ରାଜ୍ୟସଭାର କ୍ରମାଗତ ବ୍ୟାଘାତ ନେଇ ଅସନ୍ତୋଷ ଏମ. ଭେଙ୍କିୟା ନାଇଡୁ
News18 Odia Digital
ନୂଆ ଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗରେ ଉତ୍ତେଜନା କାରଣରୁ ରାଜ୍ୟସଭାର କ୍ରମାଗତ ବ୍ୟାଘାତ ସମ୍ପର୍କରେ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟସଭା ସଭାପତି ଏମ ଭେଙ୍କିୟା ନାଇଡୁ । ସେମବାର ଦିନ ଗୃହରେ ସେ କହିଛନ୍ତି ଯେ ଆମେ ଦିନକୁ ଦିନ ଅସହାୟ ହୋଇପଡୁଛୁ ।
ସୂଚନା ଅନୁଯାୟୀ, ଗତ ସପ୍ତାହରେ ସଂସଦର ମୈସୁମୀ ଅଧିବେଶନ ଆରମ୍ଭରୁ ପେଗାସସ୍ ମାମଲା, ତିନୋଟି କୃଷି ଆଇନ ଭଳି ବିଭିନ୍ନ ପ୍ରସଙ୍ଗରେ ଗୃହରେ କ୍ରମାଗତ ଉତ୍ତେଜନା ହେତୁ କୋଭିଡ୍ ମହାମାରୀର ପରିଚାଳନା ଉପରେ ଚାରି ଘଣ୍ଟିଆ ଆଲୋଚନା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ଏଯାବତ ହୋଇପାରିନାହିଁ । ସୋମବାର ମଧ୍ୟ ଗୃହର ପ୍ରକ୍ରିୟାରେ ବାଧାପ୍ରାପ୍ତ ହେବା ଯୋଗୁଁ ଗୃହ ଜିରୋ ଘଣ୍ଟା ଚାଲିପାରିଲା ନାହିଁ ।
ଏହା ଉପରେ ଅସନ୍ତୋଷ ପ୍ରକାଶ କରି ସଭାପତି କହିଛନ୍ତି, ‘‘ଆମେ ଦିନକୁ ଦିନ ଅସହାୟ ହୋଇପଡୁଛୁ । ଜିରୋ ଘଣ୍ଟା ଓ ସ୍ବତନ୍ତ୍ର ଉଲ୍ଲେଖ ମାଧ୍ୟମରେ ଜନସାଧାରଣଙ୍କ ସ୍ବାର୍ଥର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଅନୁମତି ଦିଆଯାଇଛି କିନ୍ତୁ ଗୃହ କାର୍ଯ୍ୟ କରୁନାହିଁ । ସଦସ୍ୟମାନେ ସୁଯୋଗ ପାଇ ନାହିଁନ୍ତି ନିଜ ନିଜ ପ୍ରସଙ୍ଗ ରଖିବା ପାଇଁ ।’’
ସେ ଆହୁରି କହିଛନ୍ତି ଯେ କେଉଁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଅନୁମୋଦନ କରାଯାଇଛି ତାହା ଲୋକେ ଜାଣିବା ଉଚିତ୍ । ସଦସ୍ୟମାନେ ଉପସ୍ଥିତ ଅଛନ୍ତି, ସେମାନେ ସେମାନଙ୍କର ମତ ପ୍ରକାଶ କରିବାକୁ ଚାହୁଁଛନ୍ତି କିନ୍ତୁ କିଛି ଲୋକ ସେମାନଙ୍କୁ କହିବାକୁ ଅନୁମତି ଦେଉ ନାହାଁନ୍ତି ।
ଏହା ପରେ ସଭାପତି ଜିରୋ ଘଣ୍ଟା ଓ ସ୍ବତନ୍ତ୍ର ଉଲ୍ଲେଖ ମାଧ୍ୟମରେ ଉଠାଯିବାକୁ ଥିବା ବିଷୟଗୁଡ଼ିକ ଉଲ୍ଲେଖ କରିଥିଲେ, ଯାହା ତାଙ୍କ ଦ୍ବାରା ଗୃହରେ ଉଠାଇବାକୁ ଅନୁମତି ଦିଆଯାଇଥିଲା । ହେଲେ ଗୃହରେ ବିରୋଧୀ ଦଳର ଉତ୍ତେଜନା ପାଇଁ ଏହା ସମ୍ଭବ ହୋଇପାରିନାହିଁ ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।