News18 Odia Digital
Kerala Robotic Elephant: କେରଳରେ ହାତୀ ହେଉଛି ଜୀବନଧାରାର ଏକ ମୁଖ୍ୟ ଅଂଶ। ପ୍ରାୟ ପ୍ରତି ଘରେ ଅତି କମ୍ରେ ଗୋଟିଏ ହାତୀ ଦେଖିବାକୁ ମିଳେ । ଯାନବାହାନ ଭଳି କେରଳରେ ବିଭିନ୍ନ କାର୍ଯ୍ୟରେ ମଧ୍ୟ ହାତୀଙ୍କୁ ନିୟୋଜିତ କରାଯାଇଥାଏ । ବିଶେଷକରି ପର୍ବ ପର୍ବାଣୀରେ ହାତୀଙ୍କୁ ଅଧିକରୁ ଅଧିକ ବ୍ୟବହାର କରାଯାଇଥାଏ । ହାତୀକୁ ନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ ହୋଇଥାଏ । ହାତୀର ବହୁଳ ବ୍ୟବହାରକୁ ଦୃଷ୍ଟିରେ ରଖି କେରଳର ଏକ ମନ୍ଦିରରେ ନିୟୋଜନ କରାଯାଇଛି ରୋବଟିକ୍ ହାତୀ ।
କେରଳର ତ୍ରିସୁର ଜିଲ୍ଲାସ୍ଥିତ ଇରିଞ୍ଜାଡ଼ାପିଲ୍ଲୀ ଶ୍ରୀକୃଷ୍ଣ ମନ୍ଦିରରେ ରହିଛି ଏହି ରୋବର୍ଟ ହାତୀ । ଏହି ରୋବଟିକ୍ ହାତୀର ଆକାର ପ୍ରକୃତ ହାତୀ ଭଳି । ଅଭିନେତ୍ରୀ ପାର୍ବତୀ ତିରୁବୋତୁଙ୍କ ପୃଷ୍ଠପୋଷକତାରେ ‘ପେଟା ଇଣ୍ଡିଆ’ ଉକ୍ତ ହାତୀଟିକୁ ମନ୍ଦିରକୁ ଉପହାର ଦେଇଛି। ଜୀବନ୍ତ ଦିଶୁଥିବା ଏହି ଯାନ୍ତ୍ରିକ ହାତୀର ନାମ ରଖାଯାଇଛି ଇରିଞ୍ଜାଡ଼ାପିଲ୍ଲୀ ରମଣ । ଏହାର ଉଚ୍ଚତା ସାଢ଼େ ଦଶ ଫୁଟ୍ ଓ ଓଜନ ୮୦୦ କିଲୋ। ଏହି ହାତି ୪ଜଣଙ୍କୁ ପିଠିରେ ବସାଇ ନେଇ ପାରିବ। ଏହାର ମୁଣ୍ଡ, ଆଖି, ପାଟି, କାନ ଓ ଲାଞ୍ଜ ସବୁ ବିଦ୍ୟୁତ୍ଚାଳିତ। ଏହାର ଭିତର ଅଂଶ ଲୁହାରେ ତିଆରି ହୋଇଥିବାବବେଳେ ବାହାର ଅଂଶ ରବରରେ ତିଆରି ହୋଇଛି । ଏହା ସାଧାରଣ ହାତୀ ଭଳି ମୁଣ୍ଡ ହଲାଇ ପାରିବ । କାନ ମଧ୍ୟ ହଲାଇ ପାରିବ । ଆଖିକୁ ବି ବନ୍ଦ କରି ଖୋଲି ପାରିବ । ଏଥିପାଇଁ ରୋବଟିକ୍ ହାତୀ ଦେହରେ ୫ଟି ମଟର ଖଞ୍ଜା ଯାଇଛି । ସାଧାରଣ ହାତୀ ମାହାନ୍ତୁଙ୍କ ଦ୍ବାରା ପରିଚାଳିତ ହେଉଥିବା ବେଳେ ଏହି ହାତୀ ଇଲେକ୍ଟ୍ରି ସୁଇଚ୍ ଦ୍ବାରା ପରିଚାଳିତ ହେଉଛି ।
ମନ୍ଦିରରେ ଅନୁଷ୍ଠିତ ହେଉଥିବା ଉତ୍ସବ ଅଥବା ଅନ୍ୟ କୌଣସି କାର୍ଯ୍ୟ ନିମନ୍ତେ ହାତୀ କି, ଅନ୍ୟ କୌଣସି ପଶୁଙ୍କୁ ନିୟୋଜତି କରାଯିବ ନାହଁ ବୋଲି ନିକଟରେ ମନ୍ଦିର ତରଫରୁ ଘୋଷଣା କରାଯାଇଥିଲା । ଏହାପରେ ‘ପେଟା’ ଇଣ୍ଡିଆ ଏହି ‘ରୋବଟିକ୍ ହାତୀ’ ନିର୍ମାଣ କରିଛି। ନିକଟରେ ଇରିଞ୍ଜାଡ଼ାପିଲ୍ଲୀ ରମଣର ‘ନାଦାୟିରୁତାଲ୍’ ଅର୍ଥାତ ଈଶ୍ବରଙ୍କୁ ହସ୍ତୀ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା।
‘ପେଟା’ ଇଣ୍ଡିଆ ନିଜ ବିବୃତିରେ କହିଛି କି ଜୀବଜନ୍ତୁଙ୍କୁ ବନ୍ଦୀ କରି ରଖାଯିବା ଦ୍ବାରା ସେମାନଙ୍କ ବ୍ୟାବହାରରେ ପରିବର୍ତ୍ତନ ଆସୁଛି । ଅନେକ ସମୟରେ ହାତୀମାନେ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରିଥାନ୍ତି । ହାତୀମାନେ ଶିକୁଳି ଛିଡ଼ାଇ ଧାଆଁ ଦୌଡ଼ କରୁଥିବାରୁ ଜନସାଧାରଣ ଅସୁବିଧାରେ ପଡ଼ିଥାନ୍ତି । ଏହାସହ ଅନ୍ୟାନ୍ୟ ଜୀବଜନ୍ତୁ ଓ ଘରଦ୍ବାର କ୍ଷତିଗ୍ରସ୍ତ ହେଉଛି।
ରିପୋର୍ଟ ଅନୁସାରେ ଗତ ୧୫ ବର୍ଷରେ କେରଳରେ ବନ୍ଦୀ ଥିବା ହାତୀଙ୍କ ଉପଦ୍ରବ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ହାତୀ ୫୨୬ଜଣ ଲୋକଙ୍କୁ ମାରିଥିବା ‘ହେରିଟିଜ୍ ଆନିମଲ୍ ଟାସ୍କ୍ ଫୋର୍ସ’ ରିପୋର୍ଟ କରିଛି। ତେବେ ମନ୍ଦିରରେ ହାତୀ ବଦଳରେ ରୋବଟିକ୍ ହାତୀ ପୂଜା ପାଇବା ପ୍ରକୃତରେ ଏକ ଅଜବ ଘଟଣା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।