Karnataka Election 2023 : କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

Karnataka Election 2023 : କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

Karnataka Election 2023 : କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Karnataka Election : କର୍ଣ୍ଣାଟକକୁ ଏଥର ମିଳିବ କି ଲିଙ୍ଗାୟତ ସିଏମ ! ପୁଣି ଥରେ ଲିଙ୍ଗାୟତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ବାଛିବେ କି ରାଜ୍ୟବାସୀ ! କେଉଁ ଦଳରୁ, କିଏ ହୋଇପାରନ୍ତି ଲିଙ୍ଗାୟତ ମୁଖ୍ୟମନ୍ତ୍ରୀ ଚେହେରା ? କର୍ଣ୍ଣାଟକରେ ଶହେରୁ ଅଧିକ ଆସନରେ ରହିଛି ଲିଙ୍ଗାୟତଙ୍କ ପ୍ରଭାବ । ଆଉ ଏହି ଭୋଟ୍ ବ୍ୟାଙ୍କ ଉପରେ ରହିଛି ଉଭୟ ବିଜେପି ଏବଂ କଂଗ୍ରେସର ନଜର । ବିଜେପିରେ ୟେଦିୟୁରପ୍ପା ଏବଂ ମୁଖ୍ୟମନ୍ତ୍ରୀ ବୋମାଇ ଲିଡିଂ ଲିଙ୍ଗାୟତ ଲିଡର ହୋଇଥିବା ବେଳେ, କଂଗ୍ରେସ ନେତା ସିଦ୍ଧରମୈୟା- କୁର୍ବା ଏବଂ ଶିବକୁମାର ଭୋକାଲିଗା ସଂପ୍ରଦାୟର । ଜେଡିଏସ ନେତା କୁମାରସ୍ବାମୀ ମଧ୍ୟ ଭୋକାଲିଗାରୁ । ଗତ ୨ ଦଶନ୍ଧି ଧରି ଲିଙ୍ଗାୟତ ଇଲାକାରେ ବିଜେପିର ଦବଦବା ରହି ଆସିଥିବା ବେଳେ, ଦଳର ଦୁଇ ବରିଷ୍ଠ ଲିଙ୍ଗାୟତ ନେତା ଜଗଦ୍ଦୀଶ ସେଟ୍ଟାର ଏବଂ ଲକ୍ଷ୍ମଣ ସାବାଦିଙ୍କ ଏକଜିଟ୍, ସୃଷ୍ଟି କରିଛି ଆଶା-ଆଶଙ୍କା । ଲିଙ୍ଗାୟତ ନେତାଙ୍କୁ ନେତୃତ୍ବ ମିଳିବ ନା ବିଜେପିର ଲିଙ୍ଗାୟତ କାର୍ଡକୁ ହାଇଜାକ୍ କରିନେବ କଂଗ୍ରେସ !

ୟେଦିୟୁରପ୍ପା, ବୋମାଇ, ସିଦ୍ଧରମୈୟା, ଶିବକୁମାର ଏବଂ କୁମାରସ୍ବାମୀ । କିଏ ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? କିଏ ଧରିବେ ରାଜ୍ୟ ଶାସନ କଳର ମଙ୍ଗ ? କର୍ଣ୍ଣାଟକରେ ପୁଣି ଥରେ ରାଜ୍ କରିବେ କି ଲିଙ୍ଗାୟତ ଫେସ୍ ? ନା ନେତୃତ୍ବ ନେବେ ଭୋକାଲିଗା କିମ୍ବା ଓବିସି ନେତା ?

