News 18 Odia Digital
Karnataka Election News: କଣ ହେବ କର୍ଣ୍ଣାଟକ ରେଜଲ୍ଟ ? କାହା ସପକ୍ଷରେ ଯିବ ଜନାଦେଶ ? ୨୦୧୩ ଏବଂ ୨୦୧୮ ଠାରୁ ଭିନ୍ନ ହେବ କି ୨୦୨୩ର ରାୟ ? କର୍ଣ୍ଣାଟକରେ, ଭିନ୍ନ ଭିନ୍ନ ନିର୍ବାଚନରେ, ଭିନ୍ନ ଭିନ୍ନ ଢଙ୍ଗରେ ହୋଇଥାଏ ଭୋଟିଂ । ସେହିପରି ଅଞ୍ଚଳ ଅନୁସାରେ ମଧ୍ଯ ଭିନ୍ନ ହୋଇଥାଏ ମତଦାନ ଏବଂ ସମର୍ଥନ । ସେହି ଅନୁସାରେ ଫଳାଫଳ ମଧ୍ଯ ବଦଳି ଥାଏ । ଏଠାରେ ଦଳ ତୁଳନାରେ, ଜାତି, ଧର୍ମ, ଅଞ୍ଚଳ ଏବଂ ସାମାଜିକ ସ୍ଥିତିର ପ୍ରଭାବ ଅଧିକ । ଜିଓ ପଲିଟିକ୍ସ ଅନୁସାରେ, କର୍ଣ୍ଣାଟକକୁ ମୋଟାମୋଟି ୬ଟି ଭାଗରେ ବିଭକ୍ତ କରାଯାଇପାରିବ । ସେସବୁ ହେଲା- ଓଲ୍ଡ ମହୀଶୂର, ବେଙ୍ଗଳୁରୁ ସିଟି, କୋଷ୍ଟାଲ କର୍ଣ୍ଣାଟକ, ସେଣ୍ଟ୍ରାଲ କର୍ଣ୍ଣାଟକ, ମୁମ୍ବାଇ କର୍ଣ୍ଣାଟକ ଏବଂ ହାଇଦ୍ରାବାଦ କର୍ଣ୍ଣାଟକ । କେଉଁ ଅଞ୍ଚଳରେ କାହାର ପ୍ରଭାବ କେତେ ? କେଉଁଠି, କେମିତି ରହିଛି କର୍ଣ୍ଣାଟକରେ ରାଜନୈତିକ ସମୀକରଣ ?
କର୍ଣ୍ଣାଟକରେ ସବୁବେଳେ ସମାନ ଢଙ୍ଗରେ ହୋଇ ନଥାଏ ଭୋଟ୍ । କେତେବେଳେ ଜାତି ଗଣିତ ଭାରି ପଡ଼ିଥାଏ, ତ ଆଉ କେତେବେଳେ ମୁଖ୍ଯ ଭୂମିକା ନେଇଥାଏ ସଂଖ୍ଯାଲଘୁ ତୁଷ୍ଟୀକରଣ । ପୁଣି କେତେବେଳେ ପଲିଟିକାଲ୍ ପୋଲାରାଇଜେସନ୍ ବା ରାଜନୈତିକ ଧ୍ରୁବିକରଣ ପ୍ରଭାବ ବିସ୍ତାର କରିଥାଏ । ଆଉ କେତେବେଳେ ସ୍ଥାନୀୟ ପ୍ରସଙ୍ଗ ନିର୍ଣ୍ଣାୟକ ହୋଇଥାଏ ତ କେତେବେଳେ ଆଞ୍ଚଳିକ ସ୍ଥିତି ସହ ସ୍ଥାନୀୟ ପ୍ରସଙ୍ଗ ।
ଭୋଗଳିକ ସ୍ଥିତି ଏବଂ ରାଜନୈତିକ ଦୃଷ୍ଟିକୋଣରୁ କର୍ଣ୍ଣାଟକକୁ ମୁଖ୍ୟତଃ ୬ଟି ଅଞ୍ଚଳରେ ବିଭକ୍ତ କରାଯାଏ । ସେଗୁଡ଼ିକ ହେଲା ଓଲ୍ଡ ମହୀଶୂର, ବେଙ୍ଗଳୁରୁ ସିଟି, କୋଷ୍ଟାଲ କର୍ଣ୍ଣାଟକ, ସେଣ୍ଟ୍ରାଲ କର୍ଣ୍ଣାଟକ, ମୁମ୍ବାଇ କର୍ଣ୍ଣାଟକ ଏବଂ ହାଇଦ୍ରାବାଦ କର୍ଣ୍ଣାଟକ । ଏଥର କାହାକୁ ସମର୍ଥନ କରିବେ କନ୍ନଡିଗା ? କୌଣସି ଗୋଟିଏ ଦଳକୁ ମିଳିବ କି ପୂର୍ଣ୍ଣ ବହୁମତ ? ୨୦୧୩ ଭଳି ଆସିବକି କ୍ଲିନ୍ ଭର୍ଡିକ୍ଟ ! ନା ୨୦୧୮ ଭଳି ରେଜଲ୍ଟ ହେବ ଝୁଲା ! ୨୦୨୩ରେ କେଉଁ ପ୍ରସଙ୍ଗରେ ହେବ ମତଦାନ ? ଦଳ, ନେତା, ଜାତି, ଧର୍ମ କିମ୍ବା ଅଞ୍ଚଳ ଆଧାରରେ ପଡ଼ିବ କି ଭୋଟ୍ ! ଦକ୍ଷିଣରୁ ଉତ୍ତର କର୍ଣ୍ଣାଟକ, ଉପକୂଳରୁ କେନ୍ଦ୍ରୀୟ ଅଞ୍ଚଳ, ମୁମ୍ବାଇ କର୍ଣ୍ଣାଟକରୁ ହାଇଦ୍ରାବାଦ କର୍ଣ୍ଣାଟକ... କେଉଁ ଅଞ୍ଚଳରେ କଣ ରହିବ ମୁଖ୍ଯ ପ୍ରସଙ୍ଗ ? କେଉଁଠି କାହାର ପଲ୍ଲା ଭାରି ପଡ଼ିବ ? ଭୋଟ୍ ଗଣିତକୁ ପ୍ରଭାବିତ କରିବ କି ଆଞ୍ଚଳିକ ସମୀକରଣ ? କର୍ଣ୍ଣାଟକର ୬ଟି ଯାକ ସେଗମେଣ୍ଟରେ, ରାଜନୈତିକ ସ୍ଥିତି ଏବଂ ଭୋଟରଙ୍କ ମୁଡ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।
ପୁରୁଣା ମହୀଶୂରଓଲ୍ଡ ମହୀଶୂର ବା ପୁରୁଣା ମହୀଶୂର, କର୍ଣ୍ଣାଟକର ଦକ୍ଷିଣାଞ୍ଚଳ । ଏଥିରେ ରହିଛି ମହୀଶୂର, ଚିକ୍କାବାଲାପୁର, ହାସନ, ମାଣ୍ଡ୍ୟା, କୋଲାର, ରାମନଗରମ, ଚାମରାଜନଗରମ, କୋଡାଗୁ ଏବଂ ଚିକାମାଙ୍ଗାଳୁରୁ ଜିଲ୍ଲା । ପୁରୁଣା ମହୀଶୂରରେ ଭୋକାଲିଗା ସମୁଦାୟର ପ୍ରଭାବ ଅଧିକ । ଏଠାରେ ରହିଛି କଂଗ୍ରେସ ଏବଂ ଜେଡିଏସର ଦବଦବା । ଏହି ଅଞ୍ଚଳରେ ସାଧାରଣତଃ ଜେଡିଏସ ଏବଂ କଂଗ୍ରେସ ମଧ୍ଯରେ ସିଧାସଳଖ ଟକ୍କର ହୋଇଥାଏ । ତେବେ ବର୍ତ୍ତମାନ ସୁଦ୍ଧା ଜେଡିଏସ ନମ୍ବର ୱାନ ଥିବା ବେଳେ, ଦ୍ବିତୀୟରେ ରହି ଆସୁଛି କଂଗ୍ରେସ । ତେବେ ଗତ ନିର୍ବାଚନଗୁଡ଼ିକରେ ଏ ଅଞ୍ଚଳରେ ସଂଗଠନ ବଢ଼ାଇ ଚାଲିଛି ବିଜେପି । ବିଶେଷକରି ୨୦୧୮ରେ ଏଠାରେ ଭଲ ପ୍ରଦର୍ଶନ କରିଥିଲା ଭାରତୀୟ ଜନତା ପାର୍ଟି । ପୁରୁଣା ମହୀଶୂରରେ ମୋଟ୍ ୬୬ଟି ବିଧାନସଭା ଆସନ । ୨୦୧୮ରେ ଜେଡିଏସ୍ ଖାତାରେ ପଡ଼ିଥିଲା ସର୍ବାଧିକ ୩୦ ଆସନ । ୨୦୧୩ ଠାରୁ ୪ଟି ଅଧିକ ଆସନ ପାଇଥିଲା ଦଳ । ତେବେ କଂଗ୍ରେସ ପାର୍ଟି ୨୦୧୩ ତୁଳନାରେ ୨୦୧୮ରେ ୬ଟି ସିଟ୍ କମ୍ ପାଇଥିଲା । କଂଗ୍ରେସ ୨୦୧୩ରେ ୨୬ ଆସନ ପାଇଥିବା ବେଳେ, ୨୦୧୮ରେ ପାଇଥିଲା ୨୦ ଆସନ । ସେପଟେ ୨୦୧୩ ତୁଳନାରେ ୨୦୧୮ରେ ବିଜେପି ବେଶ୍ ଭଲ କରିଥିଲା । ୨୦୧୩ରେ ବିଜେପି ୮ଟି ସିଟ ପାଇଥିବା ବେଳେ, ୨୦୧୮ରେ ଦଳ ହାତେଇଥିଲା ୧୫ ଆସନ । ତେବେ ୨୦୨୩ରେ ଏଠାକାର ଚିତ୍ର ଭିନ୍ନ । ଏଥର ଜେଡିଏସକୁ କଡ଼ା ଟକ୍କର ଦେଉଛି କଂଗ୍ରେସ । ବିଶେଷକରି ପିସିସି ସଭାପତି ଶିବକୁମାରଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ, କୁମାରସ୍ବାମୀଙ୍କ ପାଇଁ ସହାୟ ହୋଇପାରେ ସିନିୟର ଗୌଡ଼ାଙ୍କ ପ୍ରଚାର । ଅନ୍ୟପକ୍ଷରେ ବିଜେପି ପାଇଁ ଘାଟା କରିପାରେ ସରକାର ବିରୋଧୀ ହାୱା ।
ବେଙ୍ଗଳୁରୁ ସିଟିବେଙ୍ଗଳୁରୁ ସିଟି ବା ସହରାଞ୍ଚଳ। ଏଠାରେ ତାମିଲ ଭାଷାଭାଷୀଙ୍କ ପ୍ରାଧାନ୍ୟ ରହିଥିବା ବେଳେ, ମାଲାୟଲମ ଏବଂ ତେଲଗୁ ଭାଷାଭାଷୀ ମଧ୍ୟ ଅଛନ୍ତି । ସହରାଞ୍ଚଳରେ ରାସ୍ତାଘାଟ, ଟ୍ରାଫିକ ସମସ୍ୟା ଏବଂ ପ୍ରଦୂଷଣ ଭଳି ସ୍ଥାନୀୟ ସମସ୍ୟା ନିର୍ବାଚନୀ ପ୍ରସଙ୍ଗ ଅଟେ । ସେହିପରି ଦୁର୍ନୀତି ବି ବଡ଼ ଇସ୍ୟୁ । ଏଠାରେ ମୁଖ୍ୟତଃ କଂଗ୍ରେସ ଏବଂ ବିଜେପି ମଧ୍ଯରେ ମୁକାବିଲା ହୋଇଥାଏ । ୨୦୧୩ ଏବଂ ୨୦୧୮ରେ ଦୁଇ ଦଳର ଆସନ ସଂଖ୍ଯାରେ କୌଣସି ପରିବର୍ତ୍ତନ ହୋଇ ନଥିଲା । କଂଗ୍ରେସ ୨୦୧୩ରେ ୧୩ ସିଟ୍ ଏବଂ ୨୦୧୮ରେ ମଧ୍ଯ ସେହି ୧୩ ସିଟ୍ ପାଇଥିଲା । ବିଜେପି ମଧ୍ଯ ୨୦୧୩ ଏବଂ ୨୦୧୮ରେ ୧୧ଟି ଲେଖାଏଁ ଆସନ ପାଇଥିଲା । ଅନ୍ୟପକ୍ଷରେ ଜେଡିଏସ ୨୦୧୩ରେ ୩ଟି ଆସନ ପାଇଥିବା ବେଳେ, ୨୦୧୮ରେ ୨କୁ ଖସି ଆସିଥିଲା । ବେଙ୍ଗଳୁର ଅର୍ବାନ ଅଞ୍ଚଳ, ଦକ୍ଷିଣ କର୍ଣ୍ଣାଟକରେ ଆସୁଥିବା ବେଳେ, ଏଥର ସାଇଲେଣ୍ଟ ଭୋଟରଙ୍କ ଭୋଟ୍ ଗୁରୁତ୍ବପୂର୍ଣ୍ଣ । ମାତ୍ର ସବୁଠୁ ବଡ଼ କଥା ହେଲା ଏଠାରେ ଭୋଟ୍ ପ୍ରତିଶତ କମ ରହିଥାଏ । ଲୋକଙ୍କ ଅସନ୍ତୋଷ ରହିଥିଲେ ମଧ୍ଯ, ମତ ସାବ୍ୟସ୍ତଠାରୁ ଦୂରେଇ ରହିନ୍ତି ଅନେକ ମତଦାତା ।
