ସୁପ୍ରିମ କୋର୍ଟରେ ମଧ୍ୟ ପ୍ରଦେଶ: ବିଦ୍ରୋହୀ MLAମାନଙ୍କ ସହ ବାଚସ୍ପତି ଭିଡିଓ ଲିଙ୍କରେ କଥା ହେବେନି

ସାମ୍ବିଧାନିକ ନୀତି ଅନୁସାରେ ବାଚସ୍ପତିଙ୍କ ପାଖରେ ଇସ୍ତଫା କିମ୍ବା ଅଯୋଗ୍ୟତା ସମ୍ବନ୍ଧୀୟ ମାମଲା ବିଚାରାଧୀନ ଥିବା କାରଣରୁ ଟ୍ରଷ୍ଟ ଭୋଟ୍ ଉପରେ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସୁପ୍ରିମ୍ କୋର୍ଟ କହିଛନ୍ତି । କୋର୍ଟ ଏବେ ରାଜ୍ୟପାଳ ତାଙ୍କ ଉପରେ ନ୍ୟସ୍ତ ଥିବା କ୍ଷମତା ବାହାରକୁ ଯାଇ କାର୍ଯ୍ୟ କରିଛନ୍ତି କି ନାହିଁ ତାହା ଦେଖିବ ।

ସୁପ୍ରିମ କୋର୍ଟରେ ମଧ୍ୟ ପ୍ରଦେଶ: ବିଦ୍ରୋହୀ MLAମାନଙ୍କ ସହ ବାଚସ୍ପତି ଭିଡିଓ ଲିଙ୍କରେ କଥା ହେବେନି
କମଳ ନାଥ ଏକ ବୈଠକକୁ ଯିବା ପାଇଁ ଘରୁ ବାହାରୁଛନ୍ତି ।
  • News18 Odia
  • Last Updated: March 19, 2020, 2:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ମଧ୍ୟ ପ୍ରଦେଶ ବିଧାନ ସଭାର ବାଚସ୍ପତି ଏନ୍‌. ପି. ପ୍ରଜାପତି ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସହ ଭିଡିଓ ଲିଙ୍କ ମାଧ୍ୟମରେ ଯୋଗାଯୋଗ କରିବା ଉଚିତ ବା ବିଧାୟକମାନେ ବନ୍ଦୀ ଥିବା ଭୟକୁ ଦୂର କରିବା ପାଇଁ କୋର୍ଟ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ କରିପାରିବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି, ହେଲେ ପ୍ରଜାପତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।

ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୁଡ଼ ଓ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ବିଦ୍ରୋହୀ ବିଧାୟକମାନେ ନିଜ ଇଚ୍ଛାଶକ୍ତିର ପ୍ରକୃତ ବ୍ୟବହାର ସ୍ବେଚ୍ଛାକୃତ ଭାବେ କରିପାରିବା ପାଇଁ ଏକ ପରିସ୍ଥିତି ତିଆରି କରାଯିବ ।

‘‘ବେଙ୍ଗାଲୁରୁ କିମ୍ବା ଅନ୍ୟ କେଉଁଠି ଆମେ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ କରିପାରିବୁ ଯାହା ଦ୍ୱାରା ବିଦ୍ରୋହୀ ବିଧାୟକମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବାଚସ୍ପତିଙ୍କ ସହ କଥା ହୋଇପାରିବେ, ଆଉ ତାହା ପରେ ସେ ନିଷ୍ପତ୍ତି ନେଇ ପାରିବେ,’’ ଖଣ୍ଡପୀଠ କହିଛନ୍ତି ।

ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ସମ୍ପର୍କରେ କୌଣସି ତଦନ୍ତ କରାଯାଇଛି କି ନାହିଁ ଓ ସେ ସେମାନଙ୍କ ଉପରେ କ’ଣ ନିଷ୍ପତ୍ତି ନେଇଛନ୍ତି କୋର୍ଟ ତାହା ମଧ୍ୟ ବାଚସ୍ପତିଙ୍କୁ ପଚାରିଛନ୍ତି।

ବାଚସ୍ପତିଙ୍କ ତରଫରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ ଅଭିଷେକ ମନୁ ସିଂଭି କହିଛନ୍ତି ଯେ ଯେଉଁ ଦିନ କୋର୍ଟ ବାଚସ୍ପତିଙ୍କୁ ସମୟ ନିର୍ଦେଶ ଦେବା ଆରମ୍ଭ କରିବେ ତାହା ଏକ ସାମ୍ବିଧାନିକ ସମସ୍ୟା ସୃଷ୍ଟି କରିବ।

ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ତରଫରୁ ହାଜର ହୋଇଥିବା ଓକିଲ ଖଣ୍ଡପୀଠକୁ କହିଛନ୍ତି ଯେ ଏହି ଘଟଣାରେ ଏବେ ମୁଖ୍ୟ ମନ୍ତ୍ରୀ କମଳ ନାଥ “ଅଲଗା ହୋଇ ବସିଛନ୍ତି” ଆଉ ବାଚସ୍ପତି ହିଁ କୋର୍ଟରେ ‘‘ରାଜନୈତିକ ଯୁଦ୍ଧର ନେତୃତ୍ୱ’’ କରୁଛନ୍ତି ।

ଖଣ୍ଡପୀଠ ସବୁ ପକ୍ଷଙ୍କୁ ପଚାରିଥିଲେ ଯେ ବିଧାୟକଙ୍କ ଇସ୍ତଫା ଓ ଅଯୋଗ୍ୟତା ପ୍ରସଙ୍ଗରେ ଜଣେ ବାଚସ୍ପତିଙ୍କ ନିଷ୍ପତ୍ତି ବିଧାନ ସଭାରେ ଶକ୍ତି ପରୀକ୍ଷା ଉପରେ କିପରି ପ୍ରଭାବ ପକାଇବ ।

କୋର୍ଟ କହିଛନ୍ତି ଯେ ସାମ୍ବିଧାନିକ ନୀତି ଅନୁସାରେ ବାଚସ୍ପତିଙ୍କ ପାଖରେ ଇସ୍ତଫା କିମ୍ବା ଅଯୋଗ୍ୟତା ସମ୍ବନ୍ଧୀୟ ମାମଲା ବିଚାରାଧୀନ ଥିବା କାରଣରୁ ଟ୍ରଷ୍ଟ ଭୋଟ୍ ଉପରେ କୌଣସି ପ୍ରତିବନ୍ଧକ ନାହିଁ । ତେଣୁ କୋର୍ଟ ଏବେ ସବୁ ଦିଗକୁ ଦେଖିବ ଓ ରାଜ୍ୟପାଳ ତାଙ୍କ ଉପରେ ନ୍ୟସ୍ତ ଥିବା କ୍ଷମତା ବାହାରକୁ ଯାଇ କାର୍ଯ୍ୟ କରିଛନ୍ତି କି ନାହିଁ ତାହା ଦେଖିବ ବୋଲି ଖଣ୍ଡପୀଠ କହିଛି ।
First published: March 19, 2020, 2:12 PM IST