NEWS 18 ODIA DIGITAL
ନୂଆଦିଲ୍ଲୀ: ଦିଲ୍ଲୀରେ ସ୍ୱଳ୍ପ ବର୍ଷା ଯୋଗୁଁ ଉତ୍ତାପ ବୃଦ୍ଧି ପାଉଛି । ୧୯୫୧ପରେ ଏପ୍ରିଲରେ ଦ୍ୱିତୀୟଥର ପାଇଁ ଅଧିକ ଗରମ ଅନୁଭୁତ ହୋଇଥିବା କଥା ସାମ୍ନାକୁ ଆସିଛି । ଯେଉଁଥିରେ ମାସିକ ହାରାହାରି ସର୍ବାଧିକ ତାପମାତ୍ରା ୪୦.୨ ଡିଗ୍ରୀ ସେଲସିୟସ୍ ଥିଲା ।
ଦୀର୍ଘ ସମୟ ଧରି ଉତ୍ତାପ ବୃଦ୍ଧି ହେତୁ ଦିଲ୍ଲୀର କିଛି ଅଞ୍ଚଳରେ ମେ ମାସରେ ସର୍ବାଧିକ ତାପମାତ୍ରା ୪୯ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ଭାରତ ପାଣିପାଗ ବିଭାଗ (ଆଇଏମଡି) ର ତଥ୍ୟ ଅନୁଯାୟୀ, ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ରାଜଧାନୀରେ ୨୭ ଦିନ ଅଧିକ ଗ୍ରୀଷ୍ମ ପ୍ରବାହ ହୋଇଥିବାବେଳେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଏବଂ କିଛି ସ୍ଥାନରେ ତା’ଠାରୁ ଅଧିକ ବି ରେକର୍ଡ କରାଯାଇଛି ।
ଆଉ ମାତ୍ର କିଛି ଦିନରେ ଦିଲ୍ଲୀରେ ପହଞ୍ଚିବ ମୌସୁମୀ ବାୟୁ । ମୌସୁମୀ ପହଞ୍ଚିବା ପରେ ପ୍ରଥମ ୧୦ ଦିନ ଭଲ ବର୍ଷା ହେବାର ଆଶା କରାଯାଉଛି । ପାଣିପାଗ ବିଶେଷଜ୍ଞମାନେ ସୋମବାର ଏହି ସୂଚନା ଦେଇଛନ୍ତି । ପାଶ୍ଚାତ୍ୟ ବିଶୃଙ୍ଖଳା ଅଭାବରୁ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ ଦିଲ୍ଲୀରେ ମାତ୍ର ୭୨.୫ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି । ସହରରେ ମେ ମାସରେ ଆଦୌ ବର୍ଷା ଦେଖିବାକୁ ମିଳିନି ଏବଂ ଏପ୍ରିଲରେ ମାସିକ ହାରାହାରି ୧୨.୨ ମିଲିମିଟର ତୁଳନାରେ ୦.୩ ମିଲିମିଟର ବର୍ଷା ହୋଇଥିଲା ।
୩୦ ଜୁନ ମଧ୍ୟରେ ଦିଲ୍ଲୀ ରେ ପ୍ରବେଶ କରିବ ମୌସୁମୀ !
୨୦୧୨ ମସିହାରେ ସହରରେ ସର୍ବାଧିକ ୩୦ ଦିନ ଗରମ ଅନୁଭୁତ ହୋଇଥିଲା । ୪୨ ଡିଗ୍ରୀ ସେଲସିୟସ କିମ୍ବା ତାଠାରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଥିଲା । (ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ବିଭାଗ) ମହେଶ ପାଲୱାଟଙ୍କ ବିବରଣୀ ଅନୁଯାୟୀ, ଜୁଲାଇ ପ୍ରଥମ ସପ୍ତାହରେ ପ୍ରବଳ ବର୍ଷା ଦ୍ୱାରା ବର୍ଷାର ଅଭାବ ଦୂର ହେବା ସହ ଗରମରୁ ମୁକ୍ତି ମିଳିବା ଆଶା ରହିଛି । ଦିଲ୍ଲୀରେ ମୌସୁମୀ ୨୯ ଜୁନରୁ ୧ ଜୁଲାଇ ମଧ୍ୟରେ ପହଞ୍ଚିବାର ସମ୍ଭାବନା ରହିଛି ।
IMD ମୌସୁମୀର ଆଗମନ ନେଇ କୌଣସି ତାରିଖ କହିନାହିଁ ।
ଦିଲ୍ଲୀକୁ ମୌସୁମୀ ପ୍ରବେଶ ନେଇ ଆଇଏମଡି କୌଣସି ତାରିଖ ସ୍ଥିର କରି ନାହିଁ । କିନ୍ତୁ ପାଣିପାଗ ବିଭାଗ କହିଛି ଯେ ଜୁନ୍ ୨୯ ସୁଦ୍ଧା ଉତ୍ତର ପଶ୍ଚିମ ଭାରତ ଏବଂ ଜୁଲାଇ ୬ ସୁଦ୍ଧା ସମଗ୍ର ଦେଶରେ ପ୍ରବେଶ କରିସାରିଥିବ ମୌସୁମୀ । ଆଇଏମଡି ଅନୁଯାୟୀ, ଜୁନ୍ ୨୮ ରୁ ୩୦ ମଧ୍ୟରେ ହିମାଚଳ ପ୍ରଦେଶ, ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ଜୁନ୍ ୨୯-୩୦ ମଧ୍ୟରେ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।