ଉପକୂଳ କର୍ଣ୍ଣାଟକକୋଷ୍ଟାଲ କର୍ଣ୍ଣାଟକ ବା ଉପକୂଳ କର୍ଣ୍ଣାଟକ । ଉତ୍ତର କନ୍ନଡ, ଉଡୁପି ଏବଂ ଦକ୍ଷିଣ କନ୍ନଡ ଜିଲ୍ଲାକୁ ନେଇ ଗଠିତ ଏହି ଅଞ୍ଚଳ । ଉପକୂଳକୁ ବିଜେପିର ଗଡ଼ କୁହାଯାଏ । ଏଠାରେ ମତ୍ସ୍ୟଜୀବୀ ସମୁଦାୟ ଏବଂ ସଂଖ୍ଯାଲଘୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଧାର୍ମିକ ଉଗ୍ରବାଦ ଏବଂ ସଂଖ୍ଯାଲଘୁ ତୁଷ୍ଟୀକରଣର ଫାଇଦା ସିଧାସଳଖ ବିଜେପିକୁ ଯାଇଥାଏ । ୨୦୧୩ରେ ଏଠାରେ କଂଗ୍ରେସ ଭଲ କରିଥିବା ବେଳେ, ୨୦୧୮ରେ ସୁଇପ୍ କରିଥିଲା ବିଜେପି (bjp) । ବିଜେପି ୨୦୧୩ରେ ମାତ୍ର ୩ଟି ସିଟରେ ବିଜୟୀ ହୋଇଥିବା ବେଳେ, ୨୦୧୮ରେ ୧୬ ସିଟ୍ ପାଇଥିଲା । ଅନ୍ୟପକ୍ଷରେ କଂଗ୍ରେସ ୨୦୧୩ରେ ୧୩ଟି ଆସନ ପାଇଥିବା ବେଳେ, ୨୦୧୮ରେ ୩କୁ ଖସି ଆସିଥିଲା । ସେପଟେ ଜେଡିଏସ୍ ୨୦୧୩ କିମ୍ବା ୨୦୧୮ରେ ଖାତା ଖୋଲି ପାରିନଥିଲା । ଏଥର ଉପକୂଳ ଅଞ୍ଚଳ ଭୋଟରଙ୍କ ଉଭୟ କଂଗ୍ରେସ ଏବଂ ବିଜେପି ପାଇଁ ନିର୍ଣ୍ଣାୟକ ହୋଇପାରେ ।
ପୁରୁଣା ମହୀଶୂରରୁ ବେଙ୍ଗଳୁରୁ ଏବଂ ଉପକୂଳ କର୍ଣ୍ଣାଟକ । ତିନିଟି ଯାକ ଅଞ୍ଚଳ ଉଭୟ ବିଜେପି ଏବଂ କଂଗ୍ରେସ ପାଇଁ ଗୁରୁତ୍ବପୂର୍ଣ୍ଣ । ଦକ୍ଷିଣ କର୍ଣ୍ଣାଟକରେ କଂଗ୍ରେସର ପ୍ରଭାବ ଅଧିକ ମନେ ହେଉଥିବା ବେଳେ, ଉପକୂଳ ଅଞ୍ଚଳକୁ ବିଜେପିର ଗଡ଼ କୁହାଯାଉଛି । ଅନ୍ୟପକ୍ଷରେ ସହରାଞ୍ଚଳ ରିଜିଅନରେ ଦୁଇ ଦଳ ମଧ୍ଯରେ ହୋଇପାରେ କଡ଼ା ଟକ୍କର । ମହୀଶୂର ଇଲାକାରେ, କଂଗ୍ରେସ ଭଲ ପୋଜିସନରେ ଥିବା ବେଳେ, ବେଙ୍ଗଳୁରୁ ଏବଂ କୋଷ୍ଟାଲ୍ ବେଲ୍ଟ୍ ରେଜଲ୍ଟ, ସରକାର ଗଠନରେ ବଡ଼ ଭୂମିକା ବହନ କରିବ ।
ମୁମ୍ବାଇ କର୍ଣ୍ଣାଟକମୁମ୍ବାଇ କର୍ଣ୍ଣାଟକ । ପୂର୍ବରୁ ବମ୍ବେ ପ୍ରେସିଡେନ୍ସି ଅନ୍ତର୍ଭୁକ୍ତ ଥିଲା କର୍ଣ୍ଣାଟକର ଏହି ଉତ୍ତର-ପଶ୍ଚିମ ଅଞ୍ଚଳ । ଏଥିରେ ଆସୁଛି ଉତ୍ତର କନ୍ନଡ, ବିଜୟପୁରା, ବେଲାଗାଭି, ବାଗାଲକୋଟ, ହାଭେରି, ଧରୱାଡ଼ ଏବଂ ଗଦାଗ ଜିଲ୍ଲା । ଏଠାରେ ଲିଙ୍ଗାୟତ ସଂପ୍ରଦାୟର ପ୍ରଭାବ ଅଧିକ । ଏକଦା କଂଗ୍ରେସ କବଜାରେ ଥିଲା ଲିଙ୍ଗାୟତ ଗଡ଼ । ମାତ୍ର ଗତ ଦୁଇ ଦଶନ୍ଧି ଧରି ବିଜେପି ସହ ଯୋଡ଼ି ରହି ଆସିଛନ୍ତି ଲିଙ୍ଗାୟତ ଶ୍ରେଣୀ । ଦଳର ଶୀର୍ଷ ନେତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା । ଏହାସହ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇଙ୍କର ମଧ୍ଯ ରହିଛି ପ୍ରଭାବ । ତେବେ, ୟେଦିଙ୍କ ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ଏବଂ ବିଜେପିର ଦୁଇ ଲିଙ୍ଗାୟତ ଚେହେରା ଜଗଦୀଶ ସେଟ୍ଟାର ଏବଂ ଲକ୍ଷ୍ମଣ ସବାଦି, ପଦ୍ମ ଛାଡ଼ି ହାତ ଧରିବା ପରେ ଗଣିତ ଏପଟ ସେପଟ ହେବା ଆଶଙ୍କା କରୁଛି ବିଜେପି । କଂଗ୍ରେସ, ବୋମାଇ ସରକାରକୁ ଲିଙ୍ଗାୟତ ବିରୋଧୀ କହି ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରୁଛି । ୨୦୧୩ରେ ଏଠାରେ ବିଜେପିକୁ ପଛରେ ପକାଇ ଦେଇଥିଲା କଂଗ୍ରେସ । ଯାହାର ଜବାବ ୨୦୧୮ରେ ଦେଇଥିଲା ବିଜେପି । ୨୦୧୩ରେ ବିଜେପି ୧୨ ଆସନ ପାଇଥିବା ବେଳେ, ୨୦୧୮ରେ ୨୬ ଆସନ ହାତେଇଥିଲା । ଅନ୍ୟପକ୍ଷରେ କଂଗ୍ରେସ ୨୦୧୩ରେ ୨୬ ଆସନ ପାଇଥିବା ବେଳେ, ୨୦୧୮ରେ ୧୬କୁ ଖସି ଆସିଥିଲା । ସେପଟେ ଲିଙ୍ଗାୟତ ବେଲ୍ଟରେ ଜେଡିଏସର ସେମିତି କିଛି ବଡ଼ ପ୍ରଭାବ ନାହିଁ । ଦଳ ୨୦୧୩ରେ ଗୋଟେ ଆସନ ପାଇଥିବା ବେଳେ, ୨୦୧୮ରେ ୨ଟିରେ ବିଜୟୀ ହୋଇଥିଲା । ୨୦୨୩ ନିର୍ବାଚନରେ ଟର୍ଣ୍ଣିଂ ପଏଣ୍ଟ ହେବ ଲିଙ୍ଗାୟତ ଅଞ୍ଚଳର ଫଳାଫଳ । ଏଠାରୁ କଂଗ୍ରେସ ଏବଂ ବିଜେପି ମଧ୍ୟରୁ ଯାହାକୁ ଯେତେ ଅଧିକ ସିଟ୍ ମିଳିବ, ସେହି ଦଳର ମୋଟ୍ ସିଟ୍ ସଂଖ୍ଯାରେ ସେତେ ପରିବର୍ତ୍ତନ ହେବା ସହ ସରକାର ଗଢ଼ିବା ସହଜ ହେବ ।
