Bihar Polls: ଲଣ୍ଡନରେ ପଢ଼ି ଫେରିଥିବା ପୁଷ୍ପମ୍ କହିଲେ ‘‘EVM ହ୍ୟାକ୍ ହୋଇ NDAକୁ ଗଲା ଭୋଟ୍’’
ଦୁଇଟି ଆସନରୁ ଲଢ଼ି ହାରିଥିବା ପୁଷ୍ପମ୍ ପ୍ରିୟା ଚୌଧୁରୀ ଆଠ ମାସ ତଳେ ନିଜ ନୂଆ ପାର୍ଟି ଗଠନ କରିଥିଲେ ଓ ନିଜକୁ ବିହାରର ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ମୋଟ ୧୪୯ଟି ଆସନରେ ପ୍ରାର୍ଥୀ ଦେଇଥିଲେ । ତାଙ୍କୁ NOTA ଠାରୁ ବି କମ୍ ଭୋଟ୍ ମିଳିଥିଲା ।

ପୁଷ୍ପମ୍ ପ୍ରିୟା ଚୌଧୁରୀ
- News18 Odia
- Last Updated: November 11, 2020, 8:16 PM IST
ପଟନା: ବିହାର ବିଧାନସଭା ନିର୍ବାଚନରେ (Bihar Assembly Election Result 2020) ନିଜକୁ ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବା ଓ ନିଜ ଦଳ ପକ୍ଷରୁ ୧୪୯ଟି ଆସନରେ ଡାକ୍ତର ଓ ଇଞ୍ଜିନିଅରମାନଙ୍କୁ ଠିଆ କରାଇଥିବା ପୁଷ୍ପମ୍ ପ୍ରିୟା ଚୌଧୁରୀ (Pushpam Priya Choudhary) ପ୍ରଚଣ୍ଡ ପରାଜୟର ସାମନା କରିଛନ୍ତି । ଲଣ୍ଡନରେ ପାଠ ପଢ଼ି ବିହାର ଫେରିଥିବା ପ୍ଲୁରାଲ୍ସ ପାର୍ଟିର (Plurals Party) ନେତ୍ରୀ ପୁଷ୍ପମ୍ ପ୍ରିୟା ଅଭିଯୋଗ କରିଛନ୍ତି ଯେ ନିର୍ବାଚନରେ ଇଭିଏମ୍ ହ୍ୟାକ୍ କରାଯାଇ ତାଙ୍କ ଦଳକୁ ମିଳିଥିବା ଭୋଟଗୁଡ଼ିକୁ ବିହାରର ଶାସକ ମେଣ୍ଟ NDAକୁ ଚାଲାଣ କରାଯାଇଛି ।
ଏକ ଟ୍ୱିଟରେ ପୁଷ୍ପମ୍ କହିଛନ୍ତି, ‘‘ବିଜେପି ନିର୍ବାଚନରେ ଠକେଇ କରିଛି । ମୋ’ ଦଳ ପ୍ଲୁରାଲ୍ସ ପାର୍ଟିର ଭୋଟ୍ ସବୁ ବୁଥରେ ଏନଡିଏକୁ ହସ୍ତାନ୍ତର କରାଯାଇଛି ।’’ ଅନ୍ୟ ଏକ ଟ୍ୱିଟରେ ସେ କହିଛନ୍ତି, ‘‘ବୁଥଗୁଡ଼ିକର ଡାଟା ଦେଖନ୍ତୁ । ପ୍ଲୁରାଲ୍ସ୍ ପାର୍ଟିର ଭୋଟଗୁଡ଼ିକୁ ଚୋରାଇ ନିଆଯାଇଛି ।’’ ପୁଷ୍ପମଙ୍କ ପୂର୍ବରୁ ବିହାର ନିର୍ବାଚନରେ ଜଣେ କଂଗ୍ରେସ ନେତା ମଧ୍ୟ ଇଭିଏମ୍ ହ୍ୟାକ୍ ହୋଇଥିବା ଅଭିଯୋଗ କରିଛନ୍ତି ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବ୍ୟବସାୟୀଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ଗିରଫ ହେଲେ ୬ ଜଣ ମିଛ ସାମ୍ବାଦିକ
BJP RIGGED THE ELECTION. PLURALS VOTES TRANSFERRED TO NDA ON ALL BOOTHS.
