News18 Odia Digital
କୋଇକୁଡ୍: କେରଳର କୋଇକୁଡ୍ (Kozhikode) ବିମାନ ଦୁର୍ଘଟଣାରେ (Kerala Plane Crash) ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଏବେ ୨୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି । ଦୁର୍ଘଟଣା ସ୍ଥଳରୁ ମିଳିଛି ବିମାନର ବ୍ଲାକ୍ ବକ୍ସ ଓ ଆରମ୍ଭ ହୋଇଛି ତଦନ୍ତ । ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ।
ଶୁକ୍ରବାର ସନ୍ଧ୍ୟାରେ କେରଳର କୋଇକୁଡ୍ (Kozhikode) ବିମାନ ବନ୍ଦରରେ ସ୍ଥିତି ଥିଲା ବିପଜ୍ଜନକ । ଏୟାରପୋର୍ଟରେ ପ୍ରବଳ ବର୍ଷା ହେଉଥିଲା । ଠିକ୍ ଭାବେ ଦେଖାଯାଉନଥିଲା ରନ୍ୱେ । ପାଣିରେ ଭରିଯାଇଥିଲା ବିମାନର ଲ୍ୟାଣ୍ଡିଂ ପଥ । ବେଶ୍ ଖସଡ଼ା ଥିଲା ରନୱେ । ଏଭଳି ଅବସ୍ଥାରେ ଦୁବାଇରୁ ମୋଟ ୧୯୧ ଜଣଙ୍କୁ ଧରି ଆସୁଥିବା ଏଆର ଇଣ୍ଡିଆ ଏକ୍ସପ୍ରେସ (Air ndia Express)ର ୭୩୭ ବୋଇଂ ବିମାନକୁ ୭ଟା ୪୦ ମିନିଟ୍ରେ ଅବତରଣ କରିବାର ଥିଲା । ପ୍ରଥମେ ଦୁଇ ଥର ଲ୍ୟାଣ୍ଡିଂ ପାଇଁ ପ୍ରୟାସ କରି ବିଫଳ ହୋଇଥିଲେ ପାଇଲଟ୍ । ଆଉ ୭ଟା ୫୫ ମିନିଟ୍ ସମୟରେ ତୃତୀୟ ଥର ଲ୍ୟାଣ୍ଡିଂ ପାଇଁ ଉଦ୍ୟମ କରି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହେଲେ ।
ବିମାନଟି ରନ୍ୱେରୁ ଆଗକୁ ବଢ଼ିଯାଇ ଏକ ଖାତ ମଧ୍ୟକୁ ଖସିଯାଇ ବାଉଣ୍ଡ୍ରି ୱାଲ୍ରେ ଧକ୍କା ଖାଇଥିଲା । ଦୁଇ ଭାଗ ହୋଇଯାଇଥିଲା ଏରୋପ୍ଲେନ୍ । ତୁରନ୍ତ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।

ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ।
ଦୁର୍ଘଟଣାଗ୍ରସ୍ତ ପାଇଲଟ୍ ଓ ସହ-ପାଇଲଟ୍ଙ୍କ ସମେତ ଏ ଯାଏଁ ମୋଟ ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୯ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି କେରଳ ମୁଖ୍ୟ ମନ୍ତ୍ରୀ ପିନରାୟ ବିଜୟନ (Kerala CM Pinarayi Vijayan) । ଗୁରୁତର ଆହତମାନଙ୍କ ପାଇଁ ୨ ଲକ୍ଷ ଏବଂ ସାମାନ୍ୟ ଆହତ ହୋଇଥିବା ଯାତ୍ରୀଙ୍କ ପାଇଁ ଘୋଷଣା କରାଯାଇଛି ୫୦ ହଜାର ଟଙ୍କାର କ୍ଷତିପୂରଣ ।
