News 18 Odia Digital
ନୂଆଦିଲ୍ଲୀ; ନେପାଳ ବିମାନ ଦୁର୍ଘଟଣାର ଖବର ଆଜି ସାରା ବିଶ୍ୱକୁ ଥରାଇଦେଇଛି । ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ସେମଧ୍ୟରେ ଥିଲେ ନେପାଳର ଲୋକପ୍ରିୟ କଣ୍ଠଶିଳ୍ପୀ ( Famous singer ) ନୀରା ଛନତ୍ୟାଲ ( Nira chhantyal )। ଏକ ସଂଗୀତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ ନୀରା ।
ନୀରା ଅନେକ ନେପାଳୀ ସିନେମା ଏବଂ ଆଲବମରେ କଣ୍ଠଦାନ କରିଥିଲେ । ନେପାଳର ସଂଗୀତ ଜଗତ ପାଇଁ ଏହା ଏକ ବଡ଼ କ୍ଷତି ବୋଲି ସହକଳାକାର ଓ ନୀରାଙ୍କ ଫ୍ୟାନମାନେ କହିଛନ୍ତି ।
ସୂଚନାଯୋଗ୍ୟ, ଆଜି ଥିଲା ଏକ ବଡ଼ ଦୁର୍ଘଟଣାର ଦିନ । ଯାତ୍ରୀବାହୀ ବିମାନ ( Flight ) ଏଟିଆର ୭୨ ମାତ୍ର ୧୦ ସେକେଣ୍ଡରେ ଅବତରଣ କରିଥାନ୍ତା । ଯାତ୍ରୀମାନେ ବିମାନରୁ ଓହ୍ଲାଇ ନିଜ ଗନ୍ତବ୍ୟ ସ୍ଥଳକୁ ବାହାରିଥାନ୍ତେ । କିନ୍ତୁ କିଛି ସମୟ ମଧ୍ୟରେ ସବୁକିଛି ଛାରଖାର ହୋଇଗଲା । ଉକ୍ତ ବିମାନର ସମସ୍ତ ଯାତ୍ରୀଙ୍କର ଦେହାନ୍ତ ହୋଇଛି । କାଠମାଣ୍ଡରୁ ( Kathamandu ) ଉଡାଣ ଭରି ପୋଖରାରେ ପହଞ୍ଚୁଥିଲା ବିମାନ କିନ୍ତୁ ନିମିଷକ ମଧ୍ୟରେ ବିମାନଟି ଏକ ନଦୀକୂଳ ନିକଟରେ ପଡିଯାଇଥିଲା ।
ଦୁର୍ଘଟଣା ଘଟିବା ପରେ ବିମାନଟି ହୁତୁହୁତୁ ହୋଇ ଜଳିବାକୁ ଆରମ୍ଭ କରିଥିଲା । ସ୍ଥାନୀୟ ଅଗ୍ନୀଶମ ବିଭାଗ ଏବଂ ରେସ୍କ୍ୟୁ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ କେହି ବଞ୍ଚିନଥିଲେ । ବିମାନରେ ଦେଶ ବିଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ଯାତ୍ରୀ ଥିଲେ । ବିମାନ ଦୁର୍ଘଟଣା ଖବର ପ୍ରଚାରିତ ହେବାପରେ ସମସ୍ତଙ୍କ ପରିବାରରେ ଶୋକ ଖେଳିଯାଇଛି । ତେବେ ବିମାନରେ କିଛି ତୃଟି ରହିଥିବା ଏୟାରଲାଇନର ଅଧିକାରୀ କହିଥିବାବେଳେ ଏନେଇ ଅଧିକ ତଦନ୍ତ ଚଳାଇଛନ୍ତି କର୍ତ୍ତୃପକ୍ଷ ।
ଖବର ଅନୁଯାୟୀ, ଦୁର୍ଘଟଣା ପରେ ପ୍ରତ୍ୟକ୍ଷଦର୍ଶୀମାନେ ଧୂଆଁ ବାହାରୁଥିବାର ଦେଖିଲେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ସାମ୍ନାକୁ ଆସିଛି। କାଠମାଣ୍ଡୁରେ ପାଗ ଖରାପ ଥିଲା ଏବଂ ୟେଟି ଏୟାରଲାଇନ୍ସର ATR-72 ବିମାନ ଠିକ୍ ସମୟରେ ଉଡାଣ ଭରିଥିଲା। କ୍ୟାପଟେନ କମଲ କେସି ଏହି ବିମାନ ଚଳାଉଥିଲେ। ୟେଟି ଏୟାରଲାଇନ୍ସର ମୁଖପାତ୍ର ସୁଦର୍ଶନ ବାର୍ଟାଲା କହିଛନ୍ତି ଯେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରାଯାଉଛି। ଏହା ସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରୀ ରହିଛି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।