News 18 Odia Digital
ଉତ୍ତରପ୍ରଦେଶ : ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ରାଜ୍ୟର ଆଇନ ଶୃଙ୍ଖଳା ଦେଶ ତଥା ବିଶ୍ୱ ପାଇଁ ଏକ ଉଦାହରଣ । ବାସ୍ତବରେ, ରାଜଧାନୀ ଲକ୍ଷ୍ନୌରେ ପୋଲିସ ଆଧୁନିକୀକରଣ ଯୋଜନା ଅନ୍ତର୍ଗତ ୫୬ଟି ଜିଲ୍ଲା ପାଇଁ ଆଧୁନିକ ଜେଲ୍ ଭ୍ୟାନ୍ ଲଞ୍ଚ୍ କାର୍ଯ୍ୟକ୍ରମରେ ସିଏମ୍ ଯୋଗୀ ଏହା କହିଛନ୍ତି ।
ସିଏମ୍ ଯୋଗୀ କହିଛନ୍ତି ଯେ ପୂର୍ବ ସରକାର ସମୟରେ ଅପରାଧୀମାନେ ଖସି ପଳାଉଥିଲେ, କିନ୍ତୁ ଏବେ ଅନେକ ପରିବର୍ତ୍ତନ ଆସିଛି । ସେ କହିଛନ୍ତି ବହୁ ଜନସଂଖ୍ୟା ବିଶିଷ୍ଟ ରାଜ୍ୟରେ ପ୍ରାୟତଃ ଉତ୍ତମ ଆଇନ ଶୃଙ୍ଖଳା ଉପରେ ଆଲୋଚନା କରାଯାଇଥାଏ । ଯେଉଁଠାରେ ଦଙ୍ଗା, ଅରାଜକତା ଏବଂ ରାହାଜାନୀ ୨୦୧୭ ପୂର୍ବରୁ ଶୀର୍ଷରେ ଥିଲା । ନୂତନ ଜେଲ୍ ଭ୍ୟାନ୍ ସମ୍ପର୍କରେ ସିଏମ୍ କହିଛନ୍ତି ଦେଶର ବୃହତ୍ତମ ରାଜ୍ୟ ହିସାବରେ ଉନ୍ନତ ଆଇନ ଶୃଙ୍ଖଳା ପାଇଁ ପୋଲିସ ଫୋର୍ସକୁ ଆଧୁନିକୀକରଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ।
କଏଦୀମାନଙ୍କୁ ପୁରୁଣା ଗାଡିରେ ନେବା ଏକ ସମସ୍ୟା ଥିଲା ।ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କଏଦୀମାନଙ୍କୁ ଜେଲରୁ କୋର୍ଟକୁ ଏବଂ କୋର୍ଟରୁ ଜେଲକୁ ପରିବହନ କରୁଥିବାବେଳେ ପୋଲିସ କର୍ମଚାରୀଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ଭ୍ୟାନଗୁଡ଼ିକ ନୂତନ ଟେକ୍ନୋଲୋଜି ସହିତ ସୁସଜ୍ଜିତ ହୋଇଛି । ଆହୁରି କହିଛନ୍ତି ପୂର୍ବରୁ କଏଦୀମାନଙ୍କୁ ପୁରୁଣା ଗାଡିରେ ଜେଲକୁ ନିଆଯାଇଥିଲା, ଯେଉଁଥିରେ ଅନେକ ଵୈଷୟିକ ତ୍ରୁଟି ରହିଥିଲା । ଏହି କାରଣରୁ, କଏଦୀମାନେ ଖସି ପଲେଇ ଯିବା ପାଇଁ ସମର୍ଥ ହେଉଥିଲ, କିନ୍ତୁ ବର୍ତ୍ତମାନ ଏହା ଘଟିବ ନାହିଁ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ପୋଲିସ ନିଯୁକ୍ତି କିମ୍ବା ସେମାନଙ୍କୁ ବୃତ୍ତିଗତ ଭାବେ ଦକ୍ଷ କରିବା ପାଇଁ ପ୍ରଶିକ୍ଷଣର ସ୍ୱଚ୍ଛ ପ୍ରକ୍ରିୟା ହେଉ, ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ସମସ୍ତ ପ୍ରଭାବଶାଳୀ ପଦକ୍ଷେପ ନିଆଯାଇଛି । ଏହା ସହିତ ସିଏମ୍ ପୋଲିସର ଆଧୁନିକୀକରଣ ପାଇଁ କରାଯାଇଥିବା କାର୍ଯ୍ୟର ସବିଶେଷ ତଥ୍ୟ ମଧ୍ୟ ଦେଇଛନ୍ତି। ରାଜ୍ୟ ପୋଲିସର ଆଧୁନିକୀକରଣ ପାଇଁ ୬ ହଜାର କୋଟିର ବଜେଟ୍ ଜାରି କରାଯାଇଥିବା ସେ ସୂଚନା ଦେଇଛନ୍ତି । ତିନି ହଜାର କୋଟି ଆଧୁନିକ ଟେକ୍ନୋଲୋଜି ସହିତ ଡାଏଲ୍ -୧୨୨ ପାଇଁ ବ୍ୟବହାର କରାଯାଇଛି । ସାରା ରାଜ୍ୟରେ ୧୮ ଟି ସାଇବର ପୋଲିସ ଷ୍ଟେସନ ପ୍ରତିଷ୍ଠା କରାଯାଇଛି । ମହିଳାଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଛି । ୭୯ ମହିଳା ପୋଲିସ୍ ପୋଷ୍ଟ ଏବଂ କାଉନସେଲିଂ ସେଣ୍ଟରକୁ ପୋଲିସ୍ ଷ୍ଟେସନ୍ ମାନ୍ୟତା ଦିଆଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।