News 18 Odia Digital
ମହାରାଷ୍ଟ୍ର; ନାଗପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ପିତାମାତା ସେମାନଙ୍କର ୫ ବର୍ଷର ଝିଅକୁ ହତ୍ୟା କରିଛନ୍ତି । ଘଟଣା ପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ଦମ୍ପତିଙ୍କୁ ଗିରଫ କରିଛି । ପୋଲିସର ସୂଚନାନୁସାରେ, ଏହା ଗୁଣିଗାରେଡି ଓ ଅନ୍ଧବିଶ୍ୱାସ ଯୋଗୁଁ ଘଟିଛି । ଝିଅଟିର ବାହୁ ଏବଂ ଗୋଡ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା ଏବଂ ତାର ଶରୀରରେ ଆଘାତ ଚିହ୍ନ ରହିଥିଲା ।
ମାମଲାର ପ୍ରାରମ୍ଭିକ ଅନୁସନ୍ଧାନ ପରେ ପୋଲିସ କହିଛି ଯେ ଏକ ଦୁଷ୍ଟାତ୍ମା ଶରୀରରେ ପ୍ରବେଶ କରିଥିବା ସନ୍ଦେହରେ ଅଭିଭାବକ ପ୍ରଥମେ କାହାର ନିର୍ଦ୍ଦେଶରେ ଝିଅର ହାତ ଓ ଗୋଡ଼ ବାନ୍ଧିଥିଲେ । ତା’ପରେ ଦୁହେଁ ଏକାଠି ତାଙ୍କୁ ବହୁତ ପିଟିଲେ । ଯେତେବେଳେ ପିଲାଟି ହଲଚଲ ହେଲାନାହିଁ , ସେତେବେଳେ ବାପା ତାକୁ ଡାକ୍ତରଖାନା ନେଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଶରୀରରେ ଆଘାତ ଚିହ୍ନ ଦେଖି କେବଳ ଡାକ୍ତରମାନେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ପ୍ରଥମେ ବାପା, ପରେ ମା ଏବଂ ଅନ୍ୟ ଜଣକୁ ଗିରଫ କରିଥିଲା ।
ନାଗପୁର ସହରର ରାଣା ପ୍ରତାପ ନଗର ପୋଲିସ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଛି । ସେଠାରେ ରହୁଥିବା ସିଦ୍ଧାର୍ଥ ଚିମାନେ ଓ ରଞ୍ଜନା ଚିମାନେଙ୍କ ୫ ବର୍ଷର ଝିଅ କିଛି ଦିନ ଧରି ଅସୁସ୍ଥ ଥିଲା । ପିତାମାତା ଝିଅର ଚିକିତ୍ସା କରିଥିଲେ କିନ୍ତୁ କୌଣସି ପାର୍ଥକ୍ୟ ଦେଖାଯାଇନଥିଲା । କେହି ଜଣେ ତାଙ୍କୁ କହିଥିଲେ ଯେ ତାଙ୍କ ଝିଅ ଏକ ମନ୍ଦ ଆତ୍ମାର ଶିକାର ହୋଇଛି । ସିଦ୍ଧାର୍ଥ ଏବଂ ରଞ୍ଜନା ନିଜ ଝିଅଠାରୁ ମନ୍ଦ ଆତ୍ମାକୁ ତଡ଼ିଦେବା ପାଇଁ ଝଡାଫୁଙ୍କା କରିଥିଲେ । ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ ପିତାମାତା ଝିଅକୁ ବାନ୍ଧି ଏକ ବେଲ୍ଟରେ ପିଟିଥିଲେ । ସେ ଏହି ମାଡ଼ ଟକା ସହି ନପାରି ପ୍ରାଣ ତ୍ୟାଗ କରିଦେଲା ।
ନାଗପୁର ନଗର ପୋଲିସ କ୍ରାଇମ ବ୍ରାଞ୍ଚ ଡିସିପି ଚିନ୍ମୟ ପଣ୍ଡିତଙ୍କ ଅନୁଯାୟୀ ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଥିଲା । ନିରୀହ ଝିଅଟିକୁ ମାଡ ମାରିବାର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ଭିଡିଓରେ ସିଦ୍ଧାର୍ଥ ଏବଂ ତାଙ୍କ ପତ୍ନୀ ରଂଜନ ନିଜ ଝିଅକୁ ଅତି ନିର୍ମମ ଭାବେ ପିଟିଥିବା ନଜର ଆସିଛନ୍ତି । ଡିସିପିଙ୍କ ଅନୁଯାୟୀ ସିଦ୍ଧାର୍ଥ ଚିମାନେ ଏବଂ ରଞ୍ଜନା ଚିମାନେ ଏବଂ ଅନ୍ୟ ଜଣେ ମହିଳା ରଞ୍ଜନା ବଂଶୋଡଙ୍କ ବିରୋଧରେ ହତ୍ୟା, ମଣିଷ ବଳି ସମେତ ଅନ୍ୟ ଏକ ମାମଲା ରୁଜୁ କରାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।