କେନ୍ଦ୍ରୀୟ କର୍ଣ୍ଣାଟକକର୍ଣ୍ଣାଟକର ଅନ୍ଯତମ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ- ସେଣ୍ଟ୍ରାଲ କର୍ଣ୍ଣାଟକ । ଚିତ୍ରଦୁର୍ଗ, ତୁମାକୁରୁ, ବଲରି, ଦଭଙ୍ଗଗିରି ଏବଂ ଶିମୋଗା ଜିଲ୍ଲାକୁ ନେଇ ଗଠିତ କେନ୍ଦ୍ରୀୟ କର୍ଣ୍ଣାଟକକୁ ବିଜେପିର ଗଡ଼ କୁହାଯାଏ । ଏଠାରେ ରହିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କ ଆସନ ଶିକାରୀପୁରା । ତେବେ ଭେଟେରାନ ଲିଡର ୟେଦି, ଏଥର ପୁଅ ବିଜୟେନ୍ଦ୍ର ହାତରେ ସମର୍ପି ଦେଇଛନ୍ତି ନିଜର ପାରମ୍ପରିକ ସିଟ୍ । ୟେଦି ୨୦୧୩ରେ ବିଜେପି ସହ ସମ୍ପର୍କ ତୁଟାଇଥିଲେ । ଯାହା କି ବିଧାନସଭା ନିର୍ବାଚନରେ ବିଜେପି ପାଇଁ ବୁମେରାଂ ହେଲା । ତେବେ ୨୦୧୮ ନିର୍ବାଚନ ବେଳକୁ ବିଜେପି କ୍ୟାମ୍ପକୁ ଫେରି ଆସିଥିଲେ ୟେଦି । ଫଳରେ ୨୦୧୮ରେ ଏହି ଅଞ୍ଚଳରେ ଦମଦାର ପ୍ରଦର୍ଶନ କରିଥିଲା ଭାରତୀୟ ଜନତା ପାର୍ଟି । ବିଜେପି ୨୦୧୩ରେ କେନ୍ଦ୍ରୀୟ କର୍ଣ୍ଣାଟକରୁ ମାତ୍ର ୪ ଆସନ ପାଇଥିବା ବେଳେ, ୨୦୧୮ରେ ୨୧ ଆସନ ହାତେଇଥିଲା । କଂଗ୍ରେସ ପାର୍ଟି ୨୦୧୩ରେ ୧୭ ଆସନ ପାଇଥିବା ବେଳେ, ୨୦୧୮ରେ ମାତ୍ର ୫ଟିରେ ସୀମିତ ରହିଥିଲା । ସେପଟେ ଜେଡିଏସ୍ ୨୦୧୩ରେ ୩ଟି ଆସନ ପାଇଥିବା ବେଳେ, ୨୦୧୮ରେ ଖାତା ଖୋଲି ପାରିନଥିଲା । ୨୦୨୩ରେ କେନ୍ଦ୍ରୀୟ କର୍ଣ୍ଣାଟକରେ ବିଜେପି ଏବଂ କଂଗ୍ରେସ ମଧ୍ଯରେ କଡ଼ା ଟକ୍କର ହେବା ସମ୍ଭାବନା ଅଧିକ । ଯଦିଓ ୟେଦି ଏଥର ବିଜେପିର ଷ୍ଟାର ପ୍ରଚାରକ ରହିଛନ୍ତି, ତେବେ ଗତ ଦୁଇ ବର୍ଷ ହେବ ସେ ମୁଖ୍ଯମନ୍ତ୍ରୀ ପଦରେ ନାହାନ୍ତି । ଯାହାର ଫାଇଦା ନେବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ ପାର୍ଟି ।
