News18 Odia Digital
କର୍ଣ୍ଣାଟକ : କର୍ଣ୍ଣାଟକ ରାଜନୀତିରେ ଘଡି଼କେ ଘୋଡ଼ା ଛୁଟୁଛି । ବିଜେପିରେ ବିଦ୍ରୋହୀ ସଂକଟର ଫାଇଦା ନେବାକୁ ଆଶା ବାନ୍ଧିଛି କଂଗ୍ରେସ । କଂଗ୍ରେସ ପାର୍ଟିର ତୃତୀୟ ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଛନ୍ତି ବିଜେପି ଛାଡ଼ିଥିବା ଲିଙ୍ଗାୟତ ଚେହେରା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ । ବିଜେପିରେ ଅନ୍ୟତମ ଲିଙ୍ଗାୟତ ଫେସ୍ ଜଗଦୀଶ ସେଟ୍ଟାରଙ୍କୁ କୋଳେଇ ନେବାକୁ, ଅନାଇ ବସିଛି କଂଗ୍ରେସ । କର୍ଣ୍ଣାଟକ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଉଥିବା ଲିଙ୍ଗାୟତ ଭୋଟ୍ ବ୍ୟାଙ୍କ୍, ହାତେଇବାକୁ ପୂରା ବଳ ଖଟାଇ ଦେଇଛନ୍ତି ଉଭୟ ଶାସକ ଏବଂ ବିପକ୍ଷ । ଲିଙ୍ଗାୟତଙ୍କ ଗଡ଼ ‘କିଟୁର କର୍ଣ୍ଣାଟକ’ରେ କିଏ ମାରିବ ବାଜିମାତ୍ ତା ଉପରେ ରହିଛି ନଜର । ...
କର୍ଣ୍ଣାଟକ ବିଜେପିରେ ଲିଙ୍ଗାୟତ ସଂକଟ । ...ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଲିଙ୍ଗାୟତ ନେତା ଲକ୍ଷ୍ମଣ ସବାଦି ଏବେ କଂଗ୍ରେସ କ୍ୟାମ୍ପରେ । ବିଦ୍ରୋହୀ ତାଲିକାରେ ଆଉ ଜଣେ ବିଜେପି ଲିଙ୍ଗାୟତ ଲିଡର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର । ... ସେଟ୍ଟାରଙ୍କ ମାନଭଞ୍ଜନ ପାଇଁ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେଟ୍ଟାରଙ୍କ ହୁବଲି ବାସଭବନରେ ଭେଟ ଘାଟ୍ ହୋଇଥିବା ବେଳେ, ନାରାବାଜି କରିଛନ୍ତି ସେଟ୍ଟାରଙ୍କ ସମର୍ଥକ । ସେମାନଙ୍କ ଚେତାବନୀ, ଦଳୀୟ ଟିକେଟ ମିଳୁ କି ନ ମିଳୁ, ତାଙ୍କ ନେତା ହୁବଲିରୁ ହିଁ ଲଢ଼ିବା ଥୟ । ଯାହାକି, ବିଜେପି ପାଇଁ ବଡ଼ ଟେନସନ୍ ସୃଷ୍ଟି କରିଛି । ଏହାକୁ ନେଇ ଅଟକିଛି ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ଲକ୍ଷ୍ମଣଙ୍କ ଏକଜିଟ୍ ପରେ ଆଉ ଜଣେ ଭେଟେରାନ୍ ଲିଙ୍ଗାୟତ ନେତାଙ୍କୁ ହରାଇବା ଆଶଙ୍କା, ବିଜେପିର ହାର୍ଟ ବିଟ୍ ବଢ଼ାଇ ଦେଇଛି । କଂଗ୍ରେସରେ ସାମିଲର ଦିନକ ପରେ, ଲକ୍ଷ୍ମଣଙ୍କୁ ମିଳିଛି ଆଥାନି ଟିକେଟ । ୨୦୧୮ରେ ଏହି ଆସନରୁ ବିଜେପି ଟିକେଟରେ ହାରିଥିବା ଲକ୍ଷ୍ମଣ, ଏଥର କଂଗ୍ରେସରୁ ଲଢ଼ିବେ । ଲକ୍ଷ୍ମଣ, ବିଜେପି ଉପରେ ପ୍ରବଳ ବର୍ଷିବା ସହ କହିଛନ୍ତି ଯେ, ପଦ୍ମ ଦଳ ସିଦ୍ଧାନ୍ତ ବିହୀନ ହୋଇଯାଇଛି । ...
