News18 Odia Digital
କର୍ଣ୍ଣାଟକରେ ନେତାଙ୍କୁ ଘାରିଲାଣି ଅମାବାସ୍ୟା ଭୟ । ଆସନ୍ତାକାଲି ଗୁରୁବାର ଅମାବାସ୍ୟା ତିଥି ପଡୁଛି । ଏହା ସହିତ ବି ବିଦେଶରେ ଦୃଶ୍ୟମାନ ହେବ ବିରଳ ସୂର୍ଯ୍ୟୋପରାଗ (Solar Eclipse) ବି ରହିଛି । ଏହାକୁ ନେଇ କର୍ଣ୍ଣାଟକ ବିଧାନସଭା ନିର୍ବାଚନ (Karnataka Assembly Election)ରେ ନେତାଙ୍କୁ ନୋମିନେସନ (Nomination) ସମୟରେ ଘାରିଛି ଅମାବାସ୍ୟାର ଭୟ । ସେହି କାରଣରୁ ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ରହିଥିଲେ ମଧ୍ୟ ସମସ୍ତେ ଆଜି ନାମାଙ୍କନ ପତ୍ର ଦାଖଲ କରିବାକୁ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଭିଡ ଜମାଉଥିବା ଦେଖିବାକୁ ମିଳିଛି ।
ଅମାବାସ୍ୟା ପୂର୍ବରୁ ନେତାଙ୍କର ଏମିତି ନାମାଙ୍କନ ପାଇଁ ଭିଡ଼ ସାରା କର୍ଣ୍ଣାଟକରେ ଦେଖିବାକୁ ମିଳିଛି । ସମସ୍ତ ନେତାଙ୍କ ମଧ୍ୟରେ ଅମାବାସ୍ୟାକୁ ଅଶୁଭ ବୋଲି ଭାବନା ରହିବା ସହ ଏହା ପୂର୍ବରୁ ଆଜି ନାମାଙ୍କନ ସାରିବାକୁ ଯୋଜନା ଥିବା ଜଣାପଡିଛି । ଗୁରୁବାର ଅମାବାସ୍ୟା ପଡୁଥିବାରୁ, ବୁଧବାର ହିଁ ଅଧିକାଂଶ ନୋମିନେସନ୍ ଫର୍ମ ଦାଖଲ ହୋଇଯିବା ପରି ସମ୍ଭାବନା ଦେଖା ଦେଇଛି । ଏମିତି ସ୍ଥିତିରେ ସମସ୍ତ ନେତାଙ୍କ ମଧ୍ୟରେ ଅମାବାସ୍ୟାକୁ ନେଇ ଭୟ ରହିଥିବା କୁହାଯାଉଛି । ଆଜି ନିଜ ଘରେ ପୂଜାର୍ଚ୍ଚନା ପରେ ମନ୍ଦିରରେ ଦର୍ଶନ କରି ନାମାଙ୍କନ ଭରିବାକୁ ବାହାରିଛନ୍ତି ବିଏସ ୟେଦୁରପ୍ପାଙ୍କ ପୁଅ ବିଜୟେନ୍ଦ୍ର ।
https://www.youtube.com/watch?v=p1acS4FKFS8
ଚଳିତ ବର୍ଷ କର୍ଣ୍ଣାଟକରେ କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଜନତା ଦଳ ସେକୁଲାର ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ଆସନ୍ତା ୧୦ ମେରେ କର୍ଣ୍ଣାଟକରେ ଭୋଟ୍ ପଡିବ । ୧୩ ତାରିଖରେ ଆସିବ ଫଳାଫଳ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୪ଟି ପର୍ଯ୍ୟାୟରେ ୨୨୪ ଆସନରେ ପ୍ରାର୍ଥୀ ଦେଇଛି । ୨୨୪ରୁ ୧୪୯ ଟି ଆସନରେ ପ୍ରାର୍ଥୀ ଦେଇଛି ଜେଡିଏସ । ବିଜେପି ୨୨୪ରୁ ୨୨୪ ଆସନରେ ପ୍ରାର୍ଥୀ ଦେଇଛି । ୨୦୧୮ ନିର୍ବାଚନରେ ବିଜେପି ୧୧୯, କଂଗ୍ରେସ ୭୫ ଏବଂ ଜେଡିଏସ ୨୮ ଆସନ ଦଖଲ କରିଥିଲା ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେ. ପି. ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ନୀତୀନ ଗଡକରୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏପ୍ରିଲ ୨୬, ୩୦ ଏବଂ ମେ ୬ ତାରିଖରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।