କର୍ଣ୍ଣାଟକ ରାଜନୀତି ଚଳଚଞ୍ଚଳ । କର୍ଣ୍ଣାଟକ ରଣରେ କାହାର ହେବ ଜିତାପଟ ? କିଏ ଗଢ଼ିବ ସରକାର ? ୩୮ ବର୍ଷର ରେକର୍ଡ ଭାଙ୍ଗିବ ନା ଇତିହାସର ହେବ ପୁନରାବୃତ୍ତି ? ତାହା ଏବେ ଅସ୍ପଷ୍ଟ । ବିଜେପି ହେଉ କି କଂଗ୍ରେସ କିମ୍ବା ଜେଡିଏସ୍, ସବୁ ଦଳ, ଲିଙ୍ଗାୟତଙ୍କ ସିଂହଭାଗ ଭୋଟ୍ ଉପରେ ଭରସା ରଖିଥିବାରୁ, ସେହି କମ୍ୟୁନିଟିରୁ କେହି ଜଣେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ସମ୍ଭାବନା ଅଧିକ ।

କର୍ଣ୍ଣାଟକରେ ବିଜେପିର ସବୁଠୁ ବଡ଼ ଲିଙ୍ଗାୟତ ଚେହେରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା । ଦକ୍ଷିଣ ଭାରତରେ ବିଜେପିର ଶୁଭ ଖୁଣ୍ଟି ପକାଇବାଠାରୁ, ଦକ୍ଷିଣାଞ୍ଚଳରେ କୌଣସି ରାଜ୍ୟରେ ବିଜେପି ସରକାର ଗଠନ ପର୍ଯ୍ୟନ୍ତ... ଏ ସବୁର ଶ୍ରେୟ ୟେଦିଙ୍କର । ୨୦୦୮, ୨୦୧୧, ୨୦୧୮ ଏବଂ ୨୦୧୯ରେ ଚାରି-ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଦୀର୍ଘ ଦୁଇ ଦଶନ୍ଧି ଧରି ଲିଙ୍ଗାୟତ ଗଡ଼କୁ ବିଜେପି ସହ ଯୋଡ଼ି ରଖିବାରେ ସଫଳ ହୋଇଛନ୍ତି । ମାତ୍ର ୟେଦି ନିର୍ବାଚନ ଲଢୁ ନଥିବାରୁ ବିଜେପିର ଲିଙ୍ଗାୟତ ଭୋଟ ପ୍ରଭାବିତ ହେବା ଆଶଙ୍କା ରହୁଛି । ଯଦିଓ ବିଜେପି ତାଙ୍କୁ ଷ୍ଟାର କ୍ୟାମ୍ପେନର କରିଛି ଏବଂ ତାଙ୍କ ପୁଅକୁ ଟିକେଟ ଦେଇଛି... ତଥାପି ପୂର୍ବଭଳି ସିଂହଭାଗ ଲିଙ୍ଗାୟତ ଭୋଟ୍, ବିଜେପି ପକେଟକୁ ଆସିବ କି ନାହିଁ, ତାହା କହିବା ମୁସ୍କିଲ ।

