ଶ୍ରୀନଗରର ଜାକୁରାରେ ସୁରକ୍ଷା ବାହିନୀ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ
News18 Odia Digital
Jammu Kashmir Encounter: ଶନିବାର ସକାଳେ ଶ୍ରୀନଗର ସହରର ଜାକୁରା ଅଞ୍ଚଳରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା ଯେଉଁଥିରେ ଦୁଇଜଣ ଆତଙ୍କବାଦୀଙ୍କୁ ନିହତ କରିଛି ସୁରକ୍ଷା ବାହିନୀ।
ନିହତ ହୋଇଥିବା ଏହି ଆତଙ୍କବାଦୀମାନେ ଲଶ୍କର-ଇ-ତାଇବା (Lashkar-e-Taiba ) ଓ ଟିଆରଏଫର ସଦସ୍ୟ ଥିଲେ। ସର୍ଚ୍ଚ ଅପରେସନ ବେଳେ ପୋଲିସ ସେମାନଙ୍କ ନିକଟରୁ ଦୁଇଟି ପିସ୍ତଲ ଓ ଅନ୍ୟାନ୍ୟ ଅପରାଧ ସାମଗ୍ରୀ ଜବତ କରିଛି।
ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଇଖଲାକ ହାଜମ ବୋଲି ଜଣାପଡ଼ିଛି। ଯିଏ ନିକଟରେ ହୋଇଥିବା ଅନନ୍ତନାଗର ହସନପୋରାରେ ଏଚସି ଅଲ୍ଲି ମହମ୍ମଦଙ୍କ ହତ୍ୟାରେ ସମ୍ପୃକ୍ତ ଥିଲା।
ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ଚାଲିଥିବା ଅପରେସନ୍ ଦ୍ରୁତ ଗତିରେ ଚାଲିଛି ଯାହା ଦ୍ବାରା ଉପତ୍ୟକାରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରହିବ। ନିକଟରେ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ କହିଥିଲେ ଯେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ଏପର୍ଯ୍ୟନ୍ତ ୪୩୯ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୟୁନିଅନ୍ ଟେରିଟୋରୀରେ ୫୪୧ ଆତଙ୍କବାଦୀ ଘଟଣା ପଞ୍ଜିକୃତ ହୋଇଥିଲା।
ଆତଙ୍କବାଦୀ ଘଟଣାରେ କୌଣସି ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ନଷ୍ଟ ହୋଇନାହିଁ: ଗୃହ ରାଜ୍ୟ ମନ୍ତ୍ରୀ
ଗୃହ ରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ ଏହି ଘଟଣାଗୁଡ଼ିକରେ କୌଣସି ସାଧାରଣ ସମ୍ପତ୍ତି ନଷ୍ଟ ହୋଇନାହିଁ। ତେବେ ବ୍ୟକ୍ତିଗତ ସମ୍ପତ୍ତିର କ୍ଷତି ପ୍ରାୟ ୫.୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ବ୍ୟତୀତ ସେ ରାଜ୍ୟସଭାରେ କହିଥିଲେ ଯେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ ଅନୁଯାୟୀ ଦେଶର ୪୨ଟି ଆତଙ୍କବାଦୀ ସଙ୍ଗଠନ ପ୍ରଥମ ସୂଚୀରେ ତାଲିକାଭୁକ୍ତ ହୋଇଛି।
ସେନା ଜଣେ ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଛି
ଏଥି ସହିତ, ଫେବୃଆରୀ ୩ରେ ପୋଲିସ ଓ ସେନା ଉତ୍ତର କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ଲଶ୍କର ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୁଳି ମଧ୍ୟ ଜବତ କରାଯାଇଛି।
ବାନ୍ଦିପୋରାର ଚାଣ୍ଡରଗିର ହାଜିନ୍ ଅଞ୍ଚଳରୁ ଏହି ଗିରଫ କରାଯାଇଛି। ପୋଲିସର ସୂଚନାନୁସାରେ, ପ୍ରାଥମିକ ପଚରାଉଚରା ବେଳେ ସେ ନିଜକୁ ଶବବୀର ଅହମ୍ମଦ ଦାର ବୋଲି ପରିଚୟ ଦେଇଥିଲେ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।