News18 Odia Digital
ମେ’ ୧୦ କର୍ଣ୍ଣାଟକ ଜନାଦେଶକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ଆଶାବାଦୀ । ଚଳିତ ବିଧାନସଭା ନିର୍ବାଚନରେ ବିଜେପି-କଂଗ୍ରେସ-ଜେଡିଏସ୍ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିବା ବେଳେ, ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ହେଉଛି ବିଜେପି ଏବଂ କଂଗ୍ରେସ ମଧ୍ଯରେ ସିଧାସଳଖ ମୁକାବିଲା । ବିଶେଷକରି ପ୍ରଚାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ, ଜନମତକୁ ନିଜ ସପକ୍ଷରେ ନେବାକୁ ପୂରା ଦମ୍ ଲଗାଇ ଦେଇଛନ୍ତି ଦୁଇ ଜାତୀୟ ଦଳ । ଦକ୍ଷିଣ, ବେଙ୍ଗଳୁରୁ ଏବଂ କେନ୍ଦ୍ରୀୟ କର୍ଣ୍ଣାଟକକୁ ବାଦ୍ ଦେଲେ, ଅନ୍ୟ ୩ଟି ଅଞ୍ଚଳ ଉପକୂଳ, ବମ୍ବେ କର୍ଣ୍ଣାଟକ, ଉତ୍ତର ଏବଂ ହାଇଦ୍ରାବାଦ କର୍ଣ୍ଣାଟକରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ହେଉଛି ନେକ୍ ଟୁ ନେକ୍ ଫାଇଟ୍ ହେଉଛି । ୧୯୮୫ ପରଠାରୁ ସତ୍ତାଧାରୀ ପାର୍ଟି, ସର୍ବଦା କ୍ଷମତା ବାହାରେ ରହିଆସୁଥିବାରୁ, ଫ୍ରଣ୍ଟଫୁଟକୁ ଆସିଛି ଗ୍ରାଣ୍ଡ ଓଲ୍ଡ ପାର୍ଟି । ତେବେ ବିଜେପି ସହଜରେ ହାର୍ ମାନିବା ମୁଡ୍ରେ ନାହିଁ । କର୍ଣ୍ଣାଟକରେ ନୂଆ ଇତିହାସ ଲେଖିବାକୁ ଲାଗି ପଡ଼ିଛି ବିଜେପି । କର୍ଣ୍ଣାଟକ ବିଜୟ ପାଇଁ ଦଳ ଖେଳିଛି ମୋଦି କାର୍ଡ । ସାରା ଦେଶରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା । କର୍ଣ୍ଣାଟକରେ ବି ପ୍ରଧାନମନ୍ତ୍ରୀଙ୍କ କ୍ରେଜ୍ ସବୁଠୁ ଆଗର ।