ବିଜେପିର ଦ୍ବିତୀୟ ଲିଙ୍ଗାୟତ ନେତା ହେଉଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ । ୨୦୨୧ରେ ୟେଦିଙ୍କ ସ୍ଥାନ ନେଇଛନ୍ତି ବୋମାଇ । ଲିଙ୍ଗାୟତ ସଂପ୍ରଦାୟକୁ ବାନ୍ଧି ରଖିବା ଲକ୍ଷ୍ୟରେ, ୟେଦିଙ୍କ ସୁପାରିସରେ ସିଏମ୍ ଚେୟାରରେ ବୋମାଇଙ୍କୁ ବସାଇଛି ବିଜେପି । ତେବେ ଦୁର୍ନୀତି ଅଭିଯୋଗ ଏବଂ ସରକାର ବିରୋଧୀ ହାୱା ପାଇଁ, ବୋମାଇଙ୍କ ନେତୃତ୍ବ ଉପରେ ଭରସି ପାରୁନି ଶାସକ ଦଳ । ସେଇଥି ପାଇଁ ୨୦୨୩ ବିଧାନସଭା ନିର୍ବାଚନରେ ବିଜେପି, ବୋମାଇଙ୍କୁ ସିଏମ ଚେହେରା ଘୋଷଣା କରିନି । ଅପର ପକ୍ଷରେ ୟେଦିୟୁରପ୍ପାଙ୍କୁ ମୁଖ୍ଯ କ୍ୟାମ୍ପେନର କରାଯାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ, କୌଣସି ପରିସ୍ଥିତିରେ ଲିଙ୍ଗାୟତ ଭୋଟ୍ ହାତଛଡ଼ା କରିବାକୁ ଚାହୁନି ଭାରତୀୟ ଜନତା ପାର୍ଟି । ତେବେ ଯଦି ବିଜେପି, ନିର୍ବାଚନରେ ବିଜୟୀ ହୁଏ, ଏହି ଦୁଇ ଲିଙ୍ଗାୟତ ନେତାଙ୍କ ମଧ୍ୟରୁ ଜଣକୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବ କି ନାହିଁ ତାହା ମଧ୍ୟ ସସପେନ୍ସରେ । କର୍ଣ୍ଣାଟକରେ ଗୋଟିଏ ଗୁଳିରେ ଦୁଇ ଦୁଇଟି ଶିକାର ଲକ୍ଷ୍ୟରେ ବିଜେପି । ପ୍ରଥମଟି ବିଦ୍ରୋହ ରୋକିବା, ଦ୍ବିତୀୟରେ ଲିଙ୍ଗାୟତ ଭୋଟ୍ ହାତେଇବା । ୟେଦିୟୁରପ୍ପା ଏବଂ ବୋମାଇଙ୍କ ମଧ୍ୟରେ ଯଦିଓ ୟେଦିଙ୍କର ଲୋକପ୍ରିୟତା ଅଧିକ ୟେଦିଙ୍କର ରହିଛି, ତଥାପି ବୋମାଇଙ୍କୁ ମଧ୍ଯ ଦୁଃଖୀ କରିବାକୁ ଚାହୁଁନାହାନ୍ତି କେନ୍ଦ୍ରୀୟ ନେତୃତ୍ବ ।

କର୍ଣ୍ଣାଟକ ରାଜନୀତି ଏବଂ ସରକାର ଗଠନରେ ଲିଙ୍ଗାୟତଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ରାଜ୍ୟର ୨୨୪ ଆସନ ମଧ୍ୟରୁ ଶହେରୁ ଅଧିକରେ ରହିଛି ଏହି ସଂପ୍ରଦାୟର ପ୍ରଭାବ । ଏହାକୁ ନଜରରେ ରଖି ୬୦ ଆସନରେ ଲିଙ୍ଗାୟତ ପ୍ରାର୍ଥୀ ଦେଇଛି ବିଜେପି । ତେବେ ଟିକେଟ କଟିବାରୁ, ବିଜେପିକୁ ବାଏ ବାଏ କରିଛନ୍ତି ଦୁଇ ତୁଙ୍ଗ ଲିଙ୍ଗାୟତ ଲିଡର ଜଗଦୀଶ ସେଟ୍ଟାର ଏବଂ ଲକ୍ଷ୍ମଣ ସବାଦି । ପୂର୍ବତନ ମୁଖ୍ୟମନ୍ତ୍ରୀ ସେଟ୍ଟାର ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣଙ୍କ ଏକଜିଟ୍, ବିଜେପି ପାଇଁ ବୁମେରାଂ ହୋଇପାରେ । ବିଜେପିର ଲିଙ୍ଗାୟତ ଭୋଟ, ଭାଗ ଭାଗ ହେବା ସହ କଂଗ୍ରେସକୁ ଫାଇଦା ମିଳିବା ସମ୍ଭାବନା ସୃଷ୍ଟି କରିଛି ।

ଏଥର କାମ କରିବ ତ ବିଜେପିର ଲିଙ୍ଗାୟତ କାର୍ଡ ? କୌଣସି ଲିଙ୍ଗାୟତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରିବା... ସେଟ୍ଟାର ଏବଂ ଲକ୍ଷ୍ମଣଙ୍କ ଭଳି ଆଗଧାଡ଼ିର ଲିଙ୍ଗାୟତ ନେତାଙ୍କୁ ବିଶ୍ବାସକୁ ନନେବା... ବିଜେପି ପାଇଁ ବୁମେରାଂ ହୋଇପାରେ । ୨୦୧୯ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ମୋଦି ମ୍ୟାଜିକ କାମ କରିଥିବା ବେଳେ, ସମାନ ଫର୍ମୁଲା ବିଧାନସଭା ନିର୍ବାଚନରେ କ୍ଲିକ୍ କରିବ କି ନାହିଁ ଏବେଠୁ ଆକଳନ କରିବା ମୁସ୍କିଲ ।

