News18 Odia Digtial
Pakistan Crisis ପାକିସ୍ତାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ପାଇଁ ବଡ଼ ବିପଦ ! ଆର୍ଥିକ ଓ ରାଜନୈତିକ ସଂକଟ ସହ ଗୃହଯୁଦ୍ଧ ସ୍ଥିତି । ପୁଣି ପାକିସ୍ତାନକୁ ଫେରିବ କି ସେନା ଶାସନ । ଏଭଳି ପ୍ରଶ୍ନ ଏଇଥି ପାଇଁ ଯେ, ଇମ୍ରାନ ଖାନଙ୍କୁ ପାକିସ୍ତାନ ସେନା ଦେଇଛି ଚରମ ଚେତାବନୀ । ଦେଶ ଛାଡ଼ି ପଳାଅ ନହେଲେ ଆର୍ମି ଆକ୍ଟ ଲାଗୁ ହେବ । ସାମରିକ ଆଇନର ଧାରା ୫୯ ଅନୁସାରେ ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଫାଶୀଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡ ହୋଇଥାଏ । କ୍ଷମତାର ରିମୋଟ ନିଜ ହାତରେ ରଖିବାକୁ ସେନା ମୁଖ୍ୟ ଆସିମ ମୁନିର ଇମ୍ରାନଙ୍କ କ୍ଷେତ୍ରରେ ସାମରିକ ଆଇନ ଲାଗୁ କରିପାରନ୍ତି ବୋଲି କୁହାଯାଉଛି ।
କ'ଣ ଚେତାବନୀ ଦେଇଛନ୍ତି ପାକିସ୍ତାନ ସେନାମୁଖ୍ୟ ?ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର କହିଛନ୍ତି, ମେ’ ୯ର ଘଟଣା ଦୁଃଖଦ ଓ କଷ୍ଟଦାୟକ । ଏହା ଦେଶ ବିରୋଧରେ ବଡ଼ ଷଡ଼ଯନ୍ତ୍ର ବୋଲି ସେ କହିବା ସହ ଇମ୍ରାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ଦେଶ ଛାଡ଼ି ପଳାଅ ନହେଲେ ଆର୍ମି ଆକ୍ଟ ଲାଗୁ ହେବ । ସୈନ୍ୟ ପ୍ରତିଷ୍ଠାନ ଉପରେ ଆକ୍ରମଣ ବରଦାସ୍ତ କରାଯିବନି, କୌଣସି ପରିସ୍ଥିତିରେ ଏଭଳି ସୁଯୋଗ ଆଉ ଦିଆଯିବ ନାହିଁ ।
ସେନା ବିରୋଧରେ ଇମ୍ରାନ ଖାନଙ୍କ ଅଭିଯୋଗ ?ମୋତେ ଗିରଫ କରିବା ପାଇଁ ପ୍ରୟାସ ଚାଲିଛି, ଜୀବନରୁ ମାରି ଦେବା ପାଇଁ ଷଡ଼ଯନ୍ତ୍ର ହେଉଛି ।
ଅଯଥାରେ ଆତଙ୍କବାଦୀ ପ୍ରସଙ୍ଗ ଯୋଡ଼ା ଯାଉଛି, ସେନା ଓ ସରକାର ଜାଣିଶୁଣି ଏଭଳି ଦମନ କରୁଛନ୍ତି ।
ପାକିସ୍ତାନରେ ମାର୍ଶଲ ଲ' ଲାଗୁ ହେଲେ କଣ ହୁଏ ?ମାର୍ଶଲ ଲ’ ଲାଗୁ ହେଲେ ସେନାର ନିୟନ୍ତ୍ରଣ ସିଧାସଳଖ ପ୍ରଶାସନ ଉପରେ ରହିଥାଏ । ଏହାର ଉଦ୍ଦେଶ୍ୟ ହେଉଛି ନିର୍ବାଚିତ ସରକାରକୁ କ୍ଷମତାଚ୍ୟୁତ କରିବା । ଏହି ଲ’ ଲାଗୁ ହେଲେ ସେନାକୁ ସର୍ବୋଚ୍ଚ କ୍ଷମତା ପ୍ରଦାନ କରାଯାଇଥାଏ । ଏହା ଲାଗୁ ହେଲେ ସାଧାରଣ ଆଇନ କାନୁନ୍ ବାତିଲ ହେବା ସହ ସେନା ପାଖରେ ରହିଥାଏ ଅଖଣ୍ଡ କ୍ଷମତା । ତେବେ ମାର୍ଶାଲ ଲ’ ଲାଗୁ ହେଲେ ଦେଶରେ ଏକ ପ୍ରକାର ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଥାଏ । ସେନାର ନିୟମ କାନୁନ ଲାଗୁ ହୋଇଥାଏ । ନିୟମ ନ ମାନିଲେ ସେନା ଦଣ୍ଡ ଦେଇଥାଏ । ସେନା କୋର୍ଟରେ ସମସ୍ତ ବିଚାର ହୋଇଥାଏ ।
