନ୍ତି ଯେ ଆଗାମୀ ନିର୍ବାଚନରେ ରାଷ୍ଟ୍ରପତି ଟ୍ରମ୍ପ ଚୀନ୍କୁ ସାହାଯ୍ୟ ମାଗିଛନ୍ତି। ଏଥି ସହିତ ଆମେରିକାର ଗୁପ୍ତଚର ଏଜେନ୍ସିମାନେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଚୀନ୍ର ହସ୍ତକ୍ଷେପ ସମ୍ପର୍କରେ ଚେତାବନୀ ଦେଇଛନ୍ତି ।
Published by: Jagdish Barik
First published: August 13, 2020, 12:12 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।