Karnataka politics: ବିଜେପି ଛାଡ଼ି କଂଗ୍ରେସର ହାତ ଧରିଲେ ଜଗଦୀଶ ସେଟ୍ଟାର

କର୍ଣ୍ଣାଟକ ନାଟକରେ ନୂଆ ଟ୍ବିଷ୍ଟ୍ । ଲକ୍ଷ୍ମଣଙ୍କ ପରେ କଂଗ୍ରେସ କ୍ୟାମ୍ପର ସେଟ୍ଟାର । ଲିଙ୍ଗାୟତ ବେଲ୍ଟରେ ବିଜେପିକୁ ବଡ଼ ଝଟକା । କର୍ଣ୍ଣାଟକ ପାଇଁ ରାହୁଲଙ୍କ ‘ମିଶନ ୧୫୦’ ।

Karnataka politics: ବିଜେପି ଛାଡ଼ି କଂଗ୍ରେସର ହାତ ଧରିଲେ ଜଗଦୀଶ ସେଟ୍ଟାର

Karnataka politics: ବିଜେପି ଛାଡ଼ି କଂଗ୍ରେସର ହାତ ଧରିଲେ ଜଗଦୀଶ ସେଟ୍ଟାର

  • News18 Odia
  • Last Updated :
  • Karnataka, India
  • Share this:
News 18 Odia Digital

ବାଙ୍ଗାଲୋର: କର୍ଣ୍ଣାଟକରେ ବିଜେପି (bjp)କୁ ଆଉ ଏକ ଶକ୍ତ ଝଟକା । ବିଜେପି ଛାଡ଼ି କଂଗ୍ରେସର ହାତ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର (jagadish shettar) । ଲକ୍ଷ୍ମଣଙ୍କ ପରେ ସେଟ୍ଟାର ହେଉଛନ୍ତି ବିଜେପିର ଦ୍ବିତୀୟ ପ୍ରଭାବଶାଳୀ ଲିଙ୍ଗାୟତ ନେତା, ଯିଏ କଂଗ୍ରେସରେ ସାମିଲ ହୋଇଛନ୍ତି । ସେଟ୍ଟାରଙ୍କ ଯୋଗଦାନ, କଂଗ୍ରେସକୁ ଉତ୍ତର କର୍ଣ୍ଣାଟକରେ ଫାଇଦା ଦେଇପାରେ । ନିର୍ବାଚନ ପୂର୍ବରୁ, ବିଜେପିରୁ ୨ ଡଜନରୁ ଅଧିକ ନେତା, କଂଗ୍ରେସ (congress) କ୍ୟାମ୍ପରେ ସାମିଲ ହୋଇଥିବା ବେଳେ, କର୍ଣ୍ଣାଟକ ପାଇଁ ମିଶନ ୧୫୦ର ଆହ୍ବାନ ଦେଇଛନ୍ତି ରାହୁଲ ଗାନ୍ଧି । ରାହୁଲ, ବିଦାରରେ ନିର୍ବାଚନୀ ସଭାରେ ଚାରି ସୂତ୍ରୀ ଗ୍ୟାରେଣ୍ଟି ଦେବା ସହ, ଓବିସି ଜନଗଣନା କରାଇବାକୁ କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇଛନ୍ତି ।

