ପଣବନ୍ଦୀ କୋବ୍ରା ଯବାନ ରାକେଶ୍ବରଙ୍କୁ ଛାଡ଼ିଦେଲେ ମାଓବାଦୀମାନେ; ‘‘ମୋ’ ଆଖିରେ ପଟି ବାନ୍ଧି...’’
ମୁକ୍ତ ହେବା ପରେ ରାକେଶ୍ୱର ସିଂ ମନହାସ ନକ୍ସଲମାନଙ୍କ ହାତରେ ଧରାପଡ଼ିବା ପରେ ସେମାନଙ୍କ ସହ ବିତାଇଥିବା ପାଞ୍ଚ ଦିନର ଅନୁଭୂତି କହିଛନ୍ତି । ନକ୍ସଲମାନେ ତାଙ୍କୁ ହତ୍ୟା କରିବାର ସମ୍ଭାବନା ସବୁ ବେଳେ ରହୁଥିଲା ବୋଲି ସେ କହିଛନ୍ତି ।

ମାଓବାଦୀମାନେ ପ୍ରଜା କୋର୍ଟରେ ରାକେଶ୍ୱର ସିଂ ମନହାସଙ୍କୁ ମୁକ୍ତ କରୁଛନ୍ତି ।
- News18 Odia
- Last Updated: April 8, 2021, 9:01 PM IST
ରାୟପୁର: ମାଓବାଦୀଙ୍କ (Maoists) କବଳରେ ପାଞ୍ଚ ଦିନ ଧରି ବନ୍ଧକ ରହିବା ପରେ ମୁକୁଳିଛନ୍ତି କୋବ୍ରା (COBRA) ଯବାନ ରାକେଶ୍ବର ସିଂ ମନହାସ୍ (Rakeshwar Singh Manhas) । ଗୁରୁବାର ଦିନ ବିଜାପୁରର ତରେମ୍ ଜଙ୍ଗଲରେ ଏକ ପ୍ରଜା କୋର୍ଟରେ ରାକେଶ୍ବରଙ୍କୁ ଛାଡ଼ି ଦେଇଛନ୍ତି ମାଓବାଦୀମାନେ । ରାକେଶ୍ବରଙ୍କ ମୁକ୍ତି ପାଇଁ ଦୁଇ ଜଣ ସମାଜସେବୀ ମଧ୍ୟସ୍ଥତା କରିଥିଲେ ।
ମଧ୍ୟସ୍ଥ ପଦ୍ମଶ୍ରୀ ଧରମପାଲ ସାଇନି ଓ ଗଣ୍ଡୱାନା ସମାଜର ମୁଖ୍ୟଙ୍କ ଉପସ୍ଥିତିରେ ମାଓବାଦୀମାନେ ରାକେଶ୍ବରଙ୍କୁ ଛାଡ଼ିଦେଇଥିଲେ । ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାଙ୍କୁ ହେଲିକପ୍ଟରରେ ରାୟପୁର ନିଆଯିବ । ଛତିଶଗଡ଼ର (Chhattisgarh) ବିଜାପୁରରେ ଏପ୍ରିଲ୍ ୩ ତାରିଖରେ ମାଓବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ (Bijapur Naxal attack) ବେଳେ ଏହି କୋବ୍ରା ଯବାନଙ୍କୁ ଅପହରଣ କରିନେଇଥିଲେ ମାଓବାଦୀମାନେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଢେଙ୍କାନାଳ: ଚାକିରିକୁ ନ ଫେରି ଘରେ ବସିଥିଲା; ସେ କଥା କହିବାରୁ ସ୍ତ୍ରୀ ଓ ୨ ଝିଅଙ୍କୁ ଫାର୍ସାରେ ହାଣିଲା

