PMଙ୍କ ବାତ୍ୟା ସମୀକ୍ଷାରେ ବସିଲେନି ମମତା; ୧୫ ମିନିଟ ରହି ଚାଲିଗଲେ, ₹୨୦,୦୦୦ କୋଟି ମାଗିଲେ

ମମତା ମୋଦିଙ୍କୁ ବାତ୍ୟାର କ୍ଷୟକ୍ଷତି ବାବଦରେ ଏକ ଫାଇଲ୍ ଧରେଇଦେଇ ଚାଲିଯାଇଥିଲେ । ବାତ୍ୟା ପରେ ବେଙ୍ଗଲବାସୀଙ୍କୁ ସାହାଯ୍ୟ କରିବାକୁ ଆସିଥିବା PMଙ୍କ ସହ ଏମିତି ଆଚରଣ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

PMଙ୍କ ବାତ୍ୟା ସମୀକ୍ଷାରେ ବସିଲେନି ମମତା; ୧୫ ମିନିଟ ରହି ଚାଲିଗଲେ, ₹୨୦,୦୦୦ କୋଟି ମାଗିଲେ
ମମତା ବାନାର୍ଜୀ ଓ (ଡାହାଣ) ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କୋଲକାତା: ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀ ମମତା ବାନାର୍ଜୀ ୟାସ୍‌ ବାତ୍ୟା (Cyclone Yaas) ତାଙ୍କ ରାଜ୍ୟରେ କରିଥିବା ବିନାଶ ଲୀଳାର ସମୀକ୍ଷା କରିବାକୁ ପହଞ୍ଚିଥିବା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (Prime Minister Narendra Modi) ବୈଠକରେ ଉପସ୍ଥିତ ରହିଲେ ନାହିଁ । ପଶ୍ଚିମ ବଙ୍ଗର ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବି ମୋଦିଙ୍କ ସମୀକ୍ଷା ବୈଠକରେ ଉପସ୍ଥିତ ରହି ନ ଥିଲେ ।

ମମତା ବାନାର୍ଜୀ (Mamata Banerjee) ସେହି ବୈଠକ ସ୍ଥଳରେ ପହଞ୍ଚି ମାତ୍ର ୧୫ ମିନିଟ୍‌ ରହି ମୋଦିଙ୍କୁ ବାତ୍ୟାର କ୍ଷୟକ୍ଷତି ବାବଦରେ ଏକ ଫାଇଲ୍‌ ଧରେଇଦେଇ ସେଠାରୁ ଚାଲିଯାଇଥିଲେ ବୋଲି କୁହାଯାଉଛି । ଶୁକ୍ରବାର ଦିନର ଏହି ସଂକ୍ଷିପ୍ତ ସାକ୍ଷାତ ସମୟରେ ମମତା କେନ୍ଦ୍ର ସରକାରଙ୍କ ଠାରୁ ପଶ୍ଚିମ ବଙ୍ଗରେ ବାତ୍ୟା-ପରବର୍ତ୍ତୀ ପୁନର୍ଗଠନ ପାଇଁ ୨୦,୦୦୦ କୋଟି ଟଙ୍କାର ଏକ ରିଲିଫ୍‌ ପ୍ୟାକେଜ୍‌ ମାଗିଥିଲେ । ସେହି ବୈଠକ ପୂର୍ବରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରେ ଓଡ଼ିଶା ଓ ପଶ୍ଚିମ ବଙ୍ଗରେ ବାତ୍ୟା ରଚିଥିବା ବିନାଶ ଲୀଳା ବୁଲି ଦେଖିଥିଲେ । ଭୁବନେଶ୍ୱରରେ ସେ କରିଥିବା ସମୀକ୍ଷା ବୈଠକରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ ।

ଏହା ବି ପଢ଼ନ୍ତୁ | ବାତ୍ୟା ୟାସ୍: ମୃତକଙ୍କ ପରିବାରକୁ ମିଳିବ ଲକ୍ଷ ଟଙ୍କା ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା

ପଶ୍ଚିମ ବଙ୍ଗରେ ପ୍ରଧାନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ମମତା ବାନାର୍ଜୀ ଯୋଗ ଦେଇ ନ ଥିବା ବେଳେ ସେଥିରେ ରାଜ୍ୟପାଳ ଜଗଦୀପ ଧନଖଡ଼, ବିଜେପି ନେତା ଶୁଭେନ୍ଦୁ ଆଦିକାରୀ, ରାଜ୍ୟ ଜଳସେଚନ ମନ୍ତ୍ରୀ ସୋମନ୍ ମହାପାତ୍ର ଓ କେତେକ ଅଧିକାରୀ ଯୋଗ ଦେଇଥିଲେ । ମମତା ବାନାର୍ଜୀଙ୍କର ପ୍ରଧାନ ମନ୍ତ୍ରୀଙ୍କ ପ୍ରତି ଏମିତି ବ୍ୟବହାରକୁ ନେଇ ଦେଶ ସାରା ଖୁବ୍‌ ଚର୍ଚ୍ଚା ହୋଇଥିଲା ।

