ଓଡ଼ିଶା ଭବନ ସମ୍ପ୍ରସାରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- News18 Odia
- Last Updated :
- New Delhi, India
News 18 Odia Digital
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇସ୍ଥିତ ଓଡ଼ିଶା ଭବନର ସଂପ୍ରସାରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ କାର୍ଯ୍ୟରେ ମୁମ୍ବାଇ ଆସୁଥିବା ସରକାରୀ ଅଧିକାରୀ ଓ ଜନସାଧାରଣଙ୍କୁ ମୁମ୍ବାଇ ଭଳି ମେଟ୍ରୋ ସହରରେ ସୁଲଭ ମୂଲ୍ୟରେ ରହଣି ଯୋଗାଇଦେବା ଉଦ୍ଦେଶ୍ୟରେ ଓଡ଼ିଶା ଭବନ, ମୁମ୍ବାଇ କାର୍ଯ୍ୟକରୁଅଛି । ଏହି ଭବନରେ ୨୮ ଗୋଟି ଏସି ରୁମ ଓ ୪ ଟି ଏସି ଡର୍ମିଟୋରୀ ରହିଛି । ଏହି ସବୁ ରୁମ ମଧ୍ୟରୁ ୧୬ ଗୋଟି ୨ ଶଯ୍ୟା ବିଶିଷ୍ଟ ଏସି ରୁମ ଓ ୨ ଟି ଏସି ଡର୍ମିଟୋରୀ ମୁମ୍ବାଇରେ କ୍ୟାନ୍ସର ଭଳି ଦୂରାରୋଗ୍ୟ ବ୍ୟାଧିର ଚିକିତ୍ସା ନିମନ୍ତେ ଆସୁଥିବା ଓଡ଼ିଆ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ରହିଛି ।
ସରକାରଙ୍କ ତରଫରୁ ରିହାତି ମୂଲ୍ୟରେ ଯୋଗାଇ ଦିଆଯାଉଥିବା ଏହି ରହଣି ସୁବିଧା ଦ୍ୱାରା ଓଡ଼ିଶାର ଆର୍ଥିକ ଦୁର୍ବଳ ଶ୍ରେଣୀର ରୋଗୀମାନେ ବିଶେଷଭାବେ ଉପକୃତ ହୋଇ ଆସୁଛନ୍ତି। ତେବେ ମୁମ୍ବାଇ ଓଡ଼ିଶା ଭବନରେ ରୋଗୀମାନଙ୍କ ପାଇଁ ଅଧିକ ରୁମର ବ୍ୟବସ୍ଥା କରିବାକୁ ଓଡ଼ିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡ଼ିଆ ସଂଗଠନ ତରଫରୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା । ସେମାନଙ୍କର ଦାବୀକୁ ସମ୍ମାନ ଜଣାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।
ଏହି ଅବସରରେ ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି. କେ. ପାଣ୍ଡିଆନ, ନିର୍ମାଣ ବିଭାଗ ଓ ଇଡ୍କୋର ଅଧିକାରୀ ବୃନ୍ଦ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡ଼ିଆ ସଂଗଠନର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଓଡ଼ିଶା ଭବନ, ମୁମ୍ବାଇର ଏହି ସଂପ୍ରସାରଣ ପୂର୍ଣ୍ଣ ହେଲେ ମୁମ୍ବାଇ ଭଳି ବ୍ୟୟବହୁଳ ସହରରେ ଅଧିକ କ୍ୟାନ୍ସର ପୀଡିତଙ୍କୁ ସ୍ୱଳ୍ପ ମୂଲ୍ୟରେ ରହଣି ଯୋଗାଇଦିଆଯାଇ ପାରିବ। ଏଥି ନିମନ୍ତେ ଓଡ଼ିଶାର ଜନସାଧାରଣ ତଥା ମୁମ୍ବାଇସ୍ଥିତ ବିଭିନ୍ନ ଓଡ଼ିଆ ସଂଗଠନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।