କୋବ୍ରା ଯବାନ ରାକେଶ୍ୱର ସିଂ ମନହାସ
ମୁକ୍ତ ହେବା ପରେ ରାକେଶ୍ୱର ସିଂ ମନହାସ ନ୍ୟୁଜ୍୧୮ ସହିତ ଏକ ବାର୍ତ୍ତାଳାପରେ ନକ୍ସଲମାନଙ୍କ ହାତରେ ଧରାପଡ଼ିବା ପରେ ସେମାନଙ୍କ ସହ ବିତାଇଥିବା ସମୟର ଅନୁଭୂତି ବାଣ୍ଟିଥିଲେ । ନକ୍ସଲମାନଙ୍କ ଆଚରଣ ବିଷୟରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ତାଙ୍କୁ ଠିକ୍ ସମୟରେ ଖାଇବା ପିଇବାକୁ ଦେଉଥିଲେ ।
VIDEO - ଏଇଠି ଦେଖନ୍ତୁ ମନହାସ୍ କ’ଣ କହିଛନ୍ତି:
ଏନକାଉଣ୍ଟରର ଦିନକୁ ସ୍ମରଣ କରି ମନହାସ୍ କହିଛନ୍ତି ଯେ ଏହା ଏପ୍ରିଲ୍ ୩ ତାରିଖ ଦିନ ଏନକାଉଣ୍ଟର ହୋଇଥିଲା, ଆଉ ତା’ ପର ଦିନ ସେ ଜଙ୍ଗଲରେ ବୁଲୁଥିବା ବେଳେ ମାଓବାଦୀମାନଙ୍କ ହାତରେ ଧରାପଡି଼ଯାଇଥିଲେ । ‘‘ଭଲ ହେଲା ଯେ ସେମାନେ ଛାଡ଼ି ଦେବେ ବୋଲି କହିଥିଲେ, ଆଉ ଆଜି ଛାଡ଼ି ଦେଲେ,’’ ସେ କହିଛନ୍ତି ।
VIDEO - ଏଇଠି ଦେଖନ୍ତୁ କେମିତି ସେ ମୁକ୍ତ ହୋଇଥିଲେ:
‘‘ମୁଁ ସେ ଦିନ ଚେତାଶୂନ୍ୟ ନ ଥିଲି । ମୁଁ ୪ ତାରିଖରେ ସେମାନଙ୍କ କବଳରେ ପଡ଼ିଥିଲି । ମୋତେ ଜଣା ନାହିଁ କେତେ ଗାଁ ସେମାନେ ମୋତେ ବୁଲାଇଲେ । ମୋ’ ଆଖିରେ ସେମାନେ ପଟ୍ଟି ବାନ୍ଧିଥିଲେ ଓ ମୋ’ ଦୁଇ ହାତ ବି ବାନ୍ଧି ଦେଇଥିଲେ,’’ କହିଛନ୍ତି ମନହାସ୍ ।
ଗୋଟିଏ ପ୍ରଶ୍ନର ଉତ୍ତରରେ ରାକେଶ୍ୱର ସିଂ ମନହାସ୍ କହିଛନ୍ତି ଯେ ତାଙ୍କୁ ଖାଦ୍ୟ ଠିକ୍ ସମୟରେ ଦିଆଯାଉଥିଲା । ‘‘ନକ୍ସଲମାନେ ମୋତେ ନିର୍ଯାତନା ଦେଇ ନାହାଁନ୍ତି କିମ୍ବା କୌଣସି ଧମକ ବି ଦେଇ ନାହାଁନ୍ତି । ଚାକିରି ଛାଡିବା ପାଇଁ ବି ସେମାନେ କୌଣସି ସର୍ତ୍ତ ରଖି ନ ଥିଲେ । ପୋଲିସ ବିଭାଗ ବିଷୟରେ ମଧ୍ୟ ମୋ’ ଠାରୁ କୌଣସି ସୂଚନା ସେମାନେ ମାଗି ନ ଥିଲେ । ହଁ, ସେମାନେ ମୋତେ ହତ୍ୟା କରିବାର ସମ୍ଭାବନା ସବୁ ବେଳେ ରହୁଥିଲା,’’ ସେ କହିଛନ୍ତି ।