କର୍ଣ୍ଣାଟକରେ ମୋଦି ଫ୍ୟାକ୍ଟରନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ୨୦୧୪ ଲୋକସଭା ନିର୍ବାଚନ ଲଢ଼ିଥିଲା ବିଜେପି । କର୍ଣ୍ଣାଟକରେ ବି କାମ କରିଥିଲା ମୋଦି ମ୍ୟାଜିକ । ମୋଦିଙ୍କ ନାଁରେ ଯାଇଥିଲା ସର୍ବାଧିକ ଭୋଟ୍ । ୨୦୧୪ରେ ବିଜେପି ହାତେଇଥିଲା ସର୍ବାଧିକ ୪୩ ପ୍ରତିଶତ ଭୋଟ୍ । କଂଗ୍ରେସ ପାଇଥିଲା ୪୦ ପ୍ରତିଶତ । ମୋଦିଙ୍କ ଲୋକପ୍ରିୟତା ଆଗରେ ଫିକା ପଡ଼ିଥିଲା କଂଗ୍ରେସ କରୀଶ୍ମା । ୨୦୧୯ ଲୋକସଭା ନିର୍ବାଚନ ବେଳକୁ କର୍ଣ୍ଣାଟକରେ ଦ୍ବିଗୁଣିତ ହୋଇଥିଲା ମୋଦି କ୍ରେଜ୍ । ୨୦୧୯ ନିର୍ବାଚନରେ ବିଜେପି ଖାତାରେ ପଡ଼ିଥିଲା ୫୧.୩୮ ପ୍ରତିଶତ ଭୋଟ୍ । ଯାହା ଥିଲା ଦକ୍ଷିଣ ଭାରତରେ ଯେ କୌଣସି ନିର୍ବାଚନରେ ସର୍ବାଧିକ ଭୋଟ୍ । ମୋଦିଙ୍କ ଆଗରେ ସମ୍ପୂର୍ଣ୍ଣ ଫେଲ୍ ମାରିଥିବା କଂଗ୍ରେସ ପାର୍ଟି ପାଇଥିଲା ମାତ୍ର ୩୧.୮୮ ପ୍ରତିଶତ ଭୋଟ୍ । ସବୁଠୁ ଆଶ୍ଚର୍ଯ୍ଯ କଥା ହେଉଛି, ମାତ୍ର ବର୍ଷକ ମଧ୍ଯରେ ପାଖାପାଖି ୭ ପ୍ରତିଶତ ଭୋଟ୍ ହରାଇଥିଲା କଂଗ୍ରେସ । ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ୩୮.୧୪ ପ୍ରତିଶତ ଭୋଟ୍ ପାଇଥିବା ବେଳେ, ୨୦୧୯ ଲୋକସଭାରେ ଦଳର ଭୋଟ୍ ୩୧.୮୮ ପ୍ରତିଶତକୁ ଖସି ଆସିଥିଲା ।
କର୍ଣ୍ଣାଟକରେ ନିର୍ବାଚନୀ ତାତି ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ଆଉ ଏହି ନିର୍ବାଚନୀ ବୈତରଣୀ ପାରି ହେବାକୁ ବିଜେପି ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ କରିଛି ଭରସା । ମୋଦିଙ୍କ ଲୋକପ୍ରିୟତାର ଫାଇଦା ଉଠାଇବାକୁ ପୂରା ଯୋଜନାରେ ବିଜେପି । ସତ୍ତା ବିରୋଧୀ ଲହର ଏବଂ ଲିଙ୍ଗାୟତ ଭୋଟ୍ ବିଭାଜନ ଆଶଙ୍କାର ଭରଣା କେବଳ ମୋଦିଙ୍କ ଦ୍ବାରା ହିଁ ସମ୍ଭବ । ଏକଥା ବାରମ୍ବାର ପ୍ରମାଣିତ ହୋଇସାରିଛି । ତେବେ କର୍ଣ୍ଣାଟକରେ ବିଜେପି ପାଇଁ ସଙ୍କଟ ମୋଚନ ହେବେ କି ମୋଦି !
