News 18 Odia Digital
କର୍ଣ୍ଣାଟକ: କର୍ଣ୍ଣାଟକର ମାଙ୍ଗାଲୁରୁ ସହରରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ମାସ୍କ ପିନ୍ଧିଥିବା କିଛି ଲୋକ ଫୈଜଲ ନାମକ ଜଣେ ଯୁବକଙ୍କୁ ଟାର୍ଗେଟ କରି ତାଙ୍କୁ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ଯୁବକ ଜଣକ ପ୍ରାଣ ହରାଇଥିଲେ। ଏହି ଘଟଣା ପରଠାରୁ ଏହି ବିଷୟରେ ଅନେକ ଆଲୋଚନା ହେବା ସହିତ ସେହି ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଲିଛି। ଏହାକୁ ଦୃଷ୍ଟିରେ ରଖି ପୋଲିସ ସମଗ୍ର ଅଞ୍ଚଳରେ ଧାରା ୧୪୪ ଲାଗୁ କରିଛି । ପ୍ରାୟ ଏକ ସପ୍ତାହ ମଧ୍ୟରେ, କନ୍ନଡ ଜିଲ୍ଲାର ଏହା ହେଉଛି ତୃତୀୟ ହତ୍ୟା ମାମଲା।
ଜିଲ୍ଳାରେ ଚାଲିଥିବା ହତ୍ୟାକାଣ୍ଡ ସମ୍ପର୍କରେ ସିଏମ୍ ବାସଭରାଜ ବୋମ୍ମାଇ କହିଛନ୍ତି ଯେ ଆମ ପାଇଁ ସମସ୍ତ ଲୋକଙ୍କ ଜୀବନ ମୂଲ୍ୟବାନ ଓ ସମାନ। ତିନୋଟି ହତ୍ୟା ମାମଲାରେ ଆମେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ଆବଶ୍ୟକ ହେଲେ କର୍ଣ୍ଣାଟକ ମଡେଲ ଅଧୀନରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇପାରେ।
ମାଙ୍ଗାଲୁରୁ ପୋଲିସ କମିଶନର ଏନ୍ ଶଶିକୁମାର ଏହି ଘଟଣା ବିଷୟରେ କହିଛନ୍ତି ଯେ ଆମେ ସମସ୍ତ ମୁସଲମାନ ନେତାଙ୍କୁ ନିଜ ଘରେ ନମାଜ ପଢ଼ିବାକୁ ନିବେଦନ କରୁଛୁ। ଯାହା ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବାରେ ସାହାଯ୍ୟ କରିବ। ସେ କହିଛନ୍ତି ଯେ, କେଉଁ କାରଣରୁ ଅଭିଯୁକ୍ତ ଏହି ହତ୍ୟାକାଣ୍ଡ ଘଟାଇଥିଲା, ବର୍ତ୍ତମାନ ଏହାର ତଦନ୍ତ କରାଯାଉଛି। ପୋଲିସ କମିଶନର ଆହୁରି କହିଛନ୍ତି ଯେ ଏହି ଅଞ୍ଚଳରେ ଥିବା ସମସ୍ତ ମଦ ଦୋକାନଗୁଡ଼ିକ ଶୁକ୍ରବାର ଦିନ ସମ୍ପୂର୍ଣ୍ଣ ବନ୍ଦ ରହିବ।
ଏହାପୂର୍ବରୁ କନ୍ନଡ ଜିଲ୍ଲାରେ ଜଣେ ବିଜେପି କର୍ମୀ ପ୍ରବୀଣ ନେଟ୍ଟାରୁଙ୍କୁ ହତ୍ୟା କରାଯାଇଥିଲା।ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏଥି ସହିତ ସିଏମ ପାର୍ଶ୍ୱରୁ ପରିବାରକୁ କ୍ଷତିପୂରଣ ଦେବା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହା କୁହାଯାଇଛି ଯେ ଅଭିଯୁକ୍ତମାନେ ପିଏଫଆଇ ସହ ଜଡିତ। ଏହାପୂର୍ବରୁ ଜୁଲାଇ ୧୯ରେ ଜଣେ ୧୮ ବର୍ଷ ଯୁବକଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।