କର୍ଣ୍ଣାଟକରେ ଭୁଶୁଡୁଛି କି ବିଜେପିର ଲିଙ୍ଗାୟତ ଗଡ଼ ? ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଦି (lakshman savadi)ଙ୍କ ପରେ କଂଗ୍ରେସରେ ସାମିଲ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜଗଦୀଶ ସେଟ୍ଟାର । ଲକ୍ଷ୍ମଣଙ୍କ ପରେ ସେଟ୍ଟାର ହେଉଛନ୍ତି, ଉତ୍ତର କର୍ଣ୍ଣାଟକର ଦ୍ବିତୀୟ ପ୍ରଭାବଶାଳୀ ଲିଙ୍ଗାୟତ ଚେହେରା, ଯିଏ ପଦ୍ମ ଛାଡ଼ି ହାତ ଧରିଛନ୍ତି । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ, କଂଗ୍ରେସ ସାଧାରଣ ସଂପାଦକ କେସି ବେଣୁଗୋପାଳ, କର୍ଣ୍ଣାଟକ ପିସିସି ଅଧ୍ୟକ୍ଷ ଡିକେ ଶିବକୁମାର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଉପସ୍ଥିତିରେ କଂଗ୍ରେସ କ୍ୟାମ୍ପରେ ମିଶିଛନ୍ତି ସେଟ୍ଟାର । କଂଗ୍ରେସରେ ସାମିଲ ହେବାର କିଛି କ୍ଷଣ ମଧ୍ୟରେ, ସେଟ୍ଟାରଙ୍କୁ ହୁବଲି-ଧରୱାର୍ଡ ସେଣ୍ଟ୍ରାଲ୍ ଆସନ ଟିକେଟ୍ ହସ୍ତାନ୍ତର କରିଛନ୍ତି ଶିବକୁମାର । ସେଟ୍ଟାରଙ୍କ ପ୍ରଥମ ପ୍ରତିକ୍ରିୟା, ବିଜେପିରୁ ନ୍ୟାୟ ମିଳିଲା ନାହିଁ । ସେ କଂଗ୍ରେସ ପାଇଁ ବିଶ୍ବାସ ଏବଂ ପ୍ରତିବଦ୍ଧତା ସହ କାମ କରିବେ । ଉତ୍ତର କର୍ଣ୍ଣାଟକରେ ୨୦ରୁ ୨୫ ଆସନରେ ତାଙ୍କର ପ୍ରଭାବ ରହିଛି । ଯାହାର ସିଧାସଳଖ ଫାଇଦା କଂଗ୍ରେସକୁ ଯିବ ବୋଲି ସେଟ୍ଟାର ପ୍ରତିଶ୍ରୁତି ଦେଇଛନ୍ତି ।

ଲକ୍ଷ୍ମଣଙ୍କ ପରେ ସେଟ୍ଟାର । କିଟୁର କର୍ଣ୍ଣାଟକରେ କଂଗ୍ରେସକୁ ଡବଲ ଫାଇଦା । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ଯକ୍ଷ ଖଡ଼ଗେ ଏବଂ ରାଜ୍ୟ ପିସିସି ଅଧ୍ୟକ୍ଷ ଶିବକୁମାର କହିଛନ୍ତି ଯେ, ସେଟ୍ଟାରଙ୍କ ଯୋଗଦାନ ଦଳକୁ ଅଧିକ ମଜଭୁତ କରିବ । ବିଜେପି ନେତାମାନଙ୍କ କଂଗ୍ରେସରେ ଯୋଡ଼ିହେବା ଏକ ଐତିହାସିକ, ପ୍ରଗତି ଏବଂ ପରିବର୍ତ୍ତନର ମୁହୂର୍ତ୍ତ ।

ଲକ୍ଷ୍ମଣ ଏବଂ ସେଟ୍ଟାରଙ୍କୁ କଂଗ୍ରେସ କ୍ୟାମ୍ପକୁ ଆଣିବାରେ ଶିବକୁମାରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଶିବକୁମାର ହେଉଛନ୍ତି କଂଗ୍ରେସରେ ଲୋକପ୍ରିୟ ଲିଙ୍ଗାୟତ ଚେହେରା ତଥା ମୁଖ୍ୟମନ୍ତ୍ରୀ ଆଶାୟୀ । କଂଗ୍ରେସ ମିଶ୍ରଣ ପର୍ବ ପରେ ନିଜର ପାରମ୍ପରିକ କନକପୁରା ଆସନରୁ ନାମାଙ୍କନ ଭରିଛନ୍ତି ଶିବକୁମାର । ସେ ହଜାର ହଜାର ସମର୍ଥକଙ୍କ ସହ ବିଶାଳ ଶୋଭାଯାତ୍ରାରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । କଂଗ୍ରେସର କହିବା କଥା, ବିଜେପି ଲିଙ୍ଗାୟତ କମ୍ୟୁନିଟି (community) ପ୍ରତି ଅବିଚାର ଏବଂ ଅନ୍ୟାୟ କରିଛି । ଏବେ ପରିବର୍ତ୍ତନର ସମୟ ଆସିଛି ଏବଂ କଂଗ୍ରେସ ସପକ୍ଷରେ ଜନ ସମର୍ଥନ ବଢି ବଢ଼ି ଚାଲିଛି ।