— Pushpam Priya Choudhary (@pushpampc13) November 10, 2020
ବିହାରର ମଧୁବାଣୀ ଜିଲ୍ଲାର ବିସ୍ଫି ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିବା ପୁଷ୍ପମ୍ ଆଉ ଏକ ଟ୍ୱିଟରେ କହିଛନ୍ତି, ‘‘ବିସ୍ଫିର ଯେଉଁ ସବୁ ବୁଥରେ ମୋତେ ଶୂନ୍ୟ ଭୋଟ୍ ମିଳିଥିବା ଦେଖାଯାଇଛି ସେଠାରୁ ମୋ’ ଭୋଟରମାନେ ମୋତେ ଲଗାତର ଫଟୋ ପଠାଉଛନ୍ତି । ଏହି ଅବସ୍ଥା ଆମର ସବୁ ୧୪୯ଟି ଆସନରେ ହୋଇଛି ।’’

ପୁଷ୍ପମ୍ ପ୍ରିୟା ଚୌଧୁରୀ
ପୁଷ୍ପମ୍ ମିଜେ ଦୁଇଟି ଆସନରୁ ନିର୍ବାଚନ ଲଢ଼ିଥିଲେ – ବିସ୍ଫି ଓ ବାଙ୍କିପୁର । ଉଭୟ ଆସନରୁ ତାଙ୍କୁ ମାତ୍ର ୫,୧୮୯ ଖଣ୍ଡ ଭୋଟ୍ (ମୋଟ ଭୋଟର ୩.୬ ପ୍ରତିଶତ) ମିଳିଥିଲା । ଅର୍ଥାତ୍ ଉଭୟ ଆସନରେ ତାଙ୍କୁ ନୋଟା (NOTA) ଠାରୁ ବି କମ୍ ଭୋଟ୍ ମିଳିଥିଲା । ପୁଷ୍ପମ୍ ସବୁ ୧୪୯ଟି ଆସନ ବୁଲି ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ବି ପ୍ରଚାର କରିଥିଲେ ।
ଏହା ବି ପଢ଼ନ୍ତୁ | ପୁଣି ବର୍ଷା-ଅନୁଭବ ବିବାଦ: ବର୍ଷା କହିଲେ ଘରୁ ବାହାର କରିଦେବାକୁ ଶାଶୁଘର ଲୋକେ ଯୋଜନା କରୁଛନ୍ତି
ବିଜେପିର ହରିଭୂଷଣ ଠାକୁର ବିସ୍ଫି ବିଧାନସଭା ଆସନରୁ ଜିତିଛନ୍ତି । ଠାକୁରଙ୍କୁ ୮୬,୨୯୮ ଖଣ୍ଡ ଭୋଟ୍ ପାଇଥିବା ବେଳେ ଆରଜେଡିର ଫୟାଜ ଅହମ୍ମଦ ୭୫,୮୨୯ ଖଣ୍ଡ ଭୋଟ୍ ପାଇଛନ୍ତି। ପ୍ଲୁରାଲ୍ସ ପାର୍ଟିର ସଭାନେତ୍ରୀ ପୁଷ୍ପମ ପ୍ରିୟା ଚୌଧୁରୀଙ୍କୁ NOTA ଠାରୁ ବି କମ୍ (୧,୫୦୯) ଭୋଟ୍ ମିଳିଛି । ବାଙ୍କିପୁର ଆସନରେ ତିନି ଥର ବିଧାୟକ ଥିବା ନିତିନ୍ ନବୀନ ଜିତିଛନ୍ତି ।
ଲଣ୍ଡନ ସ୍କୁଲ୍ ଅଫ୍ ଇକୋନୋମିକ୍ସ ଆଣ୍ଡ ପଲିଟିକାଲ୍ ସାୟନ୍ସରେ ପଢ଼ିଥିବା ପୁଷ୍ପମ୍ ଗତ ମାର୍ଚ୍ଚ ମାସରେ ନିଜ ନୂଆ ଦଳର ଗଠନ ଘୋଷଣା କରିଥିଲେ । ଏଥର ନିର୍ବାଚନରେ ବିହାରର ମୋଟ ୨୪୩ଟି ଆସନ ମଧ୍ୟରୁ ସେ ନିଜ ଦଳ ପକ୍ଷରୁ ୧୪୯ ଜଣ ପ୍ରାର୍ଥୀ ଦେଇଥିଲେ । ତାଙ୍କ ଦଳ ପକ୍ଷରୁ ଡାକ୍ତର, ଇଞ୍ଜିନିୟର, ସାମାଜିକ କର୍ମୀ, ଶିକ୍ଷକ, ପ୍ରଫେସର ଓ କୃଷକଙ୍କୁ ଟିକେଟ ଦେଇଥିଲେ । ସେଥିରୁ ଅଧିକାଂଶ ମହିଳା ଥିଲେ ।
ପୁଷ୍ପମ ପ୍ରିୟା ବର୍ଷେ ପୂର୍ବେ ବିହାରରେ ପଢ଼ାଯାଉଥିବା ସବୁ ପ୍ରମୁଖ ହିନ୍ଦୀ ଓ ଇଂରାଜୀ ଖବରକାଗଜର ପ୍ରଥମ ପୃଷ୍ଠାରେ ଏକ ପୂରା ପୃଷ୍ଠାର ବିଜ୍ଞାପନ ଦେଇଥିଲେ ଓ ସେଥିରେ ସେ ନିଜକୁ ବିହାରର ମୁଖ୍ୟ ମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷଣା କରିଥିଲେ । ପୁଷ୍ପମ୍ ପ୍ରିୟା ହେଉଛନ୍ତି ଜେଡିୟୁର MLC ବିନୋଦ ଚୌଧୁରୀଙ୍କ ଝିଅ ।