News18 Odia Digital
Karnataka CM Tussle: କିଏ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ…? ଡି.କେ ଶିବକୁମାର କିମ୍ବା ସିଦ୍ଧରମୈୟାଙ୍କ ନାମକୁ ନେଇ ଚାଲିଛି ଜୋରଦାର କସରତ । ସିଏମ୍ ଚେହେରା ସମ୍ପର୍କରେ ଦିଲ୍ଲୀର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବାସଭବନରେ ଆଲୋରନା ଚାଲିଛି। ଏହି ସଭାରେ କର୍ଣ୍ଣାଟକ ଏଆଇସିସି ପର୍ଯ୍ୟବେକ୍ଷକ ସୁଶୀଲ କୁମାର ସିନ୍ଦେ, ଦୀପକ ବାୱରିଆ ଓ ଜିତେନ୍ଦ୍ର ସିଂ ମଧ୍ୟ ଯୋଗ ଦେଇଥିଲେ। ପର୍ଯ୍ୟବେକ୍ଷକମାନେ ବେଙ୍ଗାଲୁରୁରେ ଦଳର ବିଧାୟକଙ୍କ ସହ ହୋଇଥିବା କଥାବାର୍ତ୍ତାର ସମ୍ପୂର୍ଣ୍ଣ ରିପୋର୍ଟ ଖଡ଼ଗେଙ୍କୁ ଦେଇଛନ୍ତି। ଏହା ପରେ ଖଡ଼ଗେ ସିଏମ୍ ଚେହେରା ବିଷୟରେ ନିଷ୍ପତ୍ତି ନେବେ।
ରବିବାର ଦିନ ନବ ନିର୍ବାଚିତ ବିଧାୟକମାନେ ସର୍ବସମ୍ମତି କ୍ରମେ ଦଳର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ କଂଗ୍ରେସ ବିଧାନସଭା ଦଳର ନେତା ଭାବରେ ମନୋନୀତ କରିବାକୁ ଅନୁମତି ଦେଇଛନ୍ତି। ସିଦ୍ଧରମୈୟା ଦିଲ୍ଲୀରେ ପହଞ୍ଚିଛନ୍ତି। ବୈଠକ ପରେ ସେ ଖଡ଼ଗେଙ୍କୁ ଭେଟିବେ। ଡି.କେ ଶିବକୁମାରଙ୍କୁ ମଧ୍ୟ ଦିଲ୍ଲୀ ଡକାଯାଇଥିଲା। ଅପରାହ୍ନ ସୁଦ୍ଧା ସେ ଦିଲ୍ଲୀ ଆସିଥିବାର ଆଲୋଚନା ହେଉଥିଲା। କିନ୍ତୁ ସନ୍ଧ୍ୟାରେ ତାଙ୍କର ସ୍ୱର ବଦଳିଗଲା ।
କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର କହିଛନ୍ତି, 'ମୋର ପେଟ ସଂକ୍ରମଣ ଅଛି ଓ ମୁଁ ଆଜି ଦିଲ୍ଲୀ ଯିବି ନାହିଁ। କଂଗ୍ରେସରେ ୧୩୫ ଜଣ ବିଧାୟକ ଅଛନ୍ତି। ମୋର କୌଣସି ବିଧାୟକ ନାହାଁନ୍ତି । ମୁଁ ଏହି ନିଷ୍ପତ୍ତି ଦଳର ହାଇ କମାଣ୍ଡଙ୍କ ଉପରେ ଛାଡିଛି । କେବଳ ସେତିକି ନୁହେଁ ସେ ସିଦ୍ଧରମୈୟାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।
କର୍ଣ୍ଣାଟକର ଦାୟିତ୍ୱରେ ଥିବା ଏଆଇସିସି ରଣଦୀପ ସୁରଜେୱାଲା କହିଛନ୍ତି ଯେ ମଲ୍ଲିକାର୍ଜୁନ ଖଡ଼ଗେ ଅଧିକ ସମୟ ନେବେ ନାହିଁ ଓ ଖୁବ ଶୀଘ୍ର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ।
ସୂଚନାଯୋଗ୍ଯ, କର୍ଣ୍ଣାଟକରେ କଂଗ୍ରେସ ବ୍ୟାପକ ବ୍ୟବଧାନରେ ବିଜେପିକୁ ପରାସ୍ତ କରି ବିଧାନସଭା ନିର୍ବାଚନରେ ବହୁମତ ସହ କ୍ଷମତାକୁ ଆସିଛି। କଂଗ୍ରେସ ୧୩୫ ଟି ଆସନ ଜିତିଛି, ବିଜେପି ମାତ୍ର ୬୬ ଟି ଜିତିପାରେ ଓ ଜନତା ଦଳ-ସେକ୍ୟୁଲାର ୨୨୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୯ଟି ଆସନକୁ ହ୍ରାସ ପାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।