ମୋଦି, ମହାରାଣୀ ଓ ମହାତ୍ମାଙ୍କ ରୁମାଲ; ୭୫ ବର୍ଷ ତଳର କାହାଣୀ

Narendra Modi: ନିଜର ବହୁରାଷ୍ଟ୍ରୀୟ ଗସ୍ତ ସାରି ସ୍ବଦେଶକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ତଳର କାହାଣୀ ଦେଶବାସୀଙ୍କୁ ଶୁଣାଇଛନ୍ତି। ଆସନ୍ତୁ ଜାଣିବା ଏହି କାହାଣୀ ବିଷୟରେ...

ମୋଦି, ମହାରାଣୀ ଓ ମହାତ୍ମାଙ୍କ ରୁମାଲ

ମୋଦି, ମହାରାଣୀ ଓ ମହାତ୍ମାଙ୍କ ରୁମାଲ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Bikram Keshari Parija

ମୋଦି, ମହାରାଣୀ ଓ ମହାତ୍ମା ଗାନ୍ଧି। ମହାରାଣୀ ଅର୍ଥ ବ୍ରିଟେନର ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟ। ଏମାନଙ୍କ ମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଛାଡ଼ିଦେଲେ ଅନ୍ୟ ଦୁଇ ଜଣ ଦିବଂଗତ। କିନ୍ତୁ ଏମାନଙ୍କ ଭିତରେ କଣ ସମ୍ପର୍କ ରହିଛି।

ଯଦି ଏ ପ୍ରଶ୍ନ ପଚରାଯାଏ, ତେବେ ଆପଣ ନିଶ୍ଚିତ କହିବେ, ଏମାନେ ସମସ୍ତେ ନିଜ ଦେଶର ପ୍ରମୁଖ ନେତୃତ୍ବ। ନିଜ କାଳଖଣ୍ଡରେ ଏମାନେ ନିଜ ନିଜ ଦେଶକୁ ନେତୃତ୍ବ ପ୍ରଦାନ କରିଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପ୍ରସଙ୍ଗରେ କହିବାକୁ ଯାଉଛୁ, ଯାହା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଏହି ପ୍ରସଙ୍ଗକୁ ନିଜେ ଲୋକଙ୍କ ଆଗରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନିଜର ବହୁରାଷ୍ଟ୍ରୀୟ ଗସ୍ତ ସାରି ସ୍ବଦେଶକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିଲାଗି ତାଙ୍କୁ ଦିଲ୍ଲୀର ପାଲମ ବିମାନ ବନ୍ଦରରେ ଦିଆଯାଇଛି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସମେତ ଅନେକ କେନ୍ଦ୍ର ମନ୍ତ୍ରୀ, ନେତା ଓ ସାଧାରଣ କର୍ମୀ ତାଙ୍କୁ ଏକତ୍ର ହୋଇ ସ୍ବାଗତ କରିଛନ୍ତି। ଭୋର ତିନିଟାରୁ ଏମାନେ ଏକାଠି ହୋଇ ସକାଳ ଯାଏ ମୋଦିଙ୍କୁ ଦେଇଥିଲେ ସ୍ବାଗତ ସମ୍ବର୍ଦ୍ଧନା।

