News 18 Odia Digital
ନୂଆଦିଲ୍ଲୀ: ବରିଷ୍ଠ ମହିଳା ଆଇନଜୀବୀ ଏଲ୍ସି ଭିକ୍ଟୋରିଆ ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ଏହାକୁ ବିରୋଧ କରି ବହୁ ଓକିଲ ସୁପ୍ରିମ୍କୋର୍ଟରେ ଆବେଦନ କରିଛନ୍ତି। ସୂଚନା ଅନୁଯାୟୀ ସୁପ୍ରିମ୍କୋର୍ଟ ଆଜିଏହାର ଶୁଣାଣି କରିବେ ବୋଲି ରାଜି ହୋଇଛନ୍ତି।
ବରିଷ୍ଠ ଆଇନଜୀବୀ ଆନନ୍ଦ ଗ୍ରୋଭର ଓ ରାଜୁ ରାମଚନ୍ଦ୍ରନ୍ ପ୍ରମୁଖ ଗୌରୀଙ୍କ ପ୍ରସ୍ତାବିତ ନିଯୁକ୍ତିକୁ ବିରୋଧ କରି ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। ସୋମବାର ଏହି ମାମଲାର ଜରୁରୀ ଶୁଣାଣି ପାଇଁ ପ୍ରଧାନବଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଆଗରେ ଫାଇଲ ଉପସ୍ଥାପନ କରାଯାଇଥିଲା। ସିଜେଆଇ ଶୁକ୍ରବାର ଏହି ମାମଲାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ। ଏତିକିବେଳେ କେନ୍ଦ୍ରର ବିଜ୍ଞପ୍ତି ପ୍ରକାଶ ପାଇଲା ଯେ ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ଗୌରୀଙ୍କ ନିଯୁକ୍ତିକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି।
ଗୌରୀଙ୍କ ନାମରେ ଅଭିଯୋଗ ହେଉଛି, ସେ ହେଉଛନ୍ତି ଜଣେ ବିଜେପି କାର୍ଯ୍ୟକର୍ତ୍ତା। ସେ ନିଜେ ସ୍ବୀକାର କରିଛନ୍ତି ଯେ, ସେ ହେଉଛନ୍ତି ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା। ଗୌରୀ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଘୃଣା-ବ୍ୟଞ୍ଜକ ମନ୍ତବ୍ୟ ଦେବାର ମଧ୍ୟ ନଜିର ରହିଛି ବୋଲି କେତେକ ଓକିଲ ଅଭିଯୋଗ କରିଛନ୍ତି।
ତେଣୁ ଏପରି ବ୍ୟକ୍ତିଙ୍କୁ ହାଇକୋର୍ଟର ଜଜ୍ କରାଯିବା ଅନୁଚିତ ବୋଲି ଓକିଲମାନେ ଯୁକ୍ତି କରିଛନ୍ତି। ତେବେ ଆଇନ ମନ୍ତ୍ରୀ କିରେନ ରିଜିଜୁ ଟ୍ବିଟ୍ କରିଛନ୍ତି ଯେ, ରାଜନୈତିକ ସହବନ୍ଧନ ଥିବା ଓକିଲ ବିଚାରପତି ହୋଇପାରିବେ। ଅତୀତରେ ମଧ୍ୟ କୌଣସି ରାଜନୈତିକ ଦଳର ପ୍ରତିନିଧିତ୍ବ କରୁଥିବା ପାର୍ଲାମେଣ୍ଟ ସଦସ୍ୟଙ୍କୁ ହାଇକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।