ସେଟ୍ଟାର ଏବଂ ଲକ୍ଷ୍ମଣଙ୍କୁ ସୁବିଧାବାଦୀ ବୋଲି କହିଛି ବିଜେପି । ମୁଖ୍ୟମନ୍ତ୍ରୀ ବୋମାଇ ତାତ୍ସଲ୍ୟ କରି କହିଛନ୍ତି ଯେ, ନିର୍ବାଚନ ସମୟରେ କଂଗ୍ରେସର ଲିଙ୍ଗାୟତ ପ୍ରୀତି ବାହାରୁଛି । ଅରୁଣ ସିଂହଙ୍କ କହିବା ହେଲା, ଦଳ ସେମାନଙ୍କୁ ସବୁ କିଛି ଦେଇଛି । ଏହା ସତ୍ବେ ସେମାନେ ଦଳ ଛାଡ଼ିଛନ୍ତି । ନିଶ୍ଚିତ ପଶ୍ଚତାପ କରିବେ ।

ଜଗଦୀଶ ସେଟ୍ଟାର । ଉତ୍ତର କର୍ଣ୍ଣାଟକରେ ଅନ୍ୟତମ ପ୍ରଭାବଶାଳୀ ରାଜ ନେତା ଏବଂ ଲୋକପ୍ରିୟ ଲିଙ୍ଗାୟତ ଲିଡର । ୧୯୫୫ ଡିସେମ୍ବର ୧୭ରେ ବାଗାଲକୋଟ ଜିଲ୍ଲା କେରୁରରେ ଜନ୍ମ । ପେଶାରେ ଓକିଲ, ହେଲେ ନିଶା ରାଜନୀତି । ଏବିଭିପି ଏବଂ ଆରଏସଏସ ପରେ ନବେ ଦଶକରେ ବିଜେପିରୁ ସକ୍ରିୟ ରାଜନୀତିରେ ଯୋଗଦାନ । ପ୍ରଥମେ ଜିଲ୍ଲା ଏବଂ ପରେ ରାଜ୍ୟସ୍ତରୀୟ ରାଜନୀତି (politics) । ଛଅ ଥର ବିଧାୟକ ନିର୍ବାଚିତ । ୧୯୯୬ରେ କର୍ଣ୍ଣାଟକ ବିଜେପିର ରାଜ୍ୟ ସମ୍ପାଦକ ଥିଲେ । ୧୯୯୯ରେ ବିଧାନସଭାରେ ବିରୋଧୀ ଦଳ ନେତା । ୨୦୦୫ରେ ବିଜେପି ରାଜ୍ଯ ଅଧ୍ଯକ୍ଷ ନିର୍ବାଚିତ । ୨୦୦୬ରେ କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ (revenue minister) ହୋଇଥିଲେ । ୨୦୦୮ରେ ବିଧାନସଭାରେ ବାଚସ୍ପତି ନିର୍ବାଚିତ । ଦକ୍ଷିଣ ଭାରତର କୌଣସି ରାଜ୍ୟରେ ବିଜେପିରୁ ପ୍ରଥମ ବାଚସ୍ପତି । ୨୦୦୯ରେ ପୁଣି ପଞ୍ଚାୟତିରାଜ ଏବଂ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ । ସେଟ୍ଟାର ହୋଇଥିଲେ କର୍ଣ୍ଣାଟକର ପଞ୍ଚଦଶ ମୁଖ୍ୟମନ୍ତ୍ରୀ । ୨୦୧୨ରୁ ୨୦୧୩ ମଧ୍ଯରେ ବିଜେପି ସରକାରରେ ମୁଖ୍ଯମନ୍ତ୍ରୀ ଥିଲେ ସେଟ୍ଟାର । ୨୦୧୮ରେ ନିଜର ପାରମ୍ପରିକ ହୁବଲି-ଧରୱାର୍ଡ ସେଣ୍ଟ୍ରାଲ୍ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଅନ୍ତ ଭଲା ହେ ତୋ ସବ୍ ଭଲା । ୬୮ ବର୍ଷୀୟ ସେଟ୍ଟାର ୨୦୨୩ ନିର୍ବାଚନ ପରେ ଆଉ ଲଢ଼ିବେ ନାହିଁ ବୋଲି ସଂକେତ ଦେଇଥିଲେ । ତେବେ ଟିକେଟ ପ୍ରଦାନରୁ ବଞ୍ଚିତ କଲା ବିଜେପି । ଫଳରେ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସ ହାତ ଧରିଛନ୍ତି ସେଟ୍ଟାର । ଏଥର ବି ସେହି ପାରମ୍ପରିକ ହୁବଲି-ଧରୱାର୍ଡ ସେଣ୍ଟ୍ରାଲ୍ ଆସନରୁ ଲଢିବେ ଜଗଦ୍ଦୀଶ ସେଟ୍ଟାର । ତେବେ ଦଳ ଏବଂ ଚିହ୍ନ ଭିନ୍ନ । ପଦ୍ମ ବଦଳରେ ହାତ ଚିହ୍ନରେ ମୈଦାନକୁ ଓହ୍ଲାଇବେ ସେ ।

