News18 Odia Digital
କୋଚି: କରୋନା ସଂକ୍ରମଣକୁ ରୋକିବା ପାଇଁ ସମସ୍ତଙ୍କୁ ଟିକା ଦିଆଯାଉଛି। ଟିକା ସାଧାରଣତଃ ହାତରେ ଦିଆଯାଇଥାଏ। କିନ୍ତୁ ପ୍ରଥମ ଥର ପାଇଁ ଜଣେ ଯୁବକଙ୍କ ଗୋଡ଼ରେ ଏହି ଟିକା ଦିଆଯାଇଛି। ଏଭଳି ଘଟଣା ଘଟିଛି କେରଳରେ। ବାସ୍ତବରେ ପ୍ରଣବ ବାଲାସୁବ୍ରମଣ୍ୟମ୍ ନାମକ ଏହି ବ୍ୟକ୍ତି ବିନା ହାତରେ ଜନ୍ମ ହୋଇଥିଲେ। ତେଣୁ ହାତ ନଥିବା କାରଣରୁ ତାଙ୍କୁ ପାଦରେ କରୋନା ଟିକା ଦିଆଯାଇଥିଲା।
ଆଲାଥୁର ନିବାସୀ ପ୍ରଣବଙ୍କୁ ଟିକା କେନ୍ଦ୍ରରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ପ୍ରଣବଙ୍କର କେଉଁଠି ଟିକା ଦିଆଯିବ ସେ ନେଇ ଟିକା କେନ୍ଦ୍ରରେ ଉପସ୍ଥିତ ସମସ୍ତ ଅଧିକାରୀ ବ୍ୟସ୍ତ ହୋଇ ପଡ଼ିଲେ। କିନ୍ତୁ ଖୁବ୍ ଶୀଘ୍ର ପ୍ରଣବଙ୍କୁ ଟିକା ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗରୁ ଅନୁମତି ଆସିଲା ଏବଂ ତାଙ୍କ ଗୋଡ଼ରେ ଟିକା ଦିଆଯାଇଥିଲା। ପ୍ରଣବ ସାଇକେଲ ଯୋଗେ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିଲେ।
ପ୍ରଣବ ପୂର୍ବରୁ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ୨୦୧୯ ମସିହାରେ ସେ ତାଙ୍କର ୨୧ତମ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ସହ ସେଲଫି ନେଇଥିଲେ। ବାସ୍ତବରେ ସେହି ସମୟରେ ସେ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ସଞ୍ଚୟରୁ ୫୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (CMDRF)କୁ ହସ୍ତାନ୍ତର କରିଥିଲେ। ସେ କେରଳରେ ବନ୍ୟା ସମୟରେ ଅନେକ ରିଲିଫ କ୍ୟାମ୍ପ ମଧ୍ୟ ପରିଦର୍ଶନ କରିଥିଲେ।
ପ୍ରଣବ ଜଣେ ବି.କମ୍ ଡିଗ୍ରୀଧାରୀ ଶିକ୍ଷିତ ଯୁବକ। ସେ ଜଣେ ଭଲ କଳାକାର ମଧ୍ୟ। ସେ ଚିତ୍ର ବିକ୍ରି କରି ନିଜର ରୋଜଗାର କରନ୍ତି। ତାଙ୍କର ପିଲାଦିନର ସ୍ୱପ୍ନ ଥିଲା କାର ଚଳାଇବା। ହାତ ନଥିବା କାରଣରୁ ତାଙ୍କୁ ଲାଇସେନ୍ସ ମିଳିପାରିନାହିଁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।