News18 Odia Digital
ନୂଆ ଦିଲ୍ଲୀ: ଜମ୍ମୁ କଶ୍ମୀରର (Jammu and Kashmir) ପୂର୍ବତନ ମୁଖ୍ୟ ମନ୍ତ୍ରୀ ତଥା ପି.ଡି.ପି. ନେତା ମେହବୁବା ମୁଫତି (Mehbooba Mufti) କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ‘‘ଦିଲ୍ଲୀରେ ବସିଥିବା ଲୋକେ ଜମ୍ମୁ କାଶ୍ମୀରକୁ ଏକ ଲ୍ୟାବରେ ପରିଣତ କରିଛନ୍ତି ଓ ସେମାନେ କ୍ରମାଗତ ଭାବେ ଏଠାରେ ପରୀକ୍ଷା ନିରୀକ୍ଷା କରୁଛନ୍ତି । ନେହେରୁ ଓ ବାଜପେୟୀଙ୍କ ଭଳି ନେତାମାନଙ୍କ ପାଖରେ ଜମ୍ମୁ କାଶ୍ମୀର ପାଇଁ ଏକ ଦର୍ଶନ ଥିଲା । କିନ୍ତୁ ଏହି ସରକାର (ମୋଦିଙ୍କ ସରକାର) କେବଳ ଲୋକଙ୍କୁ ହିନ୍ଦୁ-ମୁସଲମାନରେ ବିଭକ୍ତ କରୁଛି । ସର୍ଦ୍ଦାରମାନେ (ସିଖ୍ ଲୋକେ) ଏବେ ଖାଲିସ୍ତାନୀରେ ପରିଣତ ହୋଇଛନ୍ତି, ଆମେ ପାକିସ୍ତାନୀ ହୋଇଯାଇଛୁ, ଆଉ କେବଳ ବିଜେପି ହେଉଛି ହିନ୍ଦୁସ୍ତାନୀ!’’
ମେହବୁବା ମୁଫ୍ତି କହିଛନ୍ତି ଯେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ତରବରିଆ ଭାବେ କରାଯାଉଛି । ‘‘ସେମାନେ (ସରକାର) କେବଳ ନାମ ପରିବର୍ତ୍ତନ କରୁଛନ୍ତି (ଶହୀଦମାନଙ୍କ ନାମରେ ବିଦ୍ୟାଳୟର ନାମ), କିନ୍ତୁ କେବଳ ନାମ ବଦଳାଇବା ଦ୍ୱାରା ପିଲାମାନଙ୍କୁ ରୋଜଗାର ମିଳିବ ନାହିଁ । ସେମାନେ (କେନ୍ଦ୍ର ସରକାର) ତାଲିବାନ ଓ ଆଫଗାନିସ୍ତାନ ବିଷୟରେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ କୃଷକ ଓ ବେକାରୀ ବିଷୟରେ ଚିନ୍ତା କରୁ ନାହାନ୍ତି,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ରେ ଭାସି ନିଖୋଜ ହୋଇଥିବା ସ୍କୁଲ୍ ଛାତ୍ରଙ୍କ ମୃ୍ତ ଦେହ ମିଳିଲା
ଏହା ପୂର୍ବରୁ ମେହବୁବା ମୁଫତିଙ୍କ ରବିବାର ଦିନ ଘୋଣା କରିଥିଲେ ଯେ ତାଙ୍କ ଦଳ ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପି.ଡି.ପି.) ଆଗାମୀ ଜମ୍ମୁ କାଶ୍ମୀର ବିଧାନ ସଭା ନିର୍ବାଚନ (J&K Assembly Elections) ଲଢ଼ିବ । ଏଥି ସହ ସେ ତାଙ୍କ ଦଳର ପୂର୍ବତନ ସହଯୋଗୀ ବିଜେପି ସହ କୌଣସି ମେଣ୍ଟ ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି । ପୂର୍ବତନ ମୁଖ୍ୟ ମନ୍ତ୍ରୀ କହିଛନ୍ତି ଯେ ଏବେ ବି ଜମ୍ମୁ କଶ୍ମୀରର ଅବସ୍ଥା ସ୍ୱାଭାବିକଠାରୁ ବହୁ ଦୂରରେ ଅଛି । ସେ ଏଥି ପାଇଁ ଦକ୍ଷିଣ କଶ୍ମୀରର କୁଲଗାଓଁ ଜିଲ୍ଲାରେ ଶୁକ୍ରବାର ଦିନ ହୋଇଥିବା ଦୁଇଟି ଆକ୍ରମଣକୁ ଦର୍ଶାଇଛନ୍ତି । ସେହି ଦୁଇ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଓ ଜଣେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।
ଏହା ବି ପଢ଼ନ୍ତୁ | ବନ ବିଭାଗ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ: ପତ୍ନୀ ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ହେଲା; ଅଢ଼େଇ ଘଣ୍ଟା ଧରି ଚାଲିଲା
ଏକ ପାର୍ଟି କାର୍ଯ୍ୟକ୍ରମରେ ମେହବୁବା କହିଥିଲେ, ‘‘ପିଡିପି ବିଧାନ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ । ମିଳିତ ମଞ୍ଚ ଗଠନ କରିବା ଉପରେ ଏବେ କିଛି କହିବା ତରବରିଆ ହେବ, କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଆମେ ସେହି ଦଳ (ବିଜେପି) ସହିତ କୌଣସି ମେଣ୍ଟ କରିବୁ ନାହିଁ ।’’
ଏହା ବି ପଢ଼ନ୍ତୁ | ଚାନ୍ଦିପୁର ITRରେ ଗୁପ୍ତଚର: ୭-ଦିନିଆ ରିମାଣ୍ଡରେ ୫ ଅଭିଯୁକ୍ତଙ୍କୁ କଟକ ଆଣିଲା କ୍ରାଇମ୍ ବ୍ରାଞ୍ଚ୍
ଉଲ୍ଲେଖନୀୟ କଥା ହେଉଛି ଯେ ୨୦୧୮ ମସିହାରେ ବିଜେପି ପିଡିପି ନେତୃତ୍ୱାରେ ଜମ୍ମୁ କଶ୍ମୀରରେ ଚଳାଇଥିବା ମିଳିତ ସରକାରରୁ ତିନି ବର୍ଷ ପରେ ସମର୍ଥନ ପ୍ରତ୍ୟାହାର କରିନେଇଥିଲା । ମେହବୁବା ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ ସେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ କାରଣ ସେ ସମ୍ବିଧାନର ଧାରା ୩୭୦କୁ ପୁନଃସ୍ଥାପିତ କରିବା ତାଙ୍କର ଲକ୍ଷ୍ୟ । ଏହି ଧାରାକୁ ଅଗଷ୍ଟ ୫, ୨୦୧୯ରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ରଦ୍ଦ କରି ଦେଇଥିଲେ ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।