ମଧ୍ୟ ପ୍ରଦେଶରେ ଆସ୍ଥା ଭୋଟ୍ ହେଲା ନାହିଁ; ମାର୍ଚ୍ଚ ୨୬ ଯାଏଁ ବିଧାନ ସଭା ମୁଲତବୀ ରଖାଗଲା

ମଧ୍ୟ ପ୍ରଦେଶ ବିଧାନସଭାରେ ଏବେ ବିଜେପିର ୧୦୭ ସଦସ୍ୟ, ବିଏସପିର ୨, ସମାଜବାଦୀ ପାର୍ଟିର ଜଣେ ଓ ୪ ସ୍ୱାଧୀନ ବିଧାୟକ ଅଛନ୍ତି । ପୂର୍ବରୁ କଂଗ୍ରେସର ମୋଟ ୧୧୪ ବିଧାୟକ ଥିଲେ ହେଁ ଯଦି ୨୨ ଜଣଙ୍କ ଇସ୍ତଫାକୁ ମଞ୍ଜୁରୀ ମିଳେ ଏହି ସଂଖ୍ୟା ୯୨କୁ ଖସିଯିବ । ତାହେଲେ ୧୦୪ ବହୁମତ ଠାରୁ ପଛରେ ପଡ଼ିଯିବ କମଳ ନାଥ ସରକାର ।

ମଧ୍ୟ ପ୍ରଦେଶରେ ଆସ୍ଥା ଭୋଟ୍ ହେଲା ନାହିଁ; ମାର୍ଚ୍ଚ ୨୬ ଯାଏଁ ବିଧାନ ସଭା ମୁଲତବୀ ରଖାଗଲା
ବିଧାନ ସଭାରେ କମଳ ନାଥ
  • News18 Odia
  • Last Updated: March 16, 2020, 12:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୋପାଳ: ମଧ୍ୟ ପ୍ରଦେଶ ବିଧାନ ସଭାରେ ଆଜି ମୁଖ୍ୟ ମନ୍ତ୍ରୀ କମଳ ନାଥ କଂଗ୍ରେସ ସରକାରର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ଯାଉଥିବାରୁ ବଜେଟ୍ ଅଧିବେଶନ ତୋଫାନୀ ଢଙ୍ଗରେ ଆରମ୍ଭ ହୋଇଥିଲା, ମାତ୍ର ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖିବାର ନିଷ୍ପତ୍ତି ସହ ଆଜିର କାର୍ଯ୍ୟକ୍ରମ ଶେଷ ହୋଇଥିଲା।

ରାଜ୍ୟପାଳ ଲାଲଜୀ ଟଣ୍ଡନ ବିଧାନ ସଭାରେ ନିଜ ଅଭିଭାଷଣ ପରେ କଂଗ୍ରେସ ସରକାରଙ୍କୁ ଆସ୍ଥା ଭୋଟ୍ ଲୋଡ଼ିବାକୁ କହିଥିଲେ, ହେଲେ ରବିବାର ରାତିରେ ବାଧାନସଭା ସଚିବାଳୟ ଦ୍ୱାରା ଜାରି କରାଯାଇଥିବା କାର୍ଯ୍ୟ ତାଲିକାରେ ଆସ୍ଥା ଭୋଟ୍‌ ବିଷୟରେ କୌଣସି ଉଲ୍ଲେଖ ନ ଥିଲା ।

ଆସ୍ଥା ଭୋଟ ପାଇଁ ବିଧାନ ସଭା ପରିସରରେ ଉଭୟ କଂଗ୍ରେସ ଓ ବିରୋଧୀ ବିଜେପି ବିଧାୟକମାନେ ସ୍ୱତନ୍ତ୍ର ବସ୍‌ ଯୋଗେ ଆସି ପହଞ୍ଚିଥିଲେ । ରାଜ୍ୟପାଳ ଲାଲଜୀ ଟଣ୍ଡନ ମଧ୍ୟ ଗୃହକୁ ସମ୍ବୋଧନ କରିବା ଉଦ୍ଦେଶ୍ୟରେ ଆସି ପହଞ୍ଚିଥିଲେ ।

ସୋମବାର ଫ୍ଲୋର ଟେଷ୍ଟ୍ କରାଇବା ନେଇ ରାଜ୍ୟପାଳ ବିଧାନସଭା ବାଚସ୍ପତିଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ମଧ୍ୟରାତ୍ରୀରେ ଯାଇ ସାକ୍ଷାତ କରିଥିଲେ କମଳ ନାଥ । ଏବେ ସୁଦ୍ଧା ୨୨ ଜଣ କଂଗ୍ରେସ ବିଧାୟକଙ୍କ ଖୋଜଖବର ନ ଥିବାରୁ ଫ୍ଲୋର ଟେଷ୍ଟ୍ କରାଇବା ଅସାମ୍ବିଧାନିକ ହେବ ବୋଲି ସେ ଦାବି ଉପସ୍ଥାପନ କରିଥିଲେ । ତେବେ ରାଜ୍ୟପାଳ ଏ ନେଇ କଡ଼ା ପ୍ରତିକ୍ରିୟା ରଖିବାରୁ ଆଜିର ବିଧାନସଭା ବଜେଟ୍ ଅଧିବେଶନର ସ୍ୱାଗତ ଅଭିଭାଷଣ ପରେ ଫ୍ଲୋର ଟେଷ୍ଟ୍ ହେବା ନେଇ ସ୍ପଷ୍ଟ ହୋଇଛି ।

