News18 Odia Digital
ନୂଆ ଦିଲ୍ଲୀ: ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଘଟିଥିବା ହିଂସା ଘଟଣାରେ ଛାତ୍ର ସଂଘ ଅଧ୍ୟକ୍ଷ ଆଇଶୀ ଘୋଷଙ୍କ ସମେତ ୧୯ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜାନୁଆରୀ ୫ତାରିଖ ରାତିରେ କେତେଜଣ ମୁଖା ପିନ୍ଧା ଆକ୍ରମଣକାରୀ ଜେଏନୟୁ କ୍ୟାମ୍ପସରେ ପଶି ଛାତ୍ର ଏବଂ ଶିକ୍ଷକମାନଙ୍କୁ ଲୁହା ରଡ ଓ ବାଡ଼ିରେ ପିଟିଥିଲେ । ଏଥିରେ ସମୁଦାୟ ୩୪ଜଣ ଛାତ୍ରୀଛାତ୍ର ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରେ ଛାତ୍ରସଂଘ ଅଧ୍ୟକ୍ଷ ଆଇଶୀ ଘୋଷଙ୍କୁ ଅଧିକ ଆଘାତ ଲାଗିଥିଲା ଏହା ପରେ ତାଙକୁ ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି କରାଯାଇଥିଲା । ନିୟୁଜ ଏଜେନ୍ସି ଏଏନଆଇର ତଥ୍ୟ ଅନୁସାରେ ମାରପିଟ ଏବଂ ସର୍ଭର ରୁମ ଭାଙ୍ଗିବା ନେଇ ଯେଉଁ ଏଫଆଇଆର ରୁଜୁ ହୋଇଛି । ଏଥିରେ ଅଧ୍ୟକ୍ଷ ଘୋଷଙ୍କ ସହ ତାଙ୍କର ୭ରୁ ୮ଜଣ ସାଥୀଙ୍କ ନାମ ରହିଛି । ଏଫଆଇଆର ଜେଏନୟୁ ପ୍ରଶାସନ ପକ୍ଷରୁ ୫ ଜାନୁଆରୀରେ ରୁଜୁ କରାଯାଇଛି ।
ହିନ୍ଦୁ ରକ୍ଷାଦଳ କହିଲା ଆକ୍ରମଣରେ ଆମେ ସମ୍ପୃକ୍ତ
ଏହି ହିଂସା ପାଇଁ ହିନ୍ଦୁ ରକ୍ଷା ଦଳ ନିଜକୁ ଦାୟୀ କରିଛି । ହିନ୍ଦୁ ରକ୍ଷା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ପିଙ୍କି ଚୌଧୁରୀ ଏକ ଭିଡିଓ ଜାରି କରି କହିଛନ୍ତି କି ‘‘ଛାତ୍ରଙ୍କୁ ପିଟିଥିବା କାର୍ଯ୍ୟକର୍ତ୍ତା ଆମର ଅଟନ୍ତି । ଜେଏନୟୁରେ ଯେଉଁ ଦେଶ ବିରୋଧୀ ଗତିବିଧି ହେଉଛି ତାହା ବରଦାସ୍ତ କରାଯାଇପାରିବ ନାହିଁ । ପରେ ସେ ଅଧିକ ଉତକ୍ଷିପ୍ତ ହୋଇ କହିଥିଲେ ଯେ, ଯିଏ ବି ଦେଶ ବିରୋଧରେ ଷଡ଼ଯନ୍ତ୍ର କରିବ ତାଙ୍କୁ ଠିକ ଏମିତି ଜବାବ ଦିଆଯିବ ଯେମିତି ଜେଏନୟୁରେ ଦିଆଯାଇଛି’’ ।
ଦିଲ୍ଲୀ ପୋଲିସ ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ଟି ଏଫଆଇଆର ରୁଜୁ କରିସାରିଥିବାବେଳେ ଯେଉଁଥିରୁ ଜେଏନୟୁ ପ୍ରଶାସନ ଦୁଇଟି ରୁଜୁ କରିଛି । ସେହିପରି ଦିଲ୍ଲୀ ପୋଲିସ କେତେକ ଅଜ୍ଞାତ ଲୋକଙ୍କ ଉପରେ ଦଙ୍ଗା କରିବା ଏବଂ ସମ୍ପତ୍ତି ନଷ୍ଟ କରିବା ନେଇ ମାମଲା ରୁଜୁ କରିଛି । ଏହି ମାମଲାରେ ୪ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି । ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ । ତେବେ ଗୃହ ମନ୍ତ୍ରଣାଳୟ ଜେଏନୟୁ ପ୍ରଶାସନକୁ ହିଂସା ନେଇ ରିପୋର୍ଟ ତଲବ କରିଛି ଏବଂ ଯାଞ୍ଚ ପାଇଁ ଆଦେଶ ଦେଇଛି ।
Published by:Durgamadhab Rath
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।