ଆଜି ଓଡ଼ିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପାର୍ଥିନୀ ଦ୍ରୌପଦୀ ମୁର୍ମୁ ।
News18 Odia Digital
ଭୁବନେଶ୍ୱର : ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ ଓ ସାଂସଦମାନଙ୍କୁ ଭେଟି ସମର୍ଥନ ଲୋଡ଼ିବେ । ନିର୍ବାଚନ ପୂର୍ବରୁ ତାଙ୍କର ଓଡ଼ିଶା ଗସ୍ତକୁ ସ୍ମରଣୀୟ କରିବାକୁ ବିଜେଡି ଓ ବିଜେପି ତରଫରୁ ସମସ୍ତ ପ୍ରସ୍ତୁତି ହୋଇଛି । ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି କରାଯାଇଛି । ଓଡ଼ିଶାର ପାରମ୍ପାରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ସହ ଶୋଭାଯାତ୍ରାରେ ରାଜ୍ୟ ଅତିଥି ଭବନ ପର୍ଯ୍ୟନ୍ତ ଆଣିବା ପାଇଁ ବ୍ୟବସ୍ଥା ହୋଇଛି ।
ଶ୍ରୀମତୀ ମୁର୍ମୁ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ବିଧାନସଭାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେଡି ସାଂସଦ ଓ ବିଧାୟକ/ବିଧାୟିକାମାନଙ୍କୁ ଭେଟି ସମର୍ଥନ ଲୋଡ଼ିବେ । ଦ୍ରୌପଦୀଙ୍କ ସମର୍ଥନରେ ବିଜେଡି ପକ୍ଷରୁ ଶୁକ୍ରବାର ୧୦ଟା ୩୦ରେ ବିଧାନସଭା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ବୈଠକ ଡକାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଦଳର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦ, ବିଧାୟକ, ବିଧାୟିକାମାନେ ଯୋଗଦେବେ । ଏହି ବୈଠକରେ ପ୍ରଥମେ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ମୁର୍ମୁଙ୍କୁ ସମ୍ବର୍ଦ୍ଧନା ଦେବେ। ଏହା ପରେ ରାଜ୍ୟ ଅତିଥି ଭବନରେ ବିଜେପିର ସାଂସଦ ଓ ବିଧାୟକ/ବିଧାୟିକାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ତେବେ କୌଣସି କଂଗ୍ରେସ ସାଂସଦ କି ବିଧାୟକ ଦ୍ରୌପଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ନାହିଁ । ଅତିଥି ଭବନରେ ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ୧ଟା ୩୦ ସୁଦ୍ଧା ଭୁବନେଶ୍ୱର ଛାଡ଼ିବେ ଶ୍ରୀମତୀ ମୁର୍ମୁ ।
ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ସମର୍ଥନ ଘୋଷଣା କରି ସାରିଛି ବିଜେଡି । ଏହା ସହିତ ଓଡ଼ିଆ ଓ ଆଦିବାସୀ ଝିଅ ଭାବେ ବିଜେଡି ସମର୍ଥନ ଜ୍ଞାପନ କରି ଅନ୍ୟଦଳକୁ ସମର୍ଥନ କରିବାକୁ ଅପିଲ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କଂଗ୍ରେସ ଦଳୀୟ ପାର୍ଥୀଙ୍କ ସହ ଯିବାକୁ ସ୍ଥିର କରିଥିବା ବେଳେ ପୁନର୍ବାର ସମାନ କଥା ଦୋହରାଇଛି । ବିଜେପି ପୂର୍ଣ୍ଣ ସମର୍ଥନ କରି କହିଛି ଦ୍ରୌପଦୀ ମୁର୍ମୁ ପାର୍ଥି ହେବା ପରେ ସମର୍ଥନ ବଢୁଛି। ପ୍ରାୟ ୭୦ ପ୍ରତିଶତ ଭୋଟ ହାତେଇବା ନେଇ ବିଜେପି ଦୃଢୋକ୍ତି କରିଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।