News18 Odia Digital
ପାଟନା: ଜେଡିୟୁର ଦୁଇ ବିଦ୍ରୋହୀ ନେତା ଉପସଭାପତି ପ୍ରଶାନ୍ତ କିଶୋର ଏବଂ ପ୍ରବକ୍ତା ପବନ ବର୍ମାଙ୍କୁ ଦଳ ବିରୋଧରେ କହିବା ମହଙ୍ଗା ପଡ଼ିଛି ଏବଂ ଦଳରୁ ସେମାନଙ୍କୁ ବହିଷ୍କୃତ କରାଯାଇଛି । ଏହି ଦୁଇ ନେତା ଗତ କିଛି ଦିନ ଧରି ଲଗାତାର ଭାବେ ପାର୍ଟି ଲାଇନରୁ ଅଲଗା ହୋଇ ବୟାନ ଦେଉଥିଲେ । ବର୍ମା ଜେଡିୟୁର ରାଜ୍ୟସଭା ସଦସ୍ୟ ରହିଥିବା ବେଳେ କିଶୋର ଜଣେ ଇଲେକସନ୍ ଷ୍ଟ୍ରାଟେଜିଷ୍ଟ ଭାବେ କାର୍ଯ୍ୟ କରି ଜେଡିୟୁରେ ମିଶିଥିଲେ ।
ନୀତିଶ ପ୍ରଶାନ୍ତ ଏବଂ ପବନଙ୍କ ଲଗାତାର ଦଳ ବିରୋଧୀ ବୟାନରେ ଅତିଷ୍ଟ ହୋଇ ପୂର୍ବରୁ କହିଥିଲେ ଯେ, ଯେଉଁମାନେ ଦଳ ଛାଡ଼ିବାକୁ ଚାହୁଁଛନ୍ତି ସେମାନେ ଦଳ ଛାଡ଼ିପାରନ୍ତି । ତାଙ୍କ ବୟାନ ପରେ ଲାଗୁଥିଲା ଯେ, ଏହି ଦୁଇ ନେତାଙ୍କ ଉପରେ ଦଳ କୌଣସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ।
ପୂର୍ବରୁ ନୀତିଶ ଏକ ବୟାନ ଦେଇ କହିଥିଲେ ଯେ, ‘‘ପ୍ରଶାନ୍ତ କିଶୋରଙ୍କୁ ଅମିତ ଶାହା କହିବାରୁ ଦଳରେ ସାମିଲ କରାଯାଇଥିଲା‘‘ । ନୀତିଶଙ୍କ ଏହି ବୟାନ ପରେ ପ୍ରଶାନ୍ତ ପ୍ରତିଉତ୍ତର ଦେଇ କହିଥିଲେ ଯେ, ‘‘ପାର୍ଟିରେ ମୋତେ ସାମିଲ କରିବା ନେଇ ଆପଣ ଏମିତି ମିଛ କେମିତି କହିପାରନ୍ତି । ଆଣ ଏକ ବୃଥା ପ୍ରୟାସ କରିଛନ୍ତି ମୋର ରଙ୍ଗ ଆପଣଙ୍କ ଭଳି ନୁହେଁ ।
ଜେଡିୟୁ ଏହି ଦୁଇ ନେତାଙ୍କ ଲଗାତାର ଦଳର ବିରୋଧୀ ବୟାନ ଯୋଗୁଁ ସେମାନଙ୍କ ଉପରେ ଅସନ୍ତୁଷ୍ଟ ଥିଲା । ପବନ ବର୍ମା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ସହ ମେଣ୍ଟକୁ ନେଇ ଦଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିବାବେଳେ ପ୍ରଶାନ୍ତ ନାଗରିକତା ସଂଶୋଧନ ଆଇନ, ଏନଆରସି ଓ ଏନପିଆରକୁ ନେଇ ଲଗାତାର ପାର୍ଟି ଲାଇନରୁ ଅଲଗା ଟୁଇଟ୍ କରୁଥିଲେ । ନୀତିଶ ଏନେଇ ୨୮ ତାରିଖରେ ପ୍ରଶାନ୍ତଙ୍କ ଟୁଇଟ୍ ଉପରେ ପ୍ରଶ୍ନ ଉଠାଇଥିଲେ ।
ଏହା ପୂର୍ବରୁ ୨୮ ତାରିଖରେ ବିହାର ବିଧାନସଭା ନିର୍ବାଚନ ରଣନୀତିକୁ ନେଇ ଅନୁଷ୍ଠିତ ବୈଠକରେ ପ୍ରଶାନ୍ତଙ୍କୁ ଦେଖିବାକୁ ମିଳିନଥିଲା । ତେଣୁ ଗଣମାଧ୍ୟରେ ପ୍ରଶ୍ନ ଉଠିଥିଲା ଯେ, ପ୍ରଶାନ୍ତ ଦଳ ସହିତ ଅଛନ୍ତି ନା ନାହିଁ । ଏହାର ଉତ୍ତରରେ ନୀତିଶ ତାଙ୍କୁ ଅମିତ ଶାହାଙ୍କ କହିବା ଅନୁସାରେ ଦଳରେ ସାମିଲ କରିଥିଲେ ଏବଂ ଯଦି ସେ ଯିବାକୁ ଚାହୁଁଥାନ୍ତି ତାହାଲେ ଯାଇପାରନ୍ତି ବୋଲି କହିଥିଲେ । ଆମ ପାର୍ଟିରେ ବଡ଼ ବୁଦ୍ଧିଜୀବୀମାନଙ୍କର ଆବଶ୍ୟକତା ନାହିଁ । ଏଠାରେ ସମସ୍ତେ ସାଧାରଣ ଏବଂ ତଳସ୍ତରର କାର୍ଯ୍ୟକର୍ତ୍ତା ଅଟନ୍ତି ବୋଲି କହିଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।