ବିଜେପି ପାଇଁ ଏସିଡ୍ ଟେଷ୍ଟକର୍ଣ୍ଣାଟକରେ ବିଜେପି ପାଇଁ କର ବା ମର ସ୍ଥିତି । ୨୦୨୪ ଗ୍ରାଣ୍ଡ ଫିନାଲେ ପୂର୍ବରୁ ୨୦୨୩ କର୍ଣ୍ଣାଟକ ନିର୍ବାଚନ ବିଜେପି ପାଇଁ ଅଗ୍ନି ପରୀକ୍ଷା । ଏହା କେବଳ ଏକ ରାଜ୍ୟର ଜନାଦେଶ ନୁହେଁ । କର୍ଣ୍ଣାଟକ ଫଳାଫଳର ପ୍ରଭାବ କେବଳ ଗୋଟିଏ ରାଜ୍ୟରେ ସୀମିତ ରହିବ ନାହିଁ । ଏହାର ଭଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବ ପୂରା ଜାତୀୟ ରାଜନୀତି ଉପରେ ପଡ଼ିବ । ୨୦୨୩ ଶେଷ ଆଡ଼କୁ ଥିବା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ସହ, ୨୦୨୪ ଲୋକସଭା ନିର୍ବାଚନକୁ ମଧ୍ଯ ପ୍ରଭାବିତ କରିବା ସମ୍ଭାବନା ରହିଛି । ଯାହା ପ୍ରଧାନମନ୍ତ୍ରୀଙ୍କ ପାଇଁ ବାସ୍ତବିକ ପରୀକ୍ଷାର ବେଳ । କର୍ଣ୍ଣାଟକର ପ୍ରତିକୂଳ ରାଜନୈତିକ ପରିସ୍ଥିତିରେ, ଏକମାତ୍ର ଦକ୍ଷିଣ ରାଜ୍ୟରେ ସତ୍ତା ବଜାୟ ରଖିବା ବିଜେପି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କର୍ଣ୍ଣାଟକକୁ ତୋଫାନୀ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟ ପାଇଁ ହଜାର ହଜାର କୋଟି ଟଙ୍କାର ପ୍ୟାକେଜ ମଧ୍ଯ ଘୋଷଣା କରିଥିଲେ । ନିର୍ବାଚନ ତାରିଖ ଘୋଷଣା ପରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଅସଲ ପରୀକ୍ଷା ଆରମ୍ଭ ହୋଇଛି । କର୍ଣ୍ଣାଟକରେ ମୋଦିଙ୍କର ପାଖାପାଖି ୨୫ ରାଲି ରହିଛି । ରୋଡ ସୋ’ ଜରିଆରେ ସେ ଜନତାଙ୍କ ସହ ଯୋଡ଼ି ହେଉଛନ୍ତି । ଏହାସହ ଭର୍ଚୁଆଲ୍ ସଭା ଜରିଆରେ ଭୋଟ୍ ଭିକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ।
ଲିଙ୍ଗାୟତ ଗଡ଼ରେ ପ୍ରଧାନମନ୍ତ୍ରୀକର୍ଣ୍ଣାଟକ ବିଜୟରେ ଲିଙ୍ଗାୟତ ସମୁଦାୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ୧୮ ପ୍ରତିଶତ ଭୋଟ୍ ସହ ଶହେରୁ ଅଧିକ ସିଟ୍ରେ ରହିଛି ଲିଙ୍ଗାୟତଙ୍କ ଦବଦବା । ସାଧାରଣତଃ ବିଜେପିକୁ ଯାଇଥାଏ ଲିଙ୍ଗାୟତଙ୍କ ସିଂହ ଭାଗ ଭୋଟ୍ । ତେବେ ୨୦୨୩ ନିର୍ବାଚନରେ ଲିଙ୍ଗାୟତଙ୍କ ମୁଡ୍କୁ ନେଇ ବିଜେପି ଦ୍ବନ୍ଦ୍ବରେ । ବିଏସ୍ ୟେଦିୟୁରପ୍ପାଙ୍କ ଅବସର ଏବଂ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇଙ୍କ ଦୁର୍ବଳ ନେତୃତ୍ବ, ବିଜେପିକୁ ଝଟକା ଦେଇପାରେ । ସେହିପରି ଜଗଦୀଶ ସେଟ୍ଟାର ଏବଂ ଲକ୍ଷ୍ମଣ ସବାଦିଙ୍କ ଭଳି ଲିଙ୍ଗାୟତ ନେତାଙ୍କ ଏକଜିଟ୍, ବିଜେପି ପାଇଁ ଭାରି ପଡ଼ିବା ସମ୍ଭାବନା ରଖୁଛି । ଯାହାର ଭରଣା ପାଇଁ ଲିଙ୍ଗାୟତ ଗଡ଼ରେ ମାରାଥନ ପ୍ରଚାର କରୁଛନ୍ତି ପ୍ରଧାନମନ୍ତ୍ରୀ । ବିଜେପିର ପକେଟ୍ ଭୋଟକୁ ପୁଣି ଥରେ ଦଳ ସପକ୍ଷରେ ଆଣିବା ପାଇଁ ସେ ଭରପୂର ପ୍ରୟାସ ଚଳାଇଛନ୍ତି । ୟେଦିଙ୍କ ଲିଙ୍ଗାୟତ ଭୋଟ୍ ହାତଛଡ଼ା ନ କରିବାକୁ, ତାଙ୍କୁ ଷ୍ଟାର କ୍ୟାମ୍ପେନର କରିବା ସହ ପୁଅ ବିଜୟେନ୍ଦ୍ରଙ୍କୁ ଟିକେଟ ମଧ୍ଯ ଦେଇଛି ବିଜେପି । ଲିଙ୍ଗାୟତ ଇଲାକାରେ ବିଜେପି ଏବଂ କଂଗ୍ରେସ ମଧ୍ଯରେ କଡ଼ା ଟକ୍କର ହେଉଥିବା ବେଳେ, ମୋଦିଙ୍କ ଲିଙ୍ଗାୟତ କାର୍ଡ, କେତେ କାମ କରିବ ତା ଉପରେ ସବୁ କିଛି ନିର୍ଭର କରୁଛି ।
ଜୟ ବଜରଙ୍ଗ ବାଲିକର୍ଣ୍ଣାଟକ ନିର୍ବାଚନରେ ବ୍ୟାକଫୁଟରେ ମୌଳିକ ମୁଦ୍ଦା । ସାମାଜିକ ସମୀକରଣ ସହ ଯୋଡ଼ି ହୋଇଯାଇଛି ନୂଆ ପ୍ରସଙ୍ଗ ‘ଜୟ ବଜରଙ୍ଗ ବାଲି’ । ନୂଆ ମୁଦ୍ଦା ସହ କର୍ଣ୍ଣାଟକରେ ରାଜନୈତିକ ଝଡ଼ ସୃଷ୍ଟି କରିଛି କଂଗ୍ରେସର ନିର୍ବାଚନୀ ଇସ୍ତାହାର । ରାଜ୍ୟରେ ଜୋର ଧରିଛି ତୁଷ୍ଟୀକରଣ ରାଜନୀତି । ପ୍ରଚାରର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ‘ଜୟ ବଜରଙ୍ଗ ବଲି’ ନାରା ଦେଇ ନୂଆ କାର୍ଡ ଖେଳିଛନ୍ତି । ରାଜନୀତି ବିଶେଷଜ୍ଞଙ୍କ ଆକଳନ, ଯଦି କେହି ବିଜେପିକୁ କର୍ଣ୍ଣାଟକରେ ବିଜୟୀ କରିପାରନ୍ତି, ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ତାଙ୍କ କରିଶ୍ମା, ଲୋକପ୍ରିୟତା ଏବଂ ଭୋଟରଙ୍କୁ ଆକର୍ଷିତ କରିବାର କୌଶଳ, ଜନମତକୁ ଶେଷ ମୁହୂର୍ତ୍ତରେ ବଦଳାଇ ଦେବାର ସମ୍ଭାବନା ରଖୁଛି । ତେବେ କେଉଁ ମୁଦ୍ଦା ଉପରେ ଭୋଟ୍ ଦେବ କର୍ଣ୍ଣାଟକ ? କର୍ଣ୍ଣାଟକରେ ସରକାର ବିରୋଧୀ ହାୱାକୁ ସରକାର ସପକ୍ଷ ହାୱାରେ ପରିବର୍ତ୍ତନ କରିପାରିବ କି ମୋଦି ଫ୍ୟାକ୍ଟର ? ଏହାର ଉତ୍ତର ଜାଣିବାକୁ ମେ’ ୧୩କୁ ଅପେକ୍ଷା ।
ରିପୋର୍ଟ- ଜୟଦେବ ଜେନା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।