ପଶ୍ଚିମ ବଙ୍ଗରେ ମୋଦିଙ୍କ ବୈଠକରେ ଡାହାଣ ପଟେ ମମତାଙ୍କ ଖାଲି ସିଟ୍


‘‘ମୁଁ ପ୍ରଧାନ ମନ୍ତ୍ରୀ ମୋଦି ଆହ୍ୱାନ କରିଥିବା ସମୀକ୍ଷା ବୈଠକରେ ଯୋଗ ଦେଇ ପାରିବି ନାହିଁ । କଲାଇକୁଣ୍ଡା ପହଞ୍ଚିବାକୁ ମୋତେ ୪୫ ମିନିଟ୍ ଲାଗିବ । ମୁଁ ଏକ ରିପୋର୍ଟ ପ୍ରସ୍ତୁତ କରିଛି । ସେଥିରେ ବାତ୍ୟାରେ ହୋଇଥିବା କ୍ଷୟକ୍ଷତି ବିଷୟରେ ଉଲ୍ଲେଖ କରାଯାଇଛି । ମୁଁ ପି.ଏମ୍‌. ମୋଦିଙ୍କ ନିକଟରେ ସେହି ରିପୋର୍ଟ ଦାଖଲ କରିବି,’’ ୨୪-ପରଗନା ଜିଲ୍ଲାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ମମତା ବାନାର୍ଜୀ କହିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୯୧ ବର୍ଷୀୟା ବୃଦ୍ଧା, ହୃଦୟ ରୋଗୀବାତ୍ୟା ଆଗରୁ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା

ମମତା ପ୍ରଧାନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଯୋଗ ଦେଇ ନ ଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ‘‘ପଶ୍ଚିମ ବଙ୍ଗରେ ଆଜିର ଘଟଣା ଆଶ୍ଚର୍ଯ୍ୟଜନକ । ମୁଖ୍ୟ ମନ୍ତ୍ରୀ ଓ ପ୍ରଧାନ ମନ୍ତ୍ରୀ ବ୍ୟକ୍ତି ନୁହନ୍ତି, ସେମାନେ ଅନୁଷ୍ଠାନ । ଉଭୟ ଜନ ସେବା ପାଇଁ ସଂକଳ୍ପ ନେଇଥାନ୍ତି ଓ ସମ୍ବିଧାନ ପ୍ରତି ନିଷ୍ଠା ରଖିବେ ବୋଲି ଶପଥ ନେଇ କାର୍ଯ୍ୟଭାର ଗ୍ରହଣ କରିଥାନ୍ତି । ଦୁର୍ବିପାକ ସମୟରେ ବେଙ୍ଗଲବାସୀଙ୍କୁ ସାହାଯ୍ୟ କରିବାର ଇଚ୍ଛା ନେଇ ଆସିଥିବା ପ୍ରଧାନ ମନ୍ତ୍ରୀଙ୍କ ସହ ଏ ପ୍ରକାର ଆଚରଣ ଯନ୍ତ୍ରଣାଦାୟକ ।’’

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

‘‘ଜନ ସେବାର ସଂକଳ୍ପ ଓ ସାମ୍ବିଧାନିକ କର୍ତ୍ତବ୍ୟଠାରୁ ରାଜନୈତିକ ପାର୍ଥକ୍ୟକୁ ଅଧିକ ଗୁରୁତ୍ୱ ମିଳିବାର ଏହା ଏକ ଦୁର୍ଭାଗ୍ୟଜନକ ଉଦାହରଣ, ଯାହା ଭାରତୀୟ ସଙ୍ଘୀୟ ବ୍ୟବସ୍ଥାର ମୌଳିକ ଆତ୍ମାକୁ ମଧ୍ୟ କ୍ଷତି ପହଞ୍ଚାଉଛି,’’ କହିଥିଲେ ରାଜନାଥ ସିଂ ।



ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ୟାସ୍‌ ବାତ୍ୟାର କ୍ଷୟକ୍ଷତିର ପୁନରୁଦ୍ଧାର ପାଇଁ ୧,୦୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେଥିରୁ ୫୦୦ କୋଟି ଟଙ୍କାର ସହାୟତା ଓଡି଼ଶାକୁ ଦିଆଯାଇଛି ଓ ବାକି ୫୦୦ କୋଟି ଟଙ୍କା ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡକୁ ଦିଆଯାଇଛି ।
Published by: Anand ST Das
First published: May 28, 2021, 11:59 PM IST