News18 Odia Digtial
ଟ୍ରାଫିକ୍ ଚାଲାଣ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ । ପୁଣି ଥାନାରେ ବୁଝାମଣା ହୋଇପାରି ନଥିବା ବେଳେ ମାମଲା ଏବେ କୋର୍ଟରେ । କେରଳ ରାସ୍ତାରେ ଟ୍ରାଫିକ୍ ବିଭାଗ ପକ୍ଷରୁ ଲାଗିଥିବା କ୍ୟାମେରା, ଏବେ ଗୋଟେ ପରିବାରରେ ସୃଷ୍ଟି କରିଛି ଏମିତି ଝଡ଼ ।
ଟ୍ରାଫିକ କ୍ୟାମେରାରେ କେମିତି କଏଦ ହେଲା ଚୋରା ପୀରତି ?ଇଦୁକି ଜିଲ୍ଲାର ଜଣେ ୩୨ ବର୍ଷୀୟ ଯୁବକ ଗତ ଏପ୍ରିଲ ୨୫ ତାରିଖରେ ସ୍କୁଟିରେ ଯାଉଥିଲେ । ପଛରେ ସେ ଜଣେ ମହିଳାଙ୍କୁ ବସାଇଥିଲେ । ତେବେ ପିଲିଅନ୍ ରାଇଡର୍ ମହିଳା ଜଣକ ହେଲମେଟ୍ ପିନ୍ଧି ନଥିବାରୁ ରାସ୍ତାରେ ଲାଗିଥିବା କ୍ୟାମେରାରେ କଏଦ୍ ହୋଇଥିଲା ଟ୍ରାଫିକ୍ ନିୟମ ଉଲ୍ଲଂଘନର ଫଟୋ । ଗାଡ଼ିର ପଞ୍ଜୀକରଣ ନମ୍ବର ଅନୁସାରେ ଲିଙ୍କ ହୋଇଥିବା ମାଲିକଙ୍କ ମୋବାଇଲ୍ ନମ୍ବରକୁ ଚାଲାଣ ସହ ଫଟୋ ଯାଇଥିଲା । ତେବେ ଗାଡ଼ିଟି ସଂପୃକ୍ତ ଯୁବକଙ୍କ ସ୍ତ୍ରୀଙ୍କ ନାମରେ ଥିବାରୁ ତାଙ୍କ ମୋବାଇଲ ଫୋନକୁ ହିଁ ଚାଲାଣ ଏବଂ ଫଟୋ ଆସିଥିଲା ।
ଫଟୋ ଦେଖିବା ପରେ ମହିଳାଙ୍କ ପାଦ ରକ୍ତ ମୁଣ୍ଡକୁ ଉଠି ଯାଇଥିଲା । ‘ଏ ମହିଳା ଜଣକ କିଏ... କାହାକୁ ସ୍କୁଟି ପଛରେ ବସାଇ କୁଆଡ଼େ ଯାଉଥିଲ... ଏ ମହିଳା ସହ ତୁମର କ’ଣ ସମ୍ପର୍କ... କେତେଦିନ ହେଲା ସମ୍ପର୍କ... ଏମିତି କେତେଥର କୁଆଡ଼େ କୁଆଡ଼େ ବୁଲିଛ’... ଏମିତି ପୁଳା ପୁଳା ପ୍ରଶ୍ନରେ ସଂପୃକ୍ତ ଯୁବକଙ୍କୁ ପୋତି ପକାଇଥିଲେ ତାଙ୍କ ସ୍ତ୍ରୀ । ‘ସେ କିଏ ମୁଁ ଜାଣିନି... ତାଙ୍କ ସହ ମୋର କିଛି ସମ୍ପର୍କ ନାହିଁ... ଏମିତି ଯାଉଥିବା ବେଳେ ସେ ଲିଫ୍ଟ ମାଗିଲେ, ମୁଁ ଲିଫ୍ଟ ଦେଇଥିଲି । ମୋତେ ବିଶ୍ବାସ କର, ତୁମ ରାଣ ଖାଉଛି’... ଏମିତି କେତେ କ’ଣ କହି ସ୍ତ୍ରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସଂପୃକ୍ତ ଯୁବକ । ହେଲେ ସ୍ତ୍ରୀଙ୍କ ସନ୍ଦେହ ଦୂର କରିବାରେ ସମ୍ପୂର୍ଣ୍ଣ ବିଫଳ ହେଲେ ।
ପଢ଼ନ୍ତୁ ଏ ଖବର
ସରିଯାଏ ଇମୋସନ, ଶୁଣିବାକୁ ମିଳେ ଭୟାନକ ଶବ୍ଦ; ସବୁବେଳେ ଭ୍ରମରେ ବଞ୍ଚନ୍ତି ଏହି ରୋଗୀଏହି କଥାକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଉଗ୍ର ହେଲା । ଶେଷରେ ସ୍ତ୍ରୀ ଜଣକ ଥାନରେ ଯାଇ ଅଭିଯୋଗ କଲେ । ଅନ୍ୟ ଜଣେ ମହିଳାଙ୍କୁ ଧରି ତାଙ୍କ ସ୍ବାମୀ ବୁଲୁଥିଲେ, ଏହି କଥା ପଚାରିବାରୁ ସେ, ତାଙ୍କୁ ଓ ତାଙ୍କ ୩ ବର୍ଷର ପୁଅକୁ ମାରଧର କରିଥିବା ଥାନାରେ ଅଭିଯୋଗ କରିଥିଲେ ମହିଳା । ଘରୋଇ ମାମଲା ବେଶୀ ନ ବଢ଼ାଇବାକୁ ଚାହୁଁଥିବା ପୋଲିସ, ଉଭୟଙ୍କୁ ବହୁ ବୁଝାଶୁଝା କରାଇଥିଲା । କିନ୍ତୁ ଅଭିଯୋଗକାରିଣୀ ବୁଝିବା ନାଁ ନଧରିବାରୁ ପୋଲିସ, ସଂପୃକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।