News18 Odia Digital
ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସ କାର୍ଯ୍ୟକାରୀ ସଭାପତି ମହମ୍ମଦ ଆରିଫ ନସିମ ଖାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।
ସମାଜବାଦୀ ପାର୍ଟିର ସ୍ୱର୍ଗତ ନେତା ସମାଜର ପଛୁଆ ବର୍ଗର ଲୋକଙ୍କ ପାଇଁ କାମ କରୁଥିଲେ ଓ ସେମାନଙ୍କ ପାଇଁ ଲଢେଇ କରିଥିଲେ। ସମାଜବାଦୀ ପାର୍ଟି ନେତାଙ୍କ ମୃତ୍ୟୁରେ ସମଗ୍ର ଦେଶ ଶୋକ ପ୍ରକାଶ କରିଛି। ମୁଁ ଅନୁରୋଧ କରୁଛି ଯେ କୋଟି କୋଟି ଲୋକଙ୍କ ଭାବନାକୁ ନେଇ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଉ ବୋଲି କହିଛନ୍ତି କଂଗ୍ରେସ ନେତା ।
ମହମ୍ମଦ ଆରିଫ ନସିମ ଖାନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମୁଲାୟମ ସିଂ ଯାଦବଙ୍କ ପାଇଁ ଭାରତ ରତ୍ନ ଦାବି କରିଛନ୍ତି। ଭାରତୀୟ ଜନତା ପାର୍ଟି ସାଂସଦ ବିରେନ୍ଦ୍ର ସିଂ ଗତ ମାସରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂଙ୍କ ସ୍ମୃତିରେ ଏକ ଅଡିଟୋରିୟମ ନିର୍ମାଣ ପାଇଁ ତାଙ୍କ ସାଂସଦ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ।
ପ୍ରସ୍ତାବିତ ଅଡିଟୋରିୟମକୁ ବାଲିଆ ଜିଲ୍ଲା କୋର୍ଟ ପରିସରରେ ନିର୍ମାଣ କରାଯିବ ଓ ଏହାର ନାମ "ଧରତ୍ରୀପୁତ୍ର ମୁଲାୟମ ସିଂ ଯାଦବ ସମ୍ୱାଦ ଭବନ" ରଖାଯିବ। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ମଧ୍ୟ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ପ୍ରଶଂସକମାନେ ତାଙ୍କୁ ସ୍ନେହରେ "ନେତାଜୀ" ବୋଲି ଡାକୁଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।