କର୍ଣ୍ଣାଟକରେ ବିଜେପି ଉତ୍ଥାନର ମୁଖ୍ଯ କାରଣ ଲିଙ୍ଗାୟତ ସଂପ୍ରଦାୟ । ୨୦୧୮ ନିର୍ବାଚନରେ ବି ଲିଙ୍ଗାୟତ ଗଡ଼ ‘କୁଟୁର କର୍ଣ୍ଣାଟକ’ରେ ବିଜେପିକୁ ମିଳିଥିଲା ବଡ଼ ସଫଳତା । ଏହି ଅଞ୍ଚଳର ୫୦ ଆନସରୁ ୩୦ ହାତେଇଥିଲା ବିଜେପି । ୨୦୨୩ରେ ଚିତ୍ର ବଦଳୁଥିବା ବେଳେ, ଲିଙ୍ଗାୟତ ଭୋଟ୍ ହାତଛଡ଼ା କରିବାକୁ ଚାହୁଁନି ବିଜେପି । କର୍ଣ୍ଣାଟକରେ ବିଜେପିର ସର୍ବୋଚ୍ଚ ଚେହେରା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଏବଂ ମୁଖ୍ୟମନ୍ତ୍ରୀ ବାରଭରାଜ ବୋମାଇ ହେଉଛନ୍ତି ଲିଙ୍ଗାୟତ ସଂପ୍ରଦାୟର । ଚଳିତ ନିର୍ବାଚନରେ ୟେଦିୟୁରପ୍ପାଙ୍କୁ ଷ୍ଟାର ପ୍ରଚାରକ ଦାୟିତ୍ବ ଦେଇଛି ଦଳ । ତେବେ କିଛି ଲିଙ୍ଗାୟତ ଫେସ୍ ବିଜେପିକୁ ବାଏ ବାଏ କରିବା ପରେ, ଟେନସନ ବଢ଼ିଛି । ମୁଖ୍ୟମନ୍ତ୍ରୀ ବୋମାଇ ନିଜର ପାରମ୍ପରିକ ଆସନ ଶିଗାଓଁରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବୋମାଇଙ୍କ ନାମାଙ୍କନ ପର୍ବରେ ସାମିଲ ହୋଇଥିଲେ ବହୁ ମନ୍ତ୍ରୀ, ବିଧାୟକ ଏବଂ ଦଳର ବରିଷ୍ଠ ନେତା । ଲିଙ୍ଗାୟତ ନେତାଙ୍କ ଦଳ ଛାଡ଼ିବାକୁ ନେଇ ବୋମାଇ କହିଛନ୍ତି ଯେ, ଏହା ଦୁର୍ଭାଗ୍ୟଜନକ । ତେବେ ଆମକୁ ଦଳକୁ ସୁଦୃଢ଼ କରିବାକୁ ପଡ଼ିବ । ...
କର୍ଣ୍ଣାଟକ ରଣ ଯେତେ ପାଖଉଛି, ବିଜେପିରେ ଲିଙ୍ଗାୟତ ଗଡ଼ ସେତେ ଦୁର୍ବଳ ହେଉଛି । ୧୯୭୨ ଠାରୁ କଂଗ୍ରେସ ସହ ଲିଙ୍ଗାୟତଙ୍କ ସଂପର୍କ, ଉଭୟ ଖଟା-ମିଠା ରହି ଆସିଛି । ୨୦୧୩ ବିଧାନସଭା ନିର୍ବାଚନରେ କଂଗ୍ରେସ ସପକ୍ଷରେ ଯାଇଥିଲା ଲିଙ୍ଗାୟତ ଭୋଟ୍ । ହେଲେ ୨୦୧୮ରେ ଲିଙ୍ଗାୟତଙ୍କ ନିଷ୍ପତ୍ତି ଓଲଟି ଯାଇଥିଲା । ୨୦୧୮ରେ ବିଜେପି ନେତା ୟେଦିୟୁରପ୍ପାଙ୍କ ଉପରେ ଭରସିଥିବା ଲିଙ୍ଗାୟତ ଭୋଟ ବ୍ୟାଙ୍କକୁ ଫେରାଇ ଆଣିବାକୁ, ଅପରେସନ ଲିଙ୍ଗାୟତ ଚଳାଇଛି କଂଗ୍ରେସ ପାର୍ଟି । ଜଣକ ପରେ ଜଣେ ଲିଙ୍ଗାୟତ ନେତା, ବିଜେପି ଛାଡ଼ି କଂଗେସ ମୁହାଁ ହେବାରେ ଲାଗିଛନ୍ତି । କର୍ଣ୍ଣାଟକରେ ଉଭୟ ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ କ୍ଷମତାଶାଳୀ କୁହାଯାଉଥିବା ଲିଙ୍ଗାୟତ ଜନସଂଖ୍ୟା ୧୬ ପ୍ରତିଶତରୁ ଅଧିକ । ସବୁଠୁ ବଡ଼ କଥା ହେଲା, ସରକାର ଗଠନରେ ସର୍ବଦା ଲିଙ୍ଗାୟତଙ୍କର ରହିଥାଏ ଗୁରୁତ୍ବପୂର୍ଣ୍ଣ ଭୂମିକା । ନିର୍ବାଚନ ତାରିଖ ଘୋଷଣାର ଠିକ୍ ପୂର୍ବରୁ ଲିଙ୍ଗାୟତ କାର୍ଡ ଖେଳିଥିଲେ ବୋମାଇ ସରକାର । ସଂଖ୍ଯାଲଘୁ ଓବିସି ପାଇଁ ଉଦ୍ଦିଷ୍ଟ ୪ ପ୍ରତିଶତ ସଂରକ୍ଷଣକୁ ଲିଙ୍ଗାୟତ ଏବଂ ଭୋକାଲିଗାଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟି ଦେଇଥିଲେ । ବିଜେପି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିଥିବା ବେଳେ, ଲିଙ୍ଗାୟତ ନେତାଙ୍କ ଦଳ ବଦଳ ବୁମେରାଂ ହୋଇପାରେ । ସେପଟେ କଂଗ୍ରେସର ଅଭିଯୋଗ, ଲିଙ୍ଗାୟତଙ୍କ ସହ ପ୍ରତାରଣା କରିଛି ବିଜେପି ସରକାର ।...
କର୍ଣ୍ଣାଟକର ଉତ୍ତରାଞ୍ଚଳ, ‘କିଟୁର କର୍ଣ୍ଣାଟକ’କୁ (Kittur Karnataka) କୁହାଯାଏ ଲିଙ୍ଗାୟତ ଗଡ଼ । ସାତଟି ଜିଲ୍ଲା- ବେଲଗାଭି, ଧରୱାର୍ଡ, ଗଦାଗ, ବିଜୟପୁରା, ହାବେରୀ, ବଗଲକୋଟେ ଏବଂ ଉତ୍ତର କନ୍ନଡକୁ ନେଇ ଗଠିତ ଏହି ଅଞ୍ଚଳ । ପୂର୍ବରୁ ଏହି ଅଞ୍ଚଳ ବମ୍ବେ କର୍ଣ୍ଣାଟକ ରିଜିଅନ୍ ଭାବେ ପରିଚିତ ଥିଲା । ରାଜ୍ୟ ରାଜନୀତିରେ ଲିଙ୍ଗାୟତଙ୍କର ରହିଛି ଦବଦବା । ଏହି କମ୍ୟୁନିଟି କେତେବେଳେ କଂଗ୍ରେସ ସପକ୍ଷରେ ତ ଆଉ କେତେବେଳେ ବିଜେପିକୁ କରିଥାନ୍ତି ସମର୍ଥନ । ୯୦ ଦଶକ ଯାଏଁ କଂଗ୍ରେସ କବଜା ଥିଲା ଏହି ଅଞ୍ଚଳ । ତେବେ ଲିଙ୍ଗାୟତ ଷ୍ଟଲୱାର୍ଟ ୟେଦିୟୁରପ୍ପାଙ୍କ ନେତୃତ୍ବରେ ୨୦୧୩ ଯାଏଁ ବିଜେପି ନିୟନ୍ତ୍ରଣରେ ଥିଲା କିଟୁର୍ କର୍ଣ୍ଣାଟକ । ୨୦୧୩ରେ ପୁଣି ଥରେ ଲିଙ୍ଗାୟତଙ୍କ ହୃଦୟ ଜିଣିଥିଲା କଂଗ୍ରେସ ପାର୍ଟି । ୨୦୧୩ରେ ୫୦ ଆସନରୁ ୩୧ ଆସନରେ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ । ମାତ୍ର ୨୦୧୮ରେ କଂଗ୍ରେସଠାରୁ ଲିଙ୍ଗାୟତ ଭୋଟ୍ ଛଡ଼ାଇ ନେଇଥିଲା ବିଜେପି । ବର୍ତ୍ତମାନ ୟେଦିୟୁରପ୍ପା, ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିବା ପରେ, ଲିଙ୍ଗାୟତ ବେଲ୍ଟ ଉପରେ ଫୋକସ କରୁଛି