ଇସ୍ତଫା ଦେଇଥିବା ୨୨ ଦଳୀୟ ବିଧାୟକ ବେଙ୍ଗାଲୁରୁରେ ରହିଥିବା ବେଳେ ବଳକା ସଦସ୍ୟଙ୍କୁ ଧରି ବିଧାନସଭାରେ ପହଞ୍ଚିଛନ୍ତି କମଳ ନାଥ । ସେହି ପରି ବିଜେପିର ସମସ୍ତ ସଦସ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାଣଙ୍କ ନେତୃତ୍ୱରେ ଗୃହରେ ପ୍ରବେଶ କରିଛନ୍ତି । ଉଭୟ ଦଳର ନେତା ଓ ସଦସ୍ୟ ଫ୍ଲୋର ଟେଷ୍ଟ୍ ପୂର୍ବରୁ କ୍ୟାମେରା ସାମ୍ନାରେ ହାତ ଉପରକୁ ଟେକି ବିଜୟ ଚିହ୍ନ (V) ଦର୍ଶାଇବା ସମସ୍ତ କଳ୍ପନାଜଳ୍ପନାକୁ ଦ୍ବିଗୁଣିତ କରିଛି । ଏପରିକି କରୋନା ଭାଇରସର ବିସ୍ତାରିତ ପ୍ରଭାବ ଯୋଗୁଁ ଅନେକେ ମୁହ୍ଁରେ ମାସ୍କ ପିନ୍ଧିଥିବାର ନଜର ଆସୁଛନ୍ତି ।

ଏହା ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭାର ପ୍ରମୁଖ ସଚିବ ଏ.ପି. ସିଂ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଗତ ରାତ୍ରିରେ ଭେଟି ସମସ୍ତ କାର୍ଯ୍ୟକ୍ରମର ପରିଚାଳନା ନେଇ ଆଲୋଚନା କରିଥିଲେ । ପୂର୍ବରୁ ବିଜେପି ସଦସ୍ୟମାନେ ଗୃହରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ନ ଥିବାରୁ ହାତ ଉପରକୁ ଟେକି ଭୋଟ ଗଣନା କରାଯାଉ ବୋଲି ରାଜ୍ୟପାଳଙ୍କୁ ଜଣାଇଥିଲେ । ଏ ନେଇ ରାଜ୍ୟପାଳ ମଧ୍ୟ କମଳ ନାଥଙ୍କୁ ଲିଖିତ ଭାବେ ଜଣାଇ ସାରିଛନ୍ତି । ସମସ୍ତ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯିବା ନେଇ ମଧ୍ୟ ପୂର୍ବରୁ ସ୍ଥିର କରାଯାଇଛି ।

ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ସାମିଲ ହେବାପରେ ତାଙ୍କ ସମର୍ଥନରେ ୨୨ କଂଗ୍ରେସ ବିଧାୟକ ମାର୍ଚ୍ଚ ୧୦ ତାରିଖରେ ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରୁ ମନ୍ତ୍ରୀ ଥିବା ୬ ଜଣଙ୍କୁ ବହିଷ୍କାର କରାଯାଇଛି, ହେଲେ ବଳକା ୧୬ ଜଣଙ୍କ ଇସ୍ତଫା ପତ୍ର ବାଚସ୍ପତି ଗ୍ରହଣ କରିନାହାନ୍ତି । ତେଣୁ ୬ ଜଣଙ୍କ ଇସ୍ତଫା ପରେ ବର୍ତ୍ତମାନ ମଧ୍ୟ ପ୍ରଦେଶ ବିଧାନସଭାରେ ସଦସ୍ୟଙ୍କ ମୋଟ ସଂଖ୍ୟା ୨୨୮ ରୁ ୨୨୨ କୁ ଖସି ଆସିଛି (ପୂର୍ବରୁ ୨ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି) ।

ମଧ୍ୟ ପ୍ରଦେଶ ବିଧାନସଭାରେ ବର୍ତ୍ତମାନ ବିଜେପିର ୧୦୭ ସଦସ୍ୟ, ବିଏସପିର ୨, ସମାଜବାଦୀ ପାର୍ଟିର ଜଣେ ଓ ୪ ସ୍ୱାଧୀନ ବିଧାୟକ ରହିଛନ୍ତି । ପୂର୍ବରୁ କଂଗ୍ରେସର ମୋଟ ୧୧୪ ବିଧାୟକ ରହିଥିଲେ ହେଁ ଯଦି ସମସ୍ତ ୨୨ ଜଣଙ୍କ ଇସ୍ତଫାକୁ ମଞ୍ଜୁରୀ ମିଳେ ଏହି ସଂଖ୍ୟା ୯୨କୁ ଖସିଯିବ । ଏ କ୍ଷେତ୍ରରେ ୧୦୪ ବହୁମତ ଠାରୁ ବେଶ ପଛରେ ପଡ଼ିଯିବେ କମଳ ନାଥ ସରକାର ।
First published: March 16, 2020, 12:04 PM IST
corona virus btn
corona virus btn
Loading