ହାଇଦ୍ରାବାଦ କର୍ଣ୍ଣାଟକହାଇଦ୍ରାବାଦ କର୍ଣ୍ଣାଟକରେ ଲିଙ୍ଗାୟତ ଏବଂ ଅନୁସୂଚିତ ଜାତିର ଦବଦବା ଅଧିକ । ବିଦାର, ବେଲାରି, କୋପାଲ, ରାଇଚୁର୍, କଲାବୁରଗି ଏବଂ ୟାଦଗିରି ଜିଲ୍ଲାକୁ ନେଇ ଗଠିତ ଏହି ଅଞ୍ଚଳକୁ ନେଗଲେକଟେଡ୍ ବା ଉପେକ୍ଷିତ ଅଞ୍ଚଳ କୁହାଯାଏ । ବରିଷ୍ଠ କଂଗ୍ରେସ ନେତା ତଥା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ, ଏହି ଅଞ୍ଚଳରୁ ପ୍ରତିନିଧିତ୍ବ କରନ୍ତି । ସେପଟେ ରେଡି ବ୍ରଦର୍ସ ନାଁରେ ଭୋଟ୍ ହାତେଇଥାଏ ବିଜେପି । ଯଦିଓ ରେଡି ବ୍ରଦର୍ସ ବେଲାରି ଖଣି ଦୁର୍ନୀତି ମାମଲାରେ ଛନ୍ଦି ହୋଇଛନ୍ତି, ତଥାପି ରେଡି ପରିବାରର ଜଣକୁ ଟିକେଟ ଦେଇଛି ବିଜେପି । ହାଇଦ୍ରାବାଦ କର୍ଣ୍ଣାଟକ ଅଞ୍ଚଳରେ SC ଭୋଟ୍ କଂଗ୍ରେସକୁ ଯାଉଥିବା ବେଳେ, ବିଜେପିକୁ ସହାୟକ ହୁଏ ଲିଙ୍ଗାୟତଙ୍କ ସମର୍ଥନ । ୨୦୧୩ରେ ବିଜେପି ମାତ୍ର ୪ଟି ଆସନ ପାଇଥିବା ବେଳେ, ୨୦୧୮ରେ ୧୫ ଆସନରେ ବିଜୟୀ ହୋଇଥିଲା । କଂଗ୍ରେସ ମଧ୍ଯ ୨୦୧୩ ତୁଳନାରେ ୨୦୧୮ରେ ଅଧିକ ସିଟ୍ ପାଇଥିଲା । କଂଗ୍ରେସ ୨୦୧୩ରେ ୧୮ ଏବଂ ୨୦୧୮ରେ ୨୧ ଆସନ ପାଇଥିଲା । ତେବେ ଜେଡିଏସର ପ୍ରଦର୍ଶନ ଗତ ଦୁଇ ନିର୍ବାଚନରେ ଅପରିବର୍ତ୍ତିତ ରହିଥିଲା । ୨୦୧୩ରେ ୫ଟି ଏବଂ ୨୦୧୮ରେ ମଧ୍ଯ ସେହି ୫ଟି ଆସନ ପାଇଥିଲା ଜେଡିଏସ । ଚଳିତ ନିର୍ବାଚନରେ, ଲିଙ୍ଗାୟତ ଭୋଟରଙ୍କ ନିଷ୍ପତ୍ତି ନିର୍ଣ୍ଣାୟକ ହେବ ।
2023ରେ କଣ ରହିବ କର୍ଣ୍ଣାଟକ ମତଦାତାଙ୍କ ମୁଡ୍ ? ଦଳ, ଜାତି, ନେତା, ନା ଅଞ୍ଚଳ ଆଧାରରେ ପଡ଼ିବ ଭୋଟ୍ ? କର୍ଣ୍ଣାଟକର ୬ଟି ସେଗମେଣ୍ଟରୁ କାହା ଖାତାକୁ ଯିବ କେତେ ସିଟ୍ ? କେଉଁ ଅଞ୍ଚଳ ଭୋଟ୍ ହେବ ନିର୍ଣ୍ଣାୟକ ? ୨୦୧୩ କିମ୍ବା ୨୦୧୮ ରେଜଲ୍ଟଠାରୁ ଭିନ୍ନ ହେବ କି ୨୦୨୩ କର୍ଣ୍ଣାଟକ ଜନାଦେଶ ?
ରିପୋର୍ଟ-ଜୟଦେବ ଜେନା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।