ପାକିସ୍ତାନରେ ରାଜନୈତିକ ଅସ୍ଥିରତାର ଇତିହାସପାକିସ୍ତାନରେ ରାଜନୈତିକ ଅସ୍ଥିରତା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏମେକ ଥର ରାଜନୈତିକ ଅସ୍ଥିରତା ଦେଖା ଦେଇଛି, ଟିକେ ନଜର ପକାଇବା । ୧୯୫୧ରେ ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ପ୍ରଥମ ନିର୍ବାଚନ ହୋଇଥିଲା । ସେହି ସମୟରେ କେତେକ ଅଞ୍ଚଳରେ ଲୋକମାନେ ସିଧାସଳଖ ଭୋଟ୍ ଦେଇ ପାରି ନଥିଲେ । ସେହି ଅଞ୍ଚଳଗୁଡ଼ିକରେ ଚୟନ କରାଯାଇଥିବା ଲୋକେ ହିଁ ଭୋଟ୍ ଦେଇଥିଲେ। ୧୯୫୮ ମସିହା ଅକ୍ଟୋବର ୭ ତାରିଖରେ ପାକିସ୍ତାନରେ ପ୍ରଥମ ଥର ପାଇଁ ମାର୍ଶଲ ଲ’ ଲାଗୁ ହେଲା । ପ୍ରଥମ ରାଷ୍ଟ୍ରପତି ଇସ୍କନ୍ଦର ମୀର୍ଜା ସମ୍ବିଧାନ ଭଙ୍ଗ କରିଥିଲେ। ଏହାପରେ ଅକ୍ଟୋବର ୨୭ ତାରିଖରେ ଜେନେରାଲ ଆୟୁବ ଖାନ ରାଷ୍ଟ୍ରପତି ଇସ୍କନ୍ଦର ମୀର୍ଜାଙ୍କୁ ହଟାଇ ସୈନ୍ୟ ଶାସନ ଲାଗୁ କଲେ । ୧୯୬୯ ମସିହା ମାର୍ଚ୍ଚ ୨୫ ତାରିଖରେ ଜେନେରାଲ ୟାହା ଖାନ୍ ଆୟୁବ ଖାନଙ୍କ ଶାସନ ହଟାଇ ନିଜେ ରାଷ୍ଟ୍ରପତି ହେଲେ। ୧୯୭୭ ଜୁଲାଇ ୫ ତାରିଖରେ ସେନା ମୁଖ୍ୟ ଜେନେରାଲ ଜିୟା ଉଲ୍ ହକ୍ ଜୁଲ୍ ଫିକର୍ ଅଲ୍ଲୀ ଭୁଟ୍ଟୋଙ୍କୁ କ୍ଷମତାଚ୍ୟୁତ କରିଥିଲେ । ଏପରିକି ଭୁଟ୍ଟୋଙ୍କୁ ଗିରଫ କରି ଜେଲ୍ରେ ଭର୍ତ୍ତି କରି ଦେଇଥିଲେ ଜିୟା ଉଲ୍ ହକ୍। ୧୯୭୯ ମସିହା ଏପ୍ରିଲ ୪ ତାରିଖରେ ହତ୍ୟା ଅଭିଯୋଗରେ ଜୁଲ୍ ଫିକର୍ ଅଲ୍ଲୀ ଭୁଟ୍ଟୋଙ୍କୁ ରାୱଲପିଣ୍ଡି ସେଣ୍ଟ୍ରାଲ ଜେଲ୍ରେ ଫାଶୀ ଦିଆଯାଇଥିଲା । ୧୯୯୯ ଅକ୍ଟୋବର ୧୨ ତାରିଖରେ ଜେନେରାଲ ପରଭେଜ ମୁଶାରଫ ନୱାଜ ଶରିଫଙ୍କୁ ଆଉଟ୍ କରି ନିଜେ ରାଷ୍ଟ୍ରପତି ହେଲେ। ପାକିସ୍ତାନର ୭୫ ବର୍ଷ ଶାସନ ଭିତରେ ଶାସନ କଳ ୩୩ ବର୍ଷ ଧରି ସେନା ହାତରେ ରହିଲା । ସେହି କାରଣରୁ ୭୫ ବର୍ଷ ଭିତରେ ପାକିସ୍ତାନରେ ୩୧ଟି ପ୍ରଧାନମନ୍ତ୍ରୀ ହୋଇଛନ୍ତି, ମାତ୍ର କେହି ଜଣେ ହେଲେ ନିଜର କାର୍ଯ୍ୟକାଳ ପୂରଣ କରିନାହାନ୍ତି। ଆଉ ଏବେ ପୁଣି ଥରେ ସେନା ଦେଶର କ୍ଷମତାକୁ ନିଜ ଦଖଲରେ ରଖିବା ପାଇଁ ପ୍ରୟାସ ଆରମ୍ଭ କରିଛି ।...
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।