ଭାଇର ମୃତ ଦେହ ଧରି ରାସ୍ତା କଡରେ ବସିଲା ଭାଇ (ପ୍ରତୀକାତ୍ମକ ଛବି)
News18 Odia Digital
ଆମ୍ବୁଲାନ୍ସ ନମିଳିବାରୁ ଶନିବାର ମଧ୍ୟପ୍ରଦେଶର ମୋରେନାରେ ଜଣେ ୮ ବର୍ଷର ଶିଶୁ ତାଙ୍କ ୨ ବର୍ଷର ସାନଭାଇର ମୃତଦେହକୁ ନେଇ ବସିଥିଲା। ଶିଶୁର ପିତା ପୂଜାରାମ ଜାଟଭ ମୃତ ପୁଅର ମୃତଦେହକୁ ଘରକୁ ନେବା ପାଇଁ ଆମ୍ବୁଲାନ୍ସ ଖୋଜୁଥିଲେ।
ଛୋଟ ପିଲାଟି ମୃତଦେହ ସହିତ ରାସ୍ତା କଡରେ ବସିଥିବାର ଦେଖି ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ଏବଂ ଅଧିକାରୀମାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା। ପୂଜାରାମ ଜାବଟଙ୍କ ଦୁଇ ବର୍ଷର ପୁଅ ରଜାଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା। ପ୍ରଥମେ ପୂଜାରାମ ତାଙ୍କ ପୁଅକୁ ଘରେ ସୁସ୍ଥ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯେତେବେଳେ ତାଙ୍କ ପେଟ ଯନ୍ତ୍ରଣା ଅସହ୍ୟ ହୋଇପଡିଲା, ସେତେବେଳେ ସେ ପିଲାଟିକୁ ମୋରେନା ଜିଲ୍ଲା ଡାକ୍ତରଖାନାକୁ ନେଇଗଲେ। ତାଙ୍କ ବଡ଼ ପୁଅ ଗୁଲଶନ ମଧ୍ୟ ପୂଜାରାମଙ୍କ ସହ ଡାକ୍ତରଖାନା ଯାଇଥିଲେ।
ତେବେ ମୋରେନା ଜିଲ୍ଲା ଡାକ୍ତରଖାନାରେ ରାଜଙ୍କର ମୃତ୍ୟୁ ଘଟିଛି। ଗରିବ ଓ ଅସହାୟ ପୂଜାରାମ ମୃତଦେହକୁ ନିଜ ଗାଁକୁ ଫେରାଇ ଆଣିବା ପାଇଁ ଆମ୍ବୁଲାନ୍ସ ବ୍ୟବସ୍ଥା କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ ମଧ୍ୟ ସେମାନେ ଗରିବ ପିତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଶିଶୁର ମୃତଦେହ ନେଇ ଡାକ୍ତରଖାନାରୁ ବାହାରି ରାସ୍ତାରେ ବସିଥିଲେ।
ପଙ୍କଚର ଦୋକାନ ଚଳାଉଥିବା ପୂଜାରାମ ଡାକ୍ତରଖାନାରୁ ଗାଡି ପାଇ ନଥିଲେ ଓ ଅନ୍ୟ ଗାଡିରେ ଯିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିଲା। କୌଣସି ବିକଳ୍ପ ନପାଇ ସେତେବେଳେ ସେ ତାଙ୍କ ବଡ଼ ପୁଅ ଗୁଲଶନ ସହ ମୃତଦେହକୁ ଡାକ୍ତରଖାନା ବାହାରେ ଛାଡିଦେବାକୁ ସ୍ଥିର କଲେ।
ପୂଜାରାମଙ୍କ ବଡ ପୁଅ ଗୁଲଶନ ତାଙ୍କ ପିତାଙ୍କୁ ଫେରି ଆସିବା ଆଶାରେ ମୃତ ଭାଇକୁ କୋଳରେ ଧରି ଅଧ ଘଣ୍ଟା ବସିଥିଲେ। ଯେତେବେଳେ ଲୋକମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ, ପୋଲିସ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଡ୍ରାଇଭରକୁ ପୂଜାରାମ ଜାଟବଙ୍କ ଘରକୁ ଯିବାକୁ କହିଥିଲେ।
"ଶିଶୁର ମା ଘରେ ନାହାଁନ୍ତି। ମୁଁ ଜଣେ ଗରିବ ଲୋକ ଓ ମୁଁ ଜାଣେ ନାହିଁ ମୋ ପିଲା କଣ ଖାଇଲା ଓ ତାଙ୍କ ଅବସ୍ଥା ବିଗିଡିଗଲା। ମୁଁ ଯେତେବେଳେ ଡାକ୍ତରଙ୍କୁ ଦେଖାଇଲି, ସେ ମୋତେ ଔଷଧ ଦେଲେ। କିନ୍ତୁ ସ୍ୱାସ୍ଥ୍ୟରେ ସୁଧାର ଆସି ନଥିଲା। ମୋତେ ଡାକ୍ତରଖାନାରୁ ଆମ୍ବୁଲାନ୍ସ ପାଇଁ ପଇସା ଦେବାକୁ କୁହାଯାଇଥିଲା କହିଛନ୍ତି ପୂଜା ରାମ।
ଏହି ପ୍ରସଙ୍ଗରେ ମୋରେନାର ସିଭିଲ ସର୍ଜନ ବିନୋଦ ଗୁପ୍ତା କହିଛନ୍ତି ଯେ ଆମେ ଆମ୍ବୁଲାନ୍ସ ପାଇଁ ବ୍ୟବସ୍ଥା କରିଛୁ। କାର ପହଞ୍ଚିବା ବେଳକୁ ଶିଶୁର ବାପା ଚାଲି ଯାଇଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।