News 18 Odia Digital
ନୂଆଦିଲ୍ଲୀ; ଏମସିଡି ନିର୍ବାଚନରେ ଜିତ୍ ପରେ ଆମ୍ ଆଦମୀ ପାର୍ଟି କ୍ୟାମ୍ପରେ ଉତ୍ସବ ପାଳନ କରାଯାଉଛି । କର୍ମୀମାନେ ଗୀତ ଗାଇ ନାଚି ନିଜର ଖୁସି ବ୍ୟକ୍ତ କରୁଛନ୍ତି । AAP କର୍ମଚାରୀଙ୍କ ଉତ୍ସବ ସହ ଜଡିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ, AAP କର୍ମୀମାନେ ବିଜେପି ନେତା ତଥା ଗାୟକ ମନୋଜ ତିୱାରୀଙ୍କ ସୁପରହିଟ୍ ଗୀତ 'ରିଙ୍କିଆ କେ ପାପା'ରେ ନାଚୁଥିବା ଓ ମଜା କରୁଥିବା ଦେଖିବାକୁ ମିଳିଛି ।
ଦିଲ୍ଲୀ ଏମସିଡି ନିର୍ବାଚନରେ ସମସ୍ତ ୨୫୦ ଟି ଆସନର ଫଳାଫଳ ବାହାରିଛି । ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଜୋରଦାର ପ୍ରଦର୍ଶନ କରିଛି, ୧୫ ବର୍ଷ ପରେ ବିଜେପି ଏମସିଡି କ୍ଷମତାରୁ ବାହାର ହୋଇଛି । ଦିଲ୍ଲୀରେ ତିନିଥର ସରକାର ଗଠନ କରିବା ପରେ AAP ପ୍ରଥମ ଥର ପାଇଁ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେସନରେ ନିଜର ସରକାର ଗଠନ କରିବାକୁ ଯାଉଛି । ଏହି ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୧୩୪ ଟି ଆସନ ପାଇଛି, ବିଜେପି ୧୦୪ ଟି ସିଟ୍ ଜିତିଥିବାବେଳେ କଂଗ୍ରେସର ୨ ଜଣ ପ୍ରାର୍ଥୀ ଓ ୩ ଜଣ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି ।
ଦିଲ୍ଲୀ MCD ରେ ସରକାର ଗଠନ ପାଇଁ ୧୨୬ କାଉନସିଲର ଆବଶ୍ୟକ । ବୁଧବାର ଭୋଟ୍ ଗଣନା ଆରମ୍ଭ ହେବା ମାତ୍ରେ AAP କ୍ୟାମ୍ପରେ ଖୁସି ଦୃଶ୍ୟମାନ ହେଉଥିଲା । ତେବେ ଭୋଟ୍ ଗଣନା ବେଳେ ବିଜେପି ଓ AAP ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ଏକଜିଟ୍ ପୋଲ୍ ଫଳାଫଳ ବ୍ୟତୀତ ଗଣନା ସମୟରେ ଅନେକ ଥର ବିଜେପି ଆଗରେ ଥିଲା, କିନ୍ତୁ ଅନ୍ତିମ ଫଳାଫଳ AAP ସପକ୍ଷରେ ଆସିଯାଇଥିଲା ।
ମତ ଗଣନା ସ୍ପଷ୍ଟ ହେବା ମାତ୍ରେ AAP କର୍ମୀମାନେ ଉତ୍ସବ ପାଳନ କରିବା ଆରମ୍ଭ କଲେ । ଏହିପରି ଏକ ଉତ୍ସବରେ ଦିଲ୍ଲୀ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ମନୋଜ ତିୱାରୀ ଗାଇଥିବା ଏକ ପ୍ରସିଦ୍ଧ ଗୀତ 'ରିଙ୍କିଆ କେ ପାପା'ରେ ନାଚୁଥିବା ଦେଖିବାକୁ ମିଳିଥିଲା । ମନୋଜ ତିୱାରୀ ହେଉଛନ୍ତି ଉତ୍ତର ପୂର୍ବ ଦିଲ୍ଲୀର ବିଜେପି ସାଂସଦ । ତାଙ୍କର ଏହି ଭୋଜପୁରୀ ଗୀତ ବହୁତ ପ୍ରସିଦ୍ଧ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।