କର୍ଣ୍ଣାଟକରେ କଂଗ୍ରେସର ମିଶନ ୱାନ୍ ଫିଫଟି (150) । ଗ୍ରାଣ୍ଡ ଓଲ୍ଡ ପାର୍ଟି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ରାହୁଲ ଗାନ୍ଧି । କୋଲାର ପରେ ବାଦାରରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ, କଂଗ୍ରେସ ପାର୍ଟିକୁ ଦେଢ଼ଶହ ଆସନ ପାର କରିବାକୁ ପଡ଼ିବ । ନଚେତ ଘୋଡ଼ା ବେପାରରେ ମାହିର ବିଜେପି, ନିର୍ବାଚିତ ସରକାରକୁ ହାଇଜାକ୍ କରିବାର ଆଶଙ୍କା ରହିଛି । କର୍ଣ୍ଣାଟକ ପାଇଁ କଂଗ୍ରେସର ୪ ସୂତ୍ରୀ ପ୍ରତିଶ୍ରୁତି- ଗୃହଲକ୍ଷ୍ମୀ, ଗୃହଜ୍ଯୋତି, ଅନ୍ନ ଭାଗ୍ୟ ଏବଂ ଯୁବାନିଧି ଘୋଷଣା କରିଛନ୍ତି ରାହୁଲ । ସେ କହିଛନ୍ତି ଯେ, ଯଦି କଂଗ୍ରେସ କ୍ଷମତାକୁ ଆସେ, ସରକାର ଗଠନର ପ୍ରଥମ ଦିନରେ ୪ଟି ଯାକ ଗ୍ୟାରେଣ୍ଟିକୁ ଆଇନରେ ପରିଣତ କରାଯିବ । ସେପଟେ ଓବିସି ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କୁ ଆହ୍ବାନ ଦେଇଛନ୍ତି ରାହୁଲ ଗାନ୍ଧି ।

ରୋଚକ ହେବାରେ ଲାଗିଛି କର୍ଣ୍ଣାଟକ ନାଟକ । ନିର୍ବାଚନ ପୂର୍ବରୁ ବିଜେପିରେ ପଡୁଛି ଗୋଟିଏ ପରେ ଗୋଟିଏ ବଡ଼ ୱିକେଟ । ଲକ୍ଷ୍ମଣଙ୍କ ପରେ ସେଟ୍ଟାର ଦ୍ବିତୀୟ ପ୍ରଭାବଶାଳୀ ଲିଙ୍ଗାୟତ ନେତା, ବିଜେପିକୁ ବାଏ ବାଏ କରି କଂଗ୍ରେସ କ୍ୟାମ୍ପରେ ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ବିଜେପିରୁ ୫ ଜଣ ବିଧାୟକ, ୨ ଜଣ ଏମଏଲସି, ୧୧ ଜଣ ପୂର୍ବତନ ବିଧାୟକ, ୪ ଜଣ ପୂର୍ବତନ ଏମଏଲସି, କଂଗ୍ରେସ ସହ ଯୋଡ଼ି ହୋଇ ସାରିଛନ୍ତି । ବିଜେପିରେ ୧୨ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ଥିବା ବେଳେ, ଆହୁରି ଲମ୍ବିପାରେ ବିଦ୍ରୋହୀ ତାଲିକା । ୨୦୨୩ ବିଧାନସଭା ନିର୍ବାଚନ ପୂର୍ବରୁ , କର୍ଣ୍ଣାଟକରେ ବିଦ୍ରୋହୀ ଏବଂ ଦଳ ବଦଳ ରାଜନୀତି, ନୂଆ ସମୀକରଣ ସୃଷ୍ଟି କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଏହି ଖବର ପଢ଼ନ୍ତୁ -  ବିଳାସପୂର୍ଣ୍ଣ କାରଠାରୁ ବି ମହଙ୍ଗା ଏହି ତିନୋଟି ମଇଁଷି: ଦର ଶୁଣିଲେ ହେବେ ଆଶ୍ଚର୍ଯ୍ୟ
Published by:Soubhagya Mishra
First published: