News18 Odia Digital
ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ବିହାରର ଦରଭଙ୍ଗାରୁ ଗିରଫ କରାଯାଇଛି। ମଣିଗାଛିର ବ୍ରହ୍ମପୁରା ଗାଁର ବାସିନ୍ଦା ରାକେଶ କୁମାର ମିଶ୍ରଙ୍କୁ ବୁଧବାର ମୁମ୍ବାଇ ପୋଲିସ ଗିରଫ କରିଥିଲା। ବୁଧବାର ସନ୍ଧ୍ୟା ପ୍ରାୟ ୪ଟା ବେଳେ ପୋଲିସ ରାକେଶଙ୍କ ଘରେ ପହଞ୍ଚି ତାଙ୍କୁ ଗିରଫ କରିଥିଲା।
ଏଥି ସହିତ ସ୍ଥାନୀୟ ଲୋକ କହିଛନ୍ତି ଯେ ଅଭିଯୁକ୍ତ ରାକେଶ ମାନସିକ ରୋଗର ଶିକାର ହୋଇଛନ୍ତି। ରାକେଶଙ୍କ ପିତା ସୁନୀଲ କୁମାର ମିଶ୍ର ବିହାର ଇଣ୍ଟର କାଉନସିଲରେ କାର୍ଯ୍ୟ କରନ୍ତି। ସୂଚନାନୁସାରେ, ମୁମ୍ବାଇ ପୋଲିସର ୬ ଜଣିଆ ଟିମ୍ ଦରଭଙ୍ଗା ପହଞ୍ଚି ରାକେଶଙ୍କୁ ଗିରଫ କରିଥିଲା।
ବିଶିଷ୍ଟ ଉଦ୍ୟୋଗପତିଙ୍କ ମୁମ୍ବାଇରେ ଥିବା ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲକୁ ଏକ ଅଜ୍ଞାତ ନମ୍ବରରୁ ଧମକ ମିଳିଥିଲା । ବୁଧବାର ଏକ ଅଜଣା ନମ୍ୱରରୁ ଏହି ଫୋନ କଲ ଆସିଥିବା ବେଳେ ହସ୍ପିଟାଲକୁ ବୋମାରେ ଉଡାଇ ଦେବା ପାଇଁ ଧମକ ଦିଆଯାଇଥିଲା ।
ଏହା ସହ ରିଲାଏନ୍ସ ଉଦ୍ୟୋଗର ମୁଖ୍ୟ ମୁକେଶ ଅମ୍ୱାନୀ, ତାଙ୍କ ପତ୍ନୀ ନୀତା ଅମ୍ୱାନୀ ଓ ତାଙ୍କ ଦୁଇ ପୁଅ ଆକାଶ ଅମ୍ୱାନୀ ଓ ଅନନ୍ତ ଅମ୍ୱାନୀଙ୍କୁ ଜୀବନରୁ ମାରିବାକୁ ଧମକ ଆସିଥିଲା। ଏନେଇ ଡିବି ମାର୍ଗ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ ଏହା ପୂର୍ବରୁ ମଧ୍ୟ ଅଗଷ୍ଟ ମାସରେ ଅମ୍ୱାନୀଙ୍କ ପରିବାରକୁ ହତ୍ୟା ଧମକ ମିଳିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।