ଏବେ ଏହି ବିମାନ ଦୁର୍ଘଟଣାର ତଦନ୍ତ ଆରମ୍ବ ହୋଇଯାଇଛି । ବିମାନର ବ୍ଲାକ୍ ବକ୍ସ (black box of plane) ମିଳିଛି । ଏଥିରୁ ହିଁ ଜଣାପଡ଼ିବ ଦୁର୍ଘଟଣାର ପ୍ରକୃତ କାରଣ ।

ଉପରୁ ତଳକୁ ଖସିପଡ଼ିବା ପରେ ବିମାନର ଦୃଶ୍ୟ
‘‘ପ୍ରାଥମିକ ଭାବେ ବିମାନ ବନ୍ଦରର ଅବସ୍ଥିତି ଓ ଦୁର୍ଘଟଣା ସମୟର ପରିସ୍ଥିତି ଏଥି ପାଇଁ ଦାୟୀ ବୋଲି ଲାଗୁଛି । ହେଲେ ତଦନ୍ତ ସରିବା ଯାଏଁ କୌଣସି ପ୍ରକାର ଅନୁମାନ କରିବା ଭୁଲ୍ ହେବ । ବିମାନର ପାଇଲଟ୍ ଥିଲେ ବେଶ୍ ଅଭିଜ୍ଞ । କୋଇକୁଡ୍ ବିମାନ ବନ୍ଦରରେ ସେ ପୂର୍ବରୁ ୨୦ ଥର ଲ୍ୟାଣ୍ଡିଂ କରିଥିଲେ,’’ କହିଛନ୍ତି ଘଟଣା ସ୍ଥଳ ପରିଦର୍ଶନ କରିଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ।
ଏହା ବି ପଢ଼ନ୍ତୁ | PM ମୋଦୀଙ୍କ ବିଶ୍ୱସ୍ତ IAS ଅଫିସର୍ ଗିରିଶ ଚନ୍ଦ୍ର ମୁର୍ମୁ CAG ପଦରେ ଆସୀନ ହୋଇଥିବା ପ୍ରଥମ ଆଦିବାସୀଏହା ବି ପଢ଼ନ୍ତୁ | ଅଗଷ୍ଟରେ କରୋନା ରେକର୍ଡ଼ ଭାଙ୍ଗିଲା; ବିଶ୍ୱର ସବୁ ଠୁ ବେଶୀ ମାମଲା ଭାରତରେପ୍ରଧାନ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନ ଦୁର୍ଘଟଣାସ୍ଥଳ ଗସ୍ତ କରିସାରିଛନ୍ତି । ‘‘କହିଛନ୍ତି ଠିକ୍ ସମୟରେ ପାଇଲଟ୍ ଉପସ୍ଥିତ ବୁଦ୍ଧି ଖଟାଇଥିଲେ । ନିଜ ଜୀବନକୁ ଖାତିର ନକରି ସେ ତୁରନ୍ତ ଇଞ୍ଜିନ୍ ବନ୍ଦ କରିଦେଇଥିଲେ । ଫଳରେ ତେଲ ଟାଙ୍କିରେ ନିଆଁ ଲାଗି ନ ଥିଲା । ଏହା ଫଳରେ ବହୁ ସଂଖ୍ୟାରେ ଯାତ୍ରୀଙ୍କର ଜୀବନ ବଞ୍ଚିଗଲା,’’ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଭି. ମୁରଲୀଧରନ୍ ।
କୋଇକୁଡ୍ ଏୟାରପୋର୍ଟର ଟେବୁଲ୍ ଟପ୍ ରନ୍ୱେକୁ (table top runway) ଦୁର୍ଘଟଣାର ଅନ୍ୟତମ ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହା ଏମିତି ଏକ ଏୟାରପୋର୍ଟ ଯାହାର ରନ୍ୱେର ଗୋଟିଏ ପଟେ ରହିଛି ଗଭୀର ଖାତ । କିଛି ବର୍ଷ ତଳେ ମାଙ୍ଗାଲୋର ବିମାନ ବନ୍ଦରରେ (Mangalore airport) ସମାନ ଧରଣର ଦୁର୍ଘଟଣା ଘଟିଥିଲା । କୋଇକୁଡ୍ ଦୁର୍ଘଟଣା ପରେ ଟେବୁଲ୍ ଟପ୍ ରନ୍ୱେ ଥିବା ମାଙ୍ଗାଲୋର ବିମାନ ବନ୍ଦରରେ ବିମାନ ଚଳାଚଳ ସାମୟିକ ଭାବେ ବାତିଲ୍ କରିଦିଆଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।