News18 Odia Digital
Maharashtra Accident:ଶୁକ୍ରବାର ସକାଳେ ମହାରାଷ୍ଟ୍ରର ନାସିକ-ଶିରିଡ଼ି ରାଜପଥରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ନାସିକ-ଶିରିଡ଼ି ରାଜପଥରେ ପାଥେର ନିକଟରେ ଭକ୍ତଙ୍କୁ ନେଇ ଯାଉଥିବା ଏକ ବସ୍ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ନାସିକ ପୋଲିସର ସୂଚନାନୁସାରେ, ସାଇ ବାବାଙ୍କ ଭକ୍ତଙ୍କୁ ନେଇ ଯାଉଥିବା ଏକ ବସ୍ ଟ୍ରକ୍ ସହ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।
ସିଏମ ସିନ୍ଦେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତିମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନାସିକ-ଶିରିଡ଼ି ରାଜପଥରେ ବସ୍ ଦୁର୍ଘଟଣାରେ ଲୋକଙ୍କ ମୃତ୍ୟୁରେ ସମବେଦନା ଜଣାଇ ମୃତକଙ୍କ ପରିବାରକୁ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ଘଟଣାର ତଦନ୍ତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।
୨୫ ରୁ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛିଏହି ଦୁର୍ଘଟଣାରେ ୨୫ ରୁ ୩୦ ଜଣ ଯାତ୍ରୀ ଆହତ ହୋଇଥିବା ଖବର ରହିଛି। ସୂଚନା ଅନୁଯାୟୀ, ନାସିକ-ଶିରିଡ଼ି ରାଜପଥରେ ପାଥେର ଗ୍ରାମ ନିକଟରେ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
ବସର ଗୋଟିଏ ପାର୍ଶ୍ୱରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତମାନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ମୁମ୍ବାଇରୁ ଶିରିଡ଼ି ଆସୁଥିବା ଟୁରିଷ୍ଟ ବସ୍ରେ ସମୁଦାୟ ୪୫ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ୩ ଜଣ ପୁରୁଷ ଅଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ସାଇ ବାବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କେତେକଙ୍କ ଅବସ୍ଥା ଗୁରୁତର ରହିଛି।
ଭକ୍ତମାନେ ଅମ୍ବରନାଥରୁ ଶିରିଡ଼ି ଯାଉଥିଲେକୁହାଯାଉଛି ଯେ ବସ ଭକ୍ତମାନଙ୍କୁ ମୁମ୍ବାଇର ଅମ୍ବରନାଥରୁ ଶିରିଡ଼ି ଅଭିମୁଖେ ଆଣୁଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।