କଂଗ୍ରେସ । ଡିକେ ଶିବକୁମାର ହେଉଛନ୍ତି କଂଗ୍ରେସ ପାର୍ଟିର ଟଲ୍ ଲିଙ୍ଗାୟତ ଲିଡର । ପିସିସି ସଭାପତି ଥିବା ଶିବକୁମାରଙ୍କ ସାଂଗଠନିକ ଦକ୍ଷତାର ଫାଇଦା ନେବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ । ବିଜେପିର ଅନ୍ୟତମ ଲିଙ୍ଗାୟତ ଚେହେରା, ଜଗଦୀଶ ସେଟ୍ଟାରଙ୍କ ହୁବଲି ସେଣ୍ଟ୍ରାଲ ସିଟ୍ ଟିକେଟକୁ ଦଳ ଝୁଲାଇ ରଖିଥିବା ବେଳେ, ଏଯାଏଁ ଏହି ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ । କଂଗ୍ରେସ ପାର୍ଟି, ତୃତୀୟ ତାଲିକାରେ ଆଉ ୪୩ ଆସନରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ, ଜଗଦୀଶଙ୍କ ଗତିବିଧି ଉପରେ ରଖିଛି ନଜର । ବିଜେପି ନେତାଙ୍କ ଅଭିଯୋଗ, ତାଙ୍କ ଦଳ ବାଗି ବିଧାୟକଙ୍କୁ ଅନାଇ ବସିଛି କଂଗ୍ରେସ । ଜବାବରେ କଂଗ୍ରେସର କହିବା ହେଲା, ୪୦ ପ୍ରତିଶତ ପିସି ମାମମଲାରେ ଛନ୍ଦି ହୋଇଥିବା ବିଜେପି ସରକାର, ୪୦ ଆସନରେ ସୀମିତ ରହିବ ।...
ପଢନ୍ତୁ ଏହି ଖବର :
Monkey Expert: ଆର୍ଥିକ ଦୁଃସ୍ଥିତିରେ ଶ୍ରୀଲଙ୍କା; ବିକିବ ଲକ୍ଷେ ମାଙ୍କଡ଼ଚଳିତ ବିଧାନସଭା ନିର୍ବାଚନରେ, ଲିଙ୍ଗାୟତଙ୍କୁ ଗୁରୁତ୍ବ ଦେଉଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସ । ବିଜେପି ଏଯାଏଁ ଲିଙ୍ଗାୟତ ସଂପ୍ରଦାୟରୁ ୬୩ ଜଣ ପ୍ରାର୍ଥୀ ଘୋଷଣା କରିଥିବା ବେଳେ, କଂଗ୍ରେସ ୫୦ରୁ ଅଧିକଙ୍କୁ ଦେଇଛି ଟିକେଟ୍ । ତେବେ ପ୍ରଶ୍ନ ଉଠୁଛି ଏଥର କିଏ ଜିତିବ ଲିଙ୍ଗାୟତଙ୍କ ହୃଦୟ ? କାହା ସପକ୍ଷରେ ଯିବ ‘କିଟୁର କର୍ଣ୍ଣାଟକ’ ଭୋଟ୍ ? ୨୦୨୩ରେ କାମ ଦେବ କାହାର କିମିଆ ? ସଫଳ ହେବେ କି ବିଜେପିର ୟେଦିୟୁରପ୍ପା- ବୋମାଇ ଯୋଡ଼ି ? ନା ବାଜି ମାରିବେ କଂଗ୍ରେସର ଶିବକୁମାର ? ଲିଙ୍ଗାୟତ ବେଲ୍ଟରେ ନିର୍ଣ୍ଣାୟକ ହେବେ କି ବିଦ୍ରୋହୀ ବିଧାୟକ ? ମେ ୧୦ରେ ହେବାକୁ ଥିବା କର୍ଣ୍ଣାଟକ ବ୍ୟାଟଲ୍ ପାଖେଇ ଆସୁଥିବା ବେଳେ ବଢ଼ି ଚାଲିଛି ଆଶା, ଆଶଙ୍କା ଏବଂ ଉତ୍କଣ୍ଠା ।...
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।