ଲିଙ୍ଗାୟତ ଭୋଟ୍ ଏବଂ ଲିଙ୍ଗାୟତ ଫେସକୁ ନେଇ ଦ୍ବନ୍ଦ୍ବରେ ବିଜେପି । ସେପଟେ କଂଗ୍ରେସରେ ନାହାନ୍ତି ସେପରି କୌଣସି ବଡ଼ ଲିଙ୍ଗାୟତ ଚେହେରା । ବିଧାନସଭା ନିର୍ବାଚନରେ ବିଜେପି ଭଳି କଂଗ୍ରେସ ମଧ୍ୟ ମୁଖ୍ଯମନ୍ତ୍ରୀ ଚେହେରା ଘୋଷଣା କରିନି । ତେବେ ଏହି ଦୌଡ଼ରେ ଆଗରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଡିକେ ଶିବକୁମାର । ମାତ୍ର ଦୁଇ ନେତାଙ୍କ ମଧ୍ୟରୁ କେହି ବି ଲିଙ୍ଗାୟତ କମ୍ୟୁନିଟିରୁ ନୁହନ୍ତି । କଂଗ୍ରେସ ପାର୍ଟି, ବିଜେପିକୁ ଆଣ୍ଟି ଲିଙ୍ଗାୟତ ବୋଲି ପ୍ରଚାର କରିଚାଲିଛି । ଏହାସହ ସେଟ୍ଟାର ଏବଂ ଲକ୍ଷ୍ମଣଙ୍କ ଯୋଗଦାନ ପରେ ବିଜେପିର ଲିଙ୍ଗାୟତ ଗଡ଼ରେ ଧସେଇ ପଶିବାକୁ ଜୋରଦାର ଉଦ୍ୟମ କରୁଛି । ୟେଦିୟୁରପ୍ପାଙ୍କ ପୂର୍ବରୁ କଂଗ୍ରେସ କବଜାରେ ଥିଲା ଲିଙ୍ଗାୟତ ବେଲ୍ଟ । ଏବେ ବିଜେପିର ଅନ୍ତଃକନ୍ଦଳରୁ ଫାଇଦା ଉଠାଇବାକୁ ଲକ୍ଷ୍ୟ ରଖିଛି ବିରୋଧୀ ଦଳ । ତେବେ ପ୍ରଶ୍ନ ଉଠୁଛି, ଯଦି କଂଗ୍ରେସ ପାର୍ଟି କ୍ଷମତାକୁ ଆସେ... ଶିବକୁମାର କିମ୍ବା ସିଦ୍ଧରମୈୟାଙ୍କୁ ବାଦ ଦେଇ ଲିଙ୍ଗାୟତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ କି ହାଇକମାଣ୍ଡ ?