ଆଉ ଏହି ଅବସରରେ ଆୟୋଜିତ ଏକ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନା କରିଛନ୍ତି। ଯେଉଁଥିରେ ସେ ମହାରାଣୀ ଓ ମହାତ୍ମାଗାନ୍ଧୀଙ୍କ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପୂର୍ବରୁ ଥରେ ସେ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ବ୍ରିଟିଶ ମହାରାଣୀ ଏଲିଜାବେଥ୍‌ ଦ୍ବିତୀୟ ତାଙ୍କୁ ଡିନର କରିବାକୁ ନିମନ୍ତ୍ରଣ କରିଥିଲେ। ନିକଟରେ ମହାରାଣୀଙ୍କର ଦେହାନ୍ତ ହୋଇଯାଇଛି। ଏହି ଗସ୍ତ ସମୟରେ ଡିନର ଟେବୁଲରେ ପ୍ରୋଟୋକଲ ଭାଙ୍ଗି ନିଜେ ମହାରାଣୀ ମୋଦିଙ୍କ ପାଖରେ ବସି ମାଆ ଭଳି ତାଙ୍କୁ ସ୍ନେହ କରିଥିଲେ। ତାଙ୍କର ଆଦର ସତ୍କାର କରିଥିଲେ। ନାନା ଖାଦ୍ୟ ସମ୍ପର୍କରେ କହି ମୋଦିଙ୍କୁ ଖାଇବା ଲାଗି ସ୍ନେହର ସହ ଆଗ୍ରହ କରିଥିଲେ। ତେବେ ଆଉ ଏକ ରୋଚକ କଥା ଏହି ଡିନର ପରେ ଘଟିଥିଲା।

ଡିନର ସରିବା ପରେ ମୋଦିଙ୍କୁ ବକିଂହାମ୍‌ ପ୍ୟାଲେସର ବିଭିନ୍ନ ଦର୍ଶନୀୟ ଜନିଷ ବୁଲି ଦେଖାଇଥିଲେ ନିଜେ ମହାରାଣୀ ଏଲିଜାବେଥ୍‌। ଆଉ ଏତିକି ବେଳେ ମହାରାଣୀ ତାଙ୍କୁ ଏକ ଛୋଟ ରୁମାଲ ଦେଖାଇଥିଲେ। ୪ ଇଞ୍ଚ ଦୈର୍ଘ୍ୟ ପ୍ରସ୍ଥ ବିଶିଷ୍ଟ ଏହି ଛୋଟ ରୁମାଲଟି ଅତି ନରମ ଥିଲା।

ଆଉ ଏହି ଛୋଟ ହାତବୁଣା ରୁମାଲ କାହିଁକି ତାଙ୍କୁ ଦେଖାଉଛନ୍ତି ବୋଲି ଜାଣିବା ଲାଗି ଆଶ୍ଚର୍ଯ୍ୟ ହୋଇ ମୋଦି ଅପେକ୍ଷା କରିଥିବା ବେଳେ ରାଣୀ ଖୋଲିଥିଲେ ଏହାର ରହସ୍ୟ।

ରାଣୀ ତାଙ୍କୁ କହିଥିଲେ ଯେ, ଯେତେବେଳେ ମହାରାଣୀଙ୍କର ବିବାହ ହୋଇଥିଲା, ବିବାହ ସମୟରେ ମହାତ୍ମା ଗାନ୍ଧି ଏଲିଜାବେଥ୍‌ଙ୍କୁ ଏହି ଛୋଟ ରୁମାଲଟିକୁ ଉପହାର ଦେଇଥିଲେ। ଏତେ ଛୋଟ ଜିନିଷକୁ ଇଂଲଣ୍ଡର ମହାରାଣୀ ଏଯାଏ ଏକ ମହାନ ସ୍ମୃତିର ସନ୍ତକ ରୂପେ ସାଇତି ରଖିଛନ୍ତି। ଏହା ଭାରତ ଓ ଭାରତୀୟଙ୍କ ଲାଗି ନିଶ୍ଚୟ ଗର୍ବର ବିଷୟ।

ତେଣୁ ମୋଦି କହିଛନ୍ତି ଯେ ଭାରତକୁ ଓ ଭାରତର ଶକ୍ତିକୁ ବିଶ୍ବ ଜାଣୁଛି। ସମ୍ମାନ କରୁଛି। ତେଣୁ ଆମେ ଆମ ଦେଶର ଗୌରବ ବୃଦ୍ଧି ଲାଗି ଉଦ୍ୟମ କରିବା ଆବଶ୍ୟକ।

ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ଉପସ୍ଥିତ ବିଜେପିର ହଜାର ହଜାର କର୍ମକର୍ତ୍ତା ଓ ନେତା ମନ୍ତ୍ରୀଙ୍କୁ ସମ୍ବୋଧନ କରି ମୋଦି ଦେଇଛନ୍ତି କିଛି ସ୍ପଷ୍ଟ ସନ୍ଦେଶ। ସେ କହିଛନ୍ତି, ‘‘ମୁଁ ଚାଲେଞ୍ଜକୁ ବି ଚାଲେଞ୍ଜ ଦେଇଥାଏ। ବିଦେଶରେ ଭାରତର ଗୁଣଗାନ କରିଥାଏ। ଭାରତୀୟ ଭାରତର ମହାନ ସଂସ୍କୃତିର, ସାମର୍ଥ୍ୟ ଓ ପରାକ୍ରମର ପ୍ରଦର୍ଶନ କରିଥାଏ। ଭାରତୀୟ ଯୁବବର୍ଗର ଦକ୍ଷତାର ପ୍ରଶଂସା କରିଥାଏ। ଏହାର ଶ୍ରେୟ ଭାରତବାସୀଙ୍କର। ସାରା ବିଶ୍ବ ଭାରତୀୟଙ୍କୁ ଶୁଣିବା ଲାଗି ଉତ୍ସୁକ। ତେଣୁ ସାହସର ସହିତ ନିଜ କଥାକୁ ଉପସ୍ଥାପନ କରିବା ଦରକାର। ଆମକୁ ଗୋଲାମୀ ମାନସିକତା ଛାଡ଼ିବାକୁ ହେବ। ମୁଁ ସ୍ପଷ୍ଟ ଭାବରେ କହିଛି ଆମ ତୀର୍ଥସ୍ଥଳ ଉପରେ ଆକ୍ରମଣ ଆମକୁ ସ୍ବୀକାର ନୁହେଁ। ଏହାକୁ ବିଶ୍ବ ଗ୍ରହଣ କରୁଛି। ଭାରତ ଯେଉଁ ଟିକା ପ୍ରଦାନ କରିଥିଲା, ତା ଯୋଗୁଁ ସେଠାକାର ଲୋକେ ଉପକୃତ ହୋଇଛନ୍ତି। ବାହାରକୁ ଟିକା ପଠାଉଥିବାରୁ ସେତେବେଳେ ମୋତେ ହିସାବ ମଗାଯାଉଥିଲା। କିନ୍ତୁ ଏହା ବୁଦ୍ଧଙ୍କ ଭୂମି। ଆମେ ଶତ୍ରୁର ବି ଭଲ ଚାହିଁଥାଉ। ଅଷ୍ଟ୍ରେଲିଆରେ ପ୍ରବାସୀ ଭାରତୀୟଙ୍କ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ, ପୂର୍ବ ପ୍ରଧାନମନ୍ତ୍ରୀ, କ୍ଷମତାସୀନ ଓ ବିରୋଧୀ ଦଳର ସାଂସଦ ସାମିଲ ହେବା ଆମ ମାନଙ୍କପାଇଁ ଗର୍ବର ବିଷୟ। ଏମାନେ ମୋଦିଙ୍କ ଲାଗି ଉଦ୍ଦିଷ୍ଟ ନୁହେଁ, ଭାରତ ଓ ଭାରତୀୟଙ୍କ ଲାଗି ସେମାନଙ୍କ ଭଲ ପାଇବାର ପ୍ରମାଣ। ମୋଦିଙ୍କୁ ମିଳୁଥିବା ସମ୍ମାନ ୧୪୦ କୋଟି ଦେଶବାସୀଙ୍କର।’’

ପଢ଼ନ୍ତୁ ଏହି ଖବର: OSSSC: ୨୭୫୩ ପଦବୀ ପାଇଁ ନିଯୁକ୍ତି; ଏହି ତାରିଖରେ କରିପାରିବେ ଆବେଦନ

ବିକ୍ରମ କେଶରୀ ପରିଜାଙ୍କ ରିପୋର୍ଟ, ନ୍ୟୁଜ୧୮ ଓଡ଼ିଆ
Published by:Lipina Das
First published: