News 18 Odia Digital
New Zealand PM Resignation: ଆସନ୍ତା ମାସରେ ଇସ୍ତଫା ଦେବେ ବୋଲି ଗୁରୁବାର ଦିନ ନ୍ୟୁଜିଲ୍ୟାଣ୍ଡ ର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡରନ୍ ଘୋଷଣା କରିଛନ୍ତି। ‘ଲେବର୍ ପାର୍ଟି’ର ସଦସ୍ୟମାନଙ୍କ ବୈଠକରେ ସେ କହିଛନ୍ତି, ମୋର ଇସ୍ତଫା ଦେବା ସମୟ ଆସିଗଲା। ଆଉ ଚାରି ବର୍ଷ ଶାସନ ଚଳାଇବାକୁ ମୋର କ୍ଷମତା ନାହିଁ। ଅକ୍ଟୋବର ୧୪ ତାରିଖରେ ସାଧାରଣ ନିର୍ବାଚନ କରାଯିବ।
ବିବୃତି ଦେବା ବେଳେ ଭାବବିହ୍ବଳ ହୋଇଯିବା ପରି ଦିଶୁଥିବା ଆର୍ଡରନ୍ ଆହୁରି ମଧ୍ୟ କହିଛନ୍ତି, ଆଉ ବର୍ଷେ ନୁହେଁ, ଆଉ ଗୋଟିଏ ପାଳି ନିମନ୍ତେ ପ୍ରସ୍ତୁତି କରିବା ଲାଗି ଉପାୟ ବାହାର କରିବାକୁ ଚଳିତ ଗ୍ରୀଷ୍ମକାଳରେ ମୁଁ ଆଶା କରିଥିଲି। କିନ୍ତୁ, ତାହା କରିବାରେ ଅସମର୍ଥ ହେଲି।
ରବିବାର ଦିନ ପରବର୍ତ୍ତୀ ‘ଲେବର୍’ ନେତା ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।କିନ୍ତୁ, ପରବର୍ତ୍ତୀ ‘ଲେବର୍’ ନେତା ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ ନାହିଁ ବୋଲି ନିଉଜିଲାଣ୍ଡ୍ର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଦାୟିତ୍ବରେ ଥିବା ଗ୍ରାଣ୍ଟ୍ ରବର୍ଟସନ୍ ଦେଇଥିବା ବିବୃତିରେ କହିଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ ବର୍ତ୍ତମାନ ଦେଶକୁ ଆଗେଇ ନେବା ପାଇଁ ମୋର ଶକ୍ତି ନାହିଁ। ଗ୍ରୀଷ୍ମ ଛୁଟି ସମୟରେ ମୁଁ ଏ ବିଷୟରେ ଚିନ୍ତା କରିଥିଲି। ବର୍ତ୍ତମାନ ଇସ୍ତଫା ଦେବାର ସମୟ ଆସିଛି। ସେ କହିଛନ୍ତି ଯେ ସେ ନିର୍ବାଚନ ପାଇଁ ଛିଡା ହେବେ ନାହିଁ, କିନ୍ତୁ ନ୍ୟୁଜିଲ୍ୟାଣ୍ଡବାସୀଙ୍କୁ ପ୍ରଭାବିତ କରୁଥିବା ପ୍ରସଙ୍ଗ ଚଳିତ ବର୍ଷ ଏବଂ ନିର୍ବାଚନ ପର୍ଯ୍ୟନ୍ତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ। ୧୪ ଅକ୍ଟୋବରରେ ସାଧାରଣ ନିର୍ବାଚନ ହେବ ବୋଲି ସେ କହିଛନ୍ତି।
ଇସ୍ତଫା ଘୋଷଣା ସମୟରେ ଜେସିଣ୍ଡା କହିଛନ୍ତି ଯେ ମୁଁ ମଣିଷ। ରାଜନେତାମାନେ ମଧ୍ୟ ମଣିଷ ଅଟନ୍ତି। ଇସ୍ତଫା ଦେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ।ସେ କହିଛନ୍ତି ଯେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଇବା ବ୍ୟତୀତ ଭବିଷ୍ୟତ ପାଇଁ ତାଙ୍କର କୌଣସି ଯୋଜନା ନାହିଁ। ନ୍ୟୁଜିଲ୍ୟାଣ୍ଡବାସୀ ତାଙ୍କ ନେତୃତ୍ୱକୁ କିପରି ମନେ ରଖିବେ ବୋଲି ପଚରାଯିବାରୁ ଆର୍ଡର୍ନ ଜଣେ ବ୍ୟକ୍ତି ଭାବରେ ସର୍ବଦା ଦୟାଳୁ ହେବାକୁ ଚେଷ୍ଟା କରିଥିଲେ ବୋଲି କହିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।