କର୍ଣ୍ଣାଟକକୁ ଏକାଧିକ ଲିଙ୍ଗାୟତ ମୁଖ୍ଯମନ୍ତ୍ରୀ ଦେଇଛି ବିଜେପି । ମାତ୍ର କଂଗ୍ରେସରୁ ଏଯାଏ ଜଣେ ଲିଙ୍ଗାୟତ ନେତା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । କଂଗ୍ରେସର ଲିଙ୍ଗାୟତ ଲିଡର ଭିପି ପାଟିଲ୍ ୧୯୬୮ରୁ ୧୯୭୧ ଏବଂ ୧୯୮୯ରୁ ୧୯୯୦ ମଧ୍ଯରେ ମୁଖ୍ୟମନ୍ତ୍ରୀ ଥିଲେ । ମାତ୍ର ତା ପରଠାରୁ କଂଗ୍ରେସ ବିଭିନ୍ନ ସମୟରେ କ୍ଷମତାରେ ଥିଲେ ମଧ୍ଯ, କୌଣସି ଲିଙ୍ଗାୟତ ନେତା ମୁଖ୍ୟମନ୍ତ୍ରୀ ହୋଇ ନାହାନ୍ତି । ୨୦୨୩ ରେଜଲ୍ଚ ଯଦି କଂଗ୍ରେସ ସପକ୍ଷରେ ଯାଏ, ତଥାପି ଦଳ ମଧ୍ଯରୁ କୌଣସି ଲିଙ୍ଗାୟତ ଚେହେରା ମୁଖ୍ୟମନ୍ତ୍ରୀ ଗାଦିରେ ବସିବା ଆଶା କ୍ଷୀଣ । କାରଣ ଯଦି କଂଗ୍ରେସ କ୍ଷମତାକୁ ଫେରେ, ତେବେ ସିଦ୍ଧରମୈୟା କିମ୍ବା ଶିବକୁମାରଙ୍କ ଭିତରୁ କେହି ଜଣେ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ । ତେବେ କଂଗ୍ରେସ ପାଖରେ ଗୋଟିଏ ବିକଳ୍ପ ରହିଛି । ସେଟ୍ଟାର ଏବଂ ଲକ୍ଷ୍ମଣ ଯଦି ଦଳ ପାଇଁ ବୁମ୍ ପାଲଟନ୍ତି... ଏହି ଦୁଇ ଲିଙ୍ଗାୟତ ନେତାଙ୍କ ମଧ୍ଯରୁ ଜଣକୁ ଉପମୁଖ୍ୟମନ୍ତ୍ରୀ ଆସନରେ ବସାଇପାରେ କଂଗ୍ରେସ ।

କର୍ଣ୍ଣାଟକ ରାଜନୀତିରେ ସବୁଠୁ ପ୍ରଭାବଶାଳୀ ଲିଙ୍ଗାୟତ ସମୁଦାୟ । ରାଜ୍ୟ ଲୋକସଂଖ୍ୟାରେ ଏମାନଙ୍କ ଭାଗିଦାରୀ ୧୭ ପ୍ରତିଶତରୁ ଅଧିକ । ଶହେରୁ ଅଧିକ ଆସନରେ ରହିଛି ଏମାନଙ୍କ ପ୍ରଭାବ । ଦୀର୍ଘ ଶହେ ବର୍ଷ ଧରି ପଛୁଆ ଜାତି ଭାବେ ରହି ଆସିଥିବା ଲିଙ୍ଗାୟତଙ୍କୁ ନେଇ ସବୁ ବେଳେ ରାଜନୀତି ହୋଇଆସୁଛି । ବିଭିନ୍ନ ସମୟରେ ଲିଙ୍ଗାୟତ ସମୁଦାୟରୁ ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଛନ୍ତି । ଚଳିତ ନିର୍ବାଚନ ଘୋଷଣାର ଠିକ୍ ପୂର୍ବରୁ ଲିଙ୍ଗାୟତ ଏବଂ ଭୋକାଲିଗାଙ୍କୁ, ବିଜେପି ସରକାର, ସଂରକ୍ଷଣ ଲଲି ପପ୍ ଧରାଇ ଦେଇଛି । ତେବେ କାହା ସପକ୍ଷରେ ଯିବ ଲିଙ୍ଗାୟତ ଭୋଟ୍ ! ଲିଙ୍ଗାୟତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବେ କି ବିଜୟୀ ଦଳ ! ନା କେବଳ ଭୋଟ୍ ହାତେଇବାକୁ ଲିଙ୍ଗାୟତଙ୍କ ପାଇଁ ଲୁହ ଗଡ଼ାଉଛନ୍ତି !
(ରିପୋର୍ଟ- ଜୟଦେବ ଜେନା)

ପଢନ୍ତୁ ଏହି ଖବର :  ଶସ୍ତାରେ ମିଳୁଛି Xiaomi 12 Pro ଫୋନ୍‌; ସବୁକିଛି ନମ୍ବର ୧